ନୂଆଦିଲ୍ଲୀ ୨୫/୧୦(ସନ୍ଧାନ ନିୟୁଜ) : ପେଟିଏମ୍ ମୁଖ୍ୟ ବିଜୟ ଶେଖର ଶର୍ମାଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରି ବ୍ଲାକ୍ମେଲ୍ କରୁଥିବା ତାଙ୍କ ବ୍ୟକ୍ତିଗତ ସଚିବ ସୋନିଆ ଧାୱନ ପୁଲିସକୁ ସମ୍ପୂର୍ଣ୍ଣ କାହାଣୀ ଶୁଣାଇଛନ୍ତି। କ’ଣ ଉଦ୍ଦେଶ୍ୟ ରଖି ସେ ବ୍ଲାକ୍ମେଲ୍ କରୁଥିଲେ ତାହା ମଧ୍ୟ କହିଛନ୍ତି। ପୁଲିସ କହିବାନୁଯାୟୀ, ସୋନିଆ ଥିଲେ ପେଟିଏମ୍ ମୁଖ୍ୟ ବିଜୟଙ୍କ ଅତ୍ୟନ୍ତ ବିଶ୍ବସ୍ତ। ତାଙ୍କ ପାଖରେ ବିଜୟଙ୍କ ଏଟିଏମ୍ ଠାରୁ ଆରମ୍ଭ କରି ଇମେଲ୍ ଓ ସମସ୍ତ ବ୍ୟକ୍ତିଗତ ପାସ୍ୱାର୍ଡ ଓ ପିନ୍ ଥିଲା। ତାହାକୁ ବ୍ୟବହାର କରି ସୋନିଆ ତଥ୍ୟ ଚୋରାଇ ନେଇଥିଲେ ଓ ବିଜୟଙ୍କୁ ବ୍ଲାକ୍ମେଲ୍ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିରେ ତାଙ୍କୁ ସହାୟତା କରିଥିଲେ ତାଙ୍କ ସ୍ବାମୀ ରୂପକ ଜୈନ ଓ ପେଟିଏମ୍ର ଅନ୍ୟ ଜଣେ କର୍ମଚାରୀ ଦେବେନ୍ଦ୍ର କୁମାର। ସୋନିଆ ପ୍ରଥମେ ବିଜୟଙ୍କ ତଥ୍ୟ ଚୋରି କରି ତାହାକୁ ପେଟିଏମ୍ର କର୍ମଚାରୀ ଦେବେନ୍ଦ୍ରଙ୍କୁ ଦେଉଥିଲେ। କୋଲ୍କାତାରେ ଥିବା ଜଣେ ବ୍ୟକ୍ତିଙ୍କ ଜରିଆରେ ହ୍ବାଟସ୍ଆପ୍ କଲ୍ କରାଯାଉଥିଲା। ସବୁ କଲ୍ ସୋନିଆଙ୍କ ପାଖକୁ ଆସୁଥିଲା। କଲ୍ ଆସିବା ପରେ ସେ ବିଜୟଙ୍କୁ ଟଙ୍କା ଦେବାକୁ ବୁଝାଉଥିଲେ ଓ ୨ ଲକ୍ଷ ଟଙ୍କା ହାସଲ ମଧ୍ୟ କରିଥିଲେ। ପ୍ରଥମେ ବ୍ଲାକ୍ମେଲ୍ କରୁଥିବା ବ୍ୟକ୍ତି ୩୦ କୋଟି ଟଙ୍କା ମାଗୁଥିଲେ। ପରେ ତାହାକୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଖସାଇ ଦେଇଥିଲେ। ବ୍ଲାକ୍ମେଲ୍ କରୁଥିବା ବ୍ୟକ୍ତିଙ୍କ କଲ୍ ଆସିବା ପରେ ଟଙ୍କା ଦେଇଦେବା ପାଇଁ ବିଜୟଙ୍କୁ ସୋନିଆ କହୁଥିଲେ। ଥରେ ସୋନିଆ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ, ‘ସାର୍ ଏଥର ଟଙ୍କା ଦେଇ ଦିଅନ୍ତୁ। କେଜାଣି କେଉଁ ଭଳି ତଥ୍ୟ ସେମାନଙ୍କ ପାଖରେ ଅଛି।’ ସୋନିଆଙ୍କ ଏହି କଥାରୁ ବିଜୟଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା ଓ ଇସ୍ରାଏଲ୍ର ଏକ କଂପାନି ଜରିଆରେ ସେ ସୋନିଆ କରୁଥିବା ଷଡ଼ଯନ୍ତ୍ରକୁ ଜାଣିପାରିଥିଲେ ଓ ପୁଲିସ୍ରେ ମାମଲା ଦାୟର କରିଥିଲେ। ପୁଲିସ କହିଛି ଯେ, ସୋନିଆ ୪ କୋଟି ଟଙ୍କାର ଏକ ଘର କିଣିବାକୁ ଚାହୁଥିଲେ। ସେଥିପାଇଁ ସେ ବିଜୟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସୋନିଆଙ୍କ ସ୍ବାମୀଙ୍କ ରିଅଲ ଇଷ୍ଟେଟ୍ କାରବାର ବୁଡ଼ିଯାଇଥିଲା ଓ ସେ ବେରୋଜଗାର ଥିଲେ।
ସୋନିଆ କିଏ?
ସୋନିଆ ଧାୱନ୍ ହେଉଛନ୍ତି ପେଟିଏମ୍ ମୁଖ୍ୟ ବିଜୟ େଶଖର ଶର୍ମାଙ୍କ ବ୍ୟକ୍ତିଗତ ସଚିବ। ସେ ୨୦୧୦ରେ ପେଟିଏମ୍ରେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କ ଦରମା ବାର୍ଷିକ ୭ ଲକ୍ଷ ଟଙ୍କା ଥିଲା। କିଛି ବର୍ଷ ଭିତରେ ସେ ବିଜୟଙ୍କ ଅତ୍ୟନ୍ତ ବିଶ୍ବସ୍ତ ହୋଇପାରିଥିଲେ ଓ ତାଙ୍କୁ କଂପାନିର ଯୋଗାଯୋଗ ବିଭାଗ ମୁଖ୍ୟ କରାଯାଇଥିଲା। ତାଙ୍କର ବାର୍ଷିକ ଦରମା ମଧ୍ୟ ୭୦ ଲକ୍ଷ ଟଙ୍କା ହୋଇଯାଇଥିଲା। ମାଲିକଙ୍କ ଅତି ନିକଟତମ ଥିଲେ ସୋନିଆ। ତାଙ୍କ ପାଖରେ ପେଟିଏମ୍ର ୧୦ କୋଟି ଟଙ୍କାର ସେୟାର ମଧ୍ୟ ଥିଲା। ମାତ୍ର ୮ ବର୍ଷ ଭିତରେ ସୋନିଆ ଯେଉଁଭଳି ପଦୋନ୍ନତି ପାଇଥିଲେ ତାହା ଅତ୍ୟନ୍ତ ବିରଳ। ସୋନିଆଙ୍କ ଆଠ ବର୍ଷର ଏକ ପୁଅ ଅଛି। ତାଙ୍କ ପଡ଼ୋଶୀ କହୁଛନ୍ତି େଯ ସୋନିଆ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ। ଯଦି ସୋନିଆଙ୍କ ପାଖରେ ସବୁ କିଛି ଥିଲା ତେବେସେ କାହିଁକି ବ୍ଲାକ୍ମେଲିଂ ଭଳି ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ।