ରାଜଗୀରର ବିଶ୍ୱ ଶାନ୍ତି ସ୍ତୂପ ବା ପିସ୍ ପାଗୋଡ଼ା

Spread the love
ବିହାରର ଐତିହ୍ୟ ବହନ କରୁଥିବା ସହର ରାଜଗୀର ଭାରତର ବୌଦ୍ଧ ଧର୍ମର ଏକ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର। ରତ୍ନଗିରି ପାହାଡ଼ ଉପରେ ଅବସ୍ଥିତ ଏହି ସ୍ତୂପଟି ଭଗବାନ ବୁଦ୍ଧଙ୍କ ପାଇଁ ସମର୍ପିତଏକ ଭବ୍ୟ ଧବଳ ସ୍ତୂପ, ଯାହା ଉପରୁ ସମ୍ପୂର୍ଣ୍ଣ ରାଜିଗୀର ସହରର ସୁନ୍ଦର ପରିବେଶ ଦୃଶ୍ୟମାନ ହୁଏ l ଏହା ” ବିଶ୍ୱ ଶାନ୍ତି ସ୍ତୁପ ” ବା ” ପିସ୍ ପାଗୋଡ଼ା ” ନାମରେ ନାମିତ ଏବଂ ବିଶ୍ୱ ଶାନ୍ତିର ଏକ ଜୀବନ୍ତ ପ୍ରତୀକ ଭାବେ ଦଣ୍ଡାୟମାନ। ଏହି ସ୍ଥାନକୁ ପହଞ୍ଚିବା ପାଇଁ ଚଲାରାସ୍ତା ସହ ରୋପୱେ ସୁବିଧା ମଧ୍ୟ ରହିଛି l ସ୍ତୂପର ଚାରି ପାର୍ଶ୍ଵରେ ବୁଦ୍ଧଙ୍କ ସ୍ଥାପିତ ମୂର୍ତ୍ତି, ସମଗ୍ର ବିଶ୍ୱରେ ଶାନ୍ତି ଓ ବିଶ୍ଵ ବନ୍ଧୁତ୍ୱର ପ୍ରତୀକ ଅଟେ l  ରାଜଗୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଐତିହାସିକ ଏବଂ ଧାର୍ମିକ ଦୃଷ୍ଟିକୋଣରେ ମଧ୍ୟ ସୁପ୍ରସିଦ୍ଧ l ଏହା ପ୍ରାଚୀନ ସାମ୍ରାଜ୍ୟ ମଗଧର ରାଜଧାନୀ ; ଭଗବାନ ବୁଦ୍ଧ ଏବଂ ମହାବୀର ଜୈନଙ୍କ ସହ ଜଡ଼ିତ ଏକ ବିଖ୍ୟାତ ବୌଦ୍ଧ ଏବଂ ଜୈନ ତୀର୍ଥସ୍ଥଳ ଅଟେ l  ରାଜଗୀର ରେଲୱେ ଷ୍ଟେସନରୁ ମାତ୍ର ୮ କି. ମି. ଦୂରତାରେ ଅବସ୍ଥିତ ଏହି ବିଶ୍ୱ ପ୍ରସିଦ୍ଧ ଶାନ୍ତି ସ୍ତୂପ, ଯାହାକୁ ଜାପାନୀ ସ୍ତୂପ ମଧ୍ୟ କୁହାଯାଏ l ରତ୍ନଗିରି ପାହାଡ଼ ବା ଗ୍ରୁଧ୍ରକୂଟ ଶିଖରରେ ଜାପାନର ନିପ୍ପୋଞ୍ଜି ସଂଘ ଦ୍ୱାରା ଏହା ନିର୍ମିତ ହୋଇଥିଲା l ଭାରତର ୭ ଟି ଶାନ୍ତି ସ୍ତୂପ ମଧ୍ୟରୁ ଏହା ଅନ୍ୟତମ l ଏହାର ନିର୍ମାଣର ପଛରେ ବୌଦ୍ଧ ଦର୍ଶନ, ଅହିଂସା, କରୁଣା ଓ ସହଅସ୍ତିତ୍ୱର ଗଭୀର ସନ୍ଦେଶ ରହିଛି। ସ୍ତୁପର ସ୍ୱଚ୍ଛ ସଫେଦ ଗଠନ ଏବଂ ସେଥିରେ ଖୋଦିତ ବୁଦ୍ଧଙ୍କ ଜୀବନର ବିଭିନ୍ନ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ୪oo ମିଟର ଉଚ୍ଚରେ ଅବସ୍ଥିତ ଏହି ସ୍ତୂପର ପରିକଳ୍ପନା ବୌଦ୍ଧ ଭିକ୍ଷୁ ନିପ୍ପୋଜ୍ଜାନ ମ୍ୟହୋଜୀ କରିଥିଲେ ମଧ୍ୟ ନିର୍ମାଣ ଜାପାନୀ ଭିକ୍ଷୁ ଫୁଜି ଗୁରୁଜୀ ୧୯୬୯ ରେ କରାଇଥିଲେ l ଧଳା ମାର୍ବଲରେ ନିର୍ମିତ ସ୍ତୂପଟି ୧୨o ଫୁଟ ଲମ୍ବା ଏବଂ ୧o୩ ଫୁଟ ଚଉଡା l ଚତୁଃପାର୍ଶ୍ଵରଭିନ୍ନ ଭିନ୍ନ ଭିନ୍ନ ମୁଦ୍ରାରେ ବୁଦ୍ଧଙ୍କ ଖଚିତ ସ୍ୱର୍ଣ୍ଣିମ ମୂର୍ତ୍ତି ଏବଂ ସ୍ତୂପର ସ୍ୱର୍ଣ୍ଣିମ ଶିଖର ଏହାକୁ ଆହୁରି ସୁନ୍ଦରତାକୁ ଦୁଇଗୁଣା କରିଦିଏ l
ସ୍ତୂପ ଚାରିପାଖରେ ଥିବା ଭଗବାନ ବୁଦ୍ଧଙ୍କ ସ୍ବର୍ଣ୍ଣ ପ୍ରତିମା ତାଙ୍କର ଜନ୍ମ, ଜ୍ଞାନପ୍ରାପ୍ତି, ଉପଦେଶ ଏବଂ ମୃତ୍ୟକାଳକୁ ପ୍ରତିନିଧିତ୍ୱ କରେ l ଏହାର ନିକଟରେ ‘ନିପ୍ପୋଜ୍ଜାନ ମ୍ୟହୋଜୀ’ନାମକ ଏକ ମନ୍ଦିର ମଧ୍ୟ ରହିଛି l ଏହା ବ୍ୟତୀତ ଏହି ସ୍ଥାନରୁ ପ୍ରସିଦ୍ଧ ଗ୍ରୁ୍ଧ୍ରକୂଟ ପର୍ବତ ପାଇଁ ଯାତ୍ରା ମଧ୍ୟ ଆରମ୍ଭ କରାଯାଏ, ଯେଉଁଠି ଭଗବାନ ବୁଦ୍ଧ ବସି ଉପଦେଶ ଦେଉଥିଲେ l ‘ ଗ୍ରୁଧ୍ର ‘ ବା’ ଶାଗୁଣା’ ପାହାଡ଼ ବୋଲାଯାଉଥିବା ଉକ୍ତ ପାହାଡ଼ରେ ବୁଦ୍ଧ ରାଜା ବିମ୍ବିସାରଙ୍କୁ ବୌଦ୍ଧ ଧର୍ମକୁ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ l ଏହାର ନିକଟରେ ଥିବା ଅଶୋକ ସ୍ତୂପ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ କେନ୍ଦ୍ର l ଭାରତ ଓ ଜାପାନ ଭିତରେ ରାଜନୈତିକ ଓ ସାଂସ୍କୃତିକ ସମ୍ବନ୍ଧକୁ ଦୃଢ଼ କରିବା ଉଦ୍ଦେଶ୍ୟ ନେଇ ଏହି ସ୍ତୂପଟି ନିର୍ମିତ ହୋଇଥିଲା l ପ୍ରତିବର୍ଷ ୨୫ ଅକ୍ଟୋବରରେ ଏଠାରେ ବାର୍ଷିକ ଉତ୍ସବ ପାଳନ କରାଯାଏ l ବିହାର ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ଦ୍ୱାରା ସଞ୍ଚାଳିତ ୨,୨oo ଫୁଟ ଲମ୍ବା ରୋପୱେ ସାହାଯ୍ୟରେ ସ୍ତୂପ ନିକଟକୁ ଯାତ୍ରୀ ପହଞ୍ଚିବାର ସୁବିଧା ରହିଛି l ରୋପୱେର ଅନୁଭୂତି କଥା ଯଦି ବର୍ଣ୍ଣନା କରିବି, ରାଜଗୀରର ହରିତ ଶୋଭା ଏବଂ ପଥୁରିଆ ପାହାଡିଆ ଦୃଶ୍ୟର ଏକ ଅଦ୍ଭୁତ କୋଲାଜ୍ କହିଲେ ଭୁଲ ହେବ ନାହିଁ l ଯାତ୍ରୀମାନଙ୍କର ଲମ୍ବା ଧାଡ଼ି ଦେଖି ମନ ଆଶଙ୍କାରେ ଭରି ଗଲା ଯେ ବହୁତ ଡେରି ହେବ; ମାତ୍ର ପ୍ରକୃତି କୋଳରେ ଅବସ୍ଥିତ ବନ ଆଚ୍ଛାଦିତ ପାହାଡ଼କୁ ଦେଖିବା ପରେ ମନର ସବୁ ହତାଶା କୁଆଡେ ଅଦୃଶ୍ୟ ହୋଇଗଲା l ସ୍ତୂପ ନିକଟବର୍ତ୍ତୀଶାନ୍ତ ପରିବେଶରେ ବୌଦ୍ଧ ଧର୍ମ ଅନୁସରଣକାରୀଙ୍କ ପ୍ରାର୍ଥନା ଧ୍ୱଜରେ ପରିବେଶଟି ଆହୁରି ସ୍ବର୍ଗୀୟ ହୋଇ ଉଠୁଥିଲା l ମନ୍ତ୍ର ଉଚ୍ଚାରଣ, ମଝିରେ ମଝିରେ ଘଣ୍ଟି, ଘଣ୍ଟା, ଢୋଲର ଧ୍ୱନି ଆଧ୍ୟାତ୍ମିକ ବାତାବରଣକୁ ଆହୁରି ମହିମାମୟ କରି ଗଢ଼ି ତୋଳୁଥିଲା l ଯଦିଓ ଆମେ ଗ୍ରୀଷ୍ମ ସମୟରେ ଯାଇଥିଲୁ, ଏହି ସ୍ଥାନକୁ ଭ୍ରମଣର ପ୍ରକୃଷ୍ଟ ସମୟ ହେଉଛି ଶୀତ ଏବଂ ବସନ୍ତ ଋତୁର ପ୍ରାରମ୍ଭିକ ସମୟ l
କହିବାକୁ ଗଲେ ଅକ୍ଟୋବରରୁ ମାର୍ଚ୍ଚ ହିଁ ସର୍ବୋତ୍ତମ ଏହି ପ୍ରକୃତିରାଜିକୁ ଉପଭୋଗ କରିବା ପାଇଁ l ଶାନ୍ତିସ୍ତୁପ ବିଶ୍ୱ ଶାନ୍ତି, ସଦଭାବ ଓ ବୁଦ୍ଧଙ୍କ ଶିକ୍ଷାର ପ୍ରତୀକ ଅଟେ l ଏଠାରେ ହିନ୍ଦୁ ଓ ଜୈନ ମନ୍ଦିର ରହିଛି l ଏଠାକାର ପାଣିକୁଣ୍ଡ ଗୁଡ଼ିକରେ ଔଷଧୀୟ ଗୁଣ ରହିଛି ଯାହା ଅନେକ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ l ପାହାଡ଼ ଶିଖରରୁ ରାଜଗୀରର ସବୁଜ ପ୍ରକୃତି, ଉପତ୍ୟକା ଓ ପୁରାତନ ଧ୍ୱଂସାବଶେଷର ଦୃଶ୍ୟ ମନକୁ ଅଦ୍ଭୁତ ଶାନ୍ତି ଅନୁଭୂତି ଦିଏ। ଏହି ସ୍ଥାନ କେବଳ ଏକ ପର୍ଯ୍ୟଟନ କେନ୍ଦ୍ର ନୁହେଁ, ବରଂ ଆତ୍ମିକ ଶାନ୍ତି ଓ ଚିନ୍ତନର ଏକ ନିରବ ଆଶ୍ରୟ। ପ୍ରକୃତି ମଣିଷକୁ ଏହାର ମନୋହର ଦୃଶ୍ୟରାଜି ଉପହାର ଦେଇଛି, ଆବଶ୍ୟକତା ଅଛି ମଣିଷ ଶାନ୍ତ ମନ ନେଇ ଏହାକୁ ଉପଭୋଗ କରୁ, ଏହାକୁ ସମ୍ମାନ ଜଣାଉ l ରାଜଗୀରର ଶାନ୍ତିସ୍ତୁପ ବିହାରର ଗୌରବମୟ ଐତିହ୍ୟ ସହିତ ମାନବତା ପାଇଁ ଶାନ୍ତି ଓ ସମ୍ମିଳନର ଏକ ଅମର ସନ୍ଦେଶ ବହନ କରେ l
ଶ୍ରୁତକୀର୍ତ୍ତି ତ୍ରିପାଠୀ 

Related Posts

About The Author

Add Comment