କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍–ଜାମସେଦପୁର କ୍ୟାନସର ସୋସାଇଟିର ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ

Spread the love

ଯାଜପୁର /(ସନ୍ଧାନ ନ୍ୟୁଜ )ଗ୍ରାମାଞ୍ଚଳରେ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ସଠିକ୍ ଚିକିତ୍ସା ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ପକ୍ଷରୁ ଏକ ବୃହତ ପଦକ୍ଷେପ ଗ୍ରହଣ କରାଯାଇଛି। ଜାମସେଦପୁର କ୍ୟାନସର ସୋସାଇଟି (ଜେସିଏସ) ଓ ମେହେରବାଇ ଟାଟା ମେମୋରିଆଲ୍ ହସପିଟାଲ୍ (ଏମଟିଏମଏଚ) ସହଯୋଗରେ ଭ୍ରାମ୍ୟମାଣ କ୍ୟାନସର ସ୍କ୍ରିନିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମ ସୋମବାର ଦିନ ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଉଦଘାଟିତ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ଯଖପୁରା ପିଏଚସିର ମେଡିକାଲ ଅଫିସର ଡା. ଅମୁଲ୍ୟ କୁମାର ନାୟକ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପଟି ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ କର୍କଟ ରୋଗ ସମ୍ପର୍କିତ ସଚେତନତା, ସ୍କ୍ରିନିଂ, ରୋଗ ନିଶ୍ଚିତକରଣ ଏବଂ ସଠିକ୍ ଚିକିତ୍ସା ସହିତ ସଂଯୋଗ ସୁବିଧା ଯୋଗାଇ ଦିଆଯିବ। ବିଶେଷକରି ମୁଖ ଗହ୍ୱର, ସ୍ତନ ଓ ଗର୍ଭାଶୟ କର୍କଟ ଉପରେ ଗୁରୁତ୍ୱ ଦିଆଯିବ।

ସପ୍ତାହକୁ ପାଞ୍ଚ ଦିନ ଚାଲୁଥିବା ଏହି କ୍ୟାମ୍ପରେ ପ୍ରତି କ୍ୟାମ୍ପରେ ୯୦ଟି ମାମୋଗ୍ରାମ, ୬୫ଟି ପାପ୍ ସ୍ମିୟର୍ ଓ ୧୩୫ଟି ମୁଖ କର୍କଟ ପରୀକ୍ଷା କରାଯିବାର ଲକ୍ଷ୍ୟ ରଖାଯାଇଛି। ସହିତେ ଲୋକମାନଙ୍କୁ କର୍କଟ ରୋଗର ବିପଦ, ପ୍ରାରମ୍ଭିକ ଲକ୍ଷଣ ଏବଂ ସମୟରେ ଡାକ୍ତରୀ ପରାମର୍ଶ ନେବାର ଗୁରୁତ୍ୱ ବିଷୟରେ ସଚେତନ କରାଯିବ।

ଏହି ପଦକ୍ଷେପର ଆଉ ଏକ ମୁଖ୍ୟ ଦିଗ ହେଉଛି ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବୃଦ୍ଧି। ମେହେରବାଇ ଟାଟା ମେମୋରିଆଲ୍ ହସପିଟାଲରେ ‘ମାଷ୍ଟର ଟ୍ରେନର୍‌’ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ, ଯେଉଁମାନେ ପରେ ଆଶା କର୍ମୀ ଓ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦେବେ।

ଯେଉଁ ଲୋକଙ୍କର ସ୍କ୍ରିନିଂ ରିପୋର୍ଟ ପଜିଟିଭ୍ ଆସିବ, ସେମାନଙ୍କୁ ରୋଗ ନିଶ୍ଚିତକରଣ ପାଇଁ ଏମଟିଏମଏଚକୁ ପଠାଯିବ ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନା ମାଧ୍ୟମରେ ଚିକିତ୍ସା ସୁବିଧା ପାଇବାରେ ସହଯୋଗ କରାଯିବ।

କର୍କଟ ସେବାକୁ ଗ୍ରାମସ୍ତରରେ ପହଞ୍ଚାଇବା ସହିତ ଏହି କାର୍ଯ୍ୟକ୍ରମ ସଚେତନତା ବୃଦ୍ଧି, ପ୍ରାରମ୍ଭିକ ରୋଗ ଚିହ୍ନଟ ଏବଂ ‘ଗ୍ରାମୀଣ କର୍କଟ ରେଜିଷ୍ଟ୍ରି’ ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି।

Related Posts

About The Author

Add Comment