ସରକାରୀ ଅର୍ଥ ହଡପ ନେଇ ଅଡୁଆରେ ପଡିପାରନ୍ତି ତତ୍କାଳୀନ ଧର୍ମଶାଳା ବି.ଡି.ଓ

Spread the love

ଯାଜପୁର,୧୯/୦୮ (ସନ୍ଧାନ ନିଉଜ) ରାଜ୍ୟରେ ସ୍ୱଚ୍ଛ ଶାସନର ସ୍ଳୋଗାନ ଉପରେ ଠିଆ ହୋଇଥିବା ନବୀନ ସରକାର ପାଇଁ ଧର୍ମଶାଳାର ଭ୍ରଷ୍ଟାଚାର ସର୍ବଦା ବାଟ ଓଗାଳିଛି । ଏହି ବ୍ଲକରେ ବିଭିନ୍ନ କାର୍ଯ୍ୟରେ ଦୁର୍ନିତି ପ୍ରସଙ୍ଗରେ ଅତୀତରେ ବାରମ୍ବାର ଖବର ପ୍ରସାରଣ କରି ପ୍ରଶାସନିକ ଆକ୍ରୋଶରେ ଶୀକାର ହୋଇ ସାମ୍ବାଦିକ ସଂଜୟ ମିଶ୍ର ଗିରଫ ହେବା ଘଟଣାରେ ସମଗ୍ର ଜିଲ୍ଲାରେ ଘୋର ଆଲୋଡନ ସୃଷ୍ଟି କରିଥିଲା । ଯେଉଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଏବଂ ତତ୍କାଳୀନ ଧର୍ମଶାଳା ବି.ଡି.ଓଙ୍କ ଚକ୍ରାନ୍ତରେ ଏହି ମିଥ୍ୟା କେସ କରାଯାଇ ଥିଲା ଏବେ ଉଭୟ ଅଧିକାରୀ ସେହି ଦୁର୍ନିତି ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ହସ୍ତକ୍ଷେପ ପରେ ହରଡ ଘଣାରେ ପଡିଛନ୍ତି । ଅପର ପକ୍ଷରେ ଦୁର୍ନିତିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଆମ ନବୀନ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ କୌଣସି ଚାପ ରୋକି ପାରିବ ନାହିଁ ବୋଲି ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ବୟାନ ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ।
ସତୀଶ କହିଛନ୍ତି ଯେ, ଧର୍ମଶାଳା ବ୍ଲକର ଗଙ୍ଗାଧରପୁର ପଂଚାୟତ ଇମାମନଗର ଗ୍ରାମରେ ମନରେଗା କାର୍ଯ୍ୟରେ ଆଖିବୁଜା ଦୁର୍ନିତି ନେଇ ଲୋକାୟୁକ୍ତ ତଦନ୍ତ ଆରମ୍ବ କରିବା ପରେ ଧର୍ମଶାଳାର ତତ୍କାଳୀନ ବି.ଡି.ଓ ଅରବିନ୍ଦ ବେହେରା ମେ ୨୭ ତାରିଖରେ ଲୋକାୟୁକ୍ତଙ୍କୁ ଦେଇଥିବା ମିଥ୍ୟା ତଦନ୍ତ ରିପୋର୍ଟ ପତ୍ର ସଂଖ୍ୟା ନଂବର- ୨୪୬୪ ରେ ସେଠାରେ ୨୮୦ ମିଟର ରାସ୍ତା କାର୍ଯ୍ୟ ହୋଇଥିବାର ଦର୍ଶାଇଥିଲେ । ସେହି ଅଧିକାରୀ ପୁଣି ଗତ ୧୩ ତାରିଖରେ ଲୋକାୟୁକ୍ତଙ୍କ ଆଉ ଏକ କାରଣ ଦର୍ଶାଅ ରିପୋର୍ଟରେ ୯୦ ମିଟର ରାସ୍ତା କାର୍ଯ୍ୟ ହୋଇଥିବାର ମାନିଛନ୍ତି । ଧର୍ମଶାଳା ବ୍ଲକରୁ ମାତ୍ର କିଛି ଦୂରରେ ଏଭଳି ଦୁର୍ନିତି ହେବା ଏବଂ ଲୋକାୟୁକ୍ତଙ୍କ ହସ୍ତକ୍ଷେପ ପରେ ବି ଜଣେ ବରିଷ୍ଠ ପ୍ରଶାସକଙ୍କ ଏଭଳି ରିପୋର୍ଟ ଅଧିକାରୀମାନେ କିଭଳି କ୍ଷେତ୍ର ପ୍ରଦର୍ଶନ କରୁଛନ୍ତି ଏବଂ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ତାର ଏକ ଜ୍ଜ୍ୱଳନ୍ତ ପ୍ରମାଣ ମିଳିଛି । ଏହା କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଧର୍ମଶାଳାର ପ୍ରାୟ ୪୦ ଟି ପଂଚାୟତରେ ଏଭଳି ଦୁର୍ନିତି ଚାଲିଥିବାର ଅଭିଯୋଗ ହେଉଛି । ଗରୀବ ଶ୍ରମିକଙ୍କ ପେଟ ପାଟଣା ପାଇଁ ହେଉଥିବା ଯୋଜନାର ଏଭଳି ଦୁରପଯୋଗ ଆମ ନବୀନ ସରକାରଙ୍କ ମୂଳ ଲକ୍ଷ ଓ ଆଦର୍ଶ କ୍ଷେତ୍ରରେ କୁଠାରାଘାତ । ଆମ ସରକାର ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାଧାରଣରେ ବେଶ ଗ୍ରହଣୀୟ ହୋଇଥିବା ବେଳେ ତଳୁ ଉପରଯାଏଁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଲୋକାୟୁକ୍ତଙ୍କ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସତୀଶ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କୁ ନିବେଦନ କରିଛନ୍ତି ।
ତେବେ ଇମାମନଗରେ ମାଟି ମୁଠାଏ ନପଡି ବି ୨ ଲକ୍ଷ ୯୩ ହଜାର ଟଙ୍କା ହଡପ କରାଯାଇଥିବାର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗରେ ଲୋକାୟୁକ୍ତଙ୍କ ମାମଲା ସଂଖ୍ୟା ୧୩୪/୨୨ ର ଶୁଣାଣୀ କରି ଡାଇରେକ୍ଟର ଅଫ ଇନକ୍ୱାରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇ ଥିଲା । ଏଥିନେଇ ବ୍ଲକ ତରଫରୁ ହୋଇଥିବା ତଦନ୍ତରେ ଜଣାପଡି ଥିଲା ଯେ, କାଗଜ ପତ୍ରରେ ୨ ଶହ ୮୦ ମିଟର କାମ କରାଯାଇ ୨ ଲକ୍ଷ ୯୩ ହଜାର ଟଙ୍କା ବିଲ କରାଯାଇଛି । ହେଲେ ବାସ୍ତବରେ ୯୦ ମିଟର ରାସ୍ତା କରାଯାଇଛି । ଏଥିପାଇଁ ଦାୟୀ ସହକାରୀ ଯନ୍ତ୍ରୀ ଯତିନ୍ଦ୍ର ମୋହନ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତି ଗଡନାୟକ, ଏହି ପଂଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ମଳ ଚନ୍ଦ୍ର ପଣ୍ଡା, ଗ୍ରାମ ରୋଜଗାର ସେବକ ଚିନ୍ମୟ କର ଏବଂ ପୂର୍ବତନ ସରପଂଚ ରୀନା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ଏହି କାର୍ଯ୍ୟରେ ହଡପ କରାଯାଇଥିବା ୨ ଲକ୍ଷ ୨୧ ହଜାର ୪୬୮ ଟଙ୍କା ସେମାନଙ୍କ ଠାରୁ ସମାନ ପରିମାଣର ଆଦାୟ ପାଇଁ କୁହାଯାଇଛି । ପ୍ରକାଶ ଥାଉ କି, ଏହି ପୂର୍ବତନ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ମଳ ଚନ୍ଦ୍ର ପଣ୍ଡାଙ୍କ ମିଥ୍ୟା କେସର ଅଭିଯୋଗ ସାମ୍ବାଦିକ ସଂଜୟ ମିଶ୍ର ବନ୍ଧୁକ ଧରି ଆକ୍ରମଣ କରିବା ନେଇ ସଂଜୟଙ୍କୁ ଗିରଫ କରାଯିବା ପ୍ରସଙ୍ଗ ସମଗ୍ର ଜିଲ୍ଲାବାସୀଙ୍କୁ ଚକିତ କରିଥିବା ବେଳେ ସାମ୍ବାଦିକତାର ସ୍ୱାଧୀନତା ପାଇଁ ବଡ ପ୍ରଶ୍ନବାଚୀ ଠିଆ କରାଇଥିଲା । ସେ ସମୟରେ ସଂଜୟଙ୍କ ଅଭିଯୋଗ ଉପରେ ବିଭାଗୀୟ ସଚିବଙ୍କ ହସ୍ତକ୍ଷେପରେ ବଡ ଧରଣର ଦୁର୍ନିତି ଧରାପଡି ଉକ୍ତ ପଂଚାୟତର କାର୍ଯ୍ୟ ହୋଇଥବା ସୂଚନା ଫଳକକୁ ପରିବର୍ତ୍ତନ କରାଯାଇ ଥିଲା । ଏହି ଆକ୍ରୋଶରେ ସଂଜୟଙ୍କ ନାମରେ ମିଥ୍ୟ କେସ କରାଯିବାର ଷଡଯନ୍ତ୍ର ବ୍ଲକରୁ ହିଁ କରାଯାଇଥିଲା । ଇମାମନଗର ପ୍ରସଙ୍ଗରେ ହୋଇଥିବା ଦୁର୍ନିତିର କାର୍ପଟଦାର ଏହି ପଂଚାୟତ କାର୍ଯ୍ୟ ନିର୍ବାହୀ ଏବଂ ତତ୍କାଳୀନ ଧର୍ମଶାଳା ବି.ଡି.ଓ ଥିବା ବେଳେ ଧର୍ମଶାଳାର କ୍ଷମତାକେନ୍ଦ୍ରଙ୍କ ସୁରକ୍ଷାରେ ଏଭଳି ଦୁର୍ନିତି ଚାଲିଥିବାର ସାଧାରଣରେ ଆଲୋଚନା ହୋଇ ଦିନକୁ ଦିନ ଜନଅସନ୍ତୋଷ ବଢିବାରେ ଲାଗିଛି ।

Related Posts

About The Author

Add Comment