ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

Spread the love

ଯାଜପୁର,୩୧/୦୭ (ସନ୍ଧାନ ନିଉଜ): ଯାଜପୁର ବ୍ଲକ୍ ଅନ୍ତର୍ଗତ ଜାହାନପୁର ଗ୍ରାମ ପଂଚାୟତର ମଲିକାପୁର ଗ୍ରାମରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ମଦ ଦୋକାନକୁ ଗ୍ରାମବାସୀମାନେ ଘୋର ବିରୋଧ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।
ସୂଚନା ଅନୁସାରେ ପ୍ରସ୍ତାବିତ ମଦ ଦୋକାନଟି ଆଙ୍କୁଲା ଠାରେ ଖୋଲୁଥିବା ସମୟରେ ସେଠାକାର ଗ୍ରାମବାସୀ ବିରୋଧ କରିବାରୁ ଏବେ ତାହା ମଲ୍ଲିକାପୁର ଗ୍ରାମର ଶିବ ମନ୍ଦିର ଠାରେ ଖୋଲାଯିବାକୁ ଉଦ୍ୟମ କରାଯାଉଛି । ସେଠାରେ ଛାତ୍ରଛାତ୍ରୀମାନଙ୍କର ଏକ ବଡ କୋଚିଂ ସେଂଟର ଓ ୨ଟି ମହିଳା ହଷ୍ଟେଲ ରହିଛି । ଜାତୀୟ ରାଜପଥ ୨୦ ଠାରୁ ମାତ୍ର ୫୦ ମିଟର ଦୂରତାରେ ଏହି ଦୋକାନ ଖୋଲାଯାଉଛି । ସରକାରୀ ନିୟମାନୁଯାୟୀ ଜାତୀୟ ରାଜପଥ ଠାରୁ ୫ଶହ ମିଟର ଦୂରତା ପରେ ଦୋକାନ ଖୋଲିବାକୁ ଆଇନ ଥିବା ବେଳେ କେଉଁ ନିୟମାନୁଯାୟୀ ଏଠାରେ ନିୟମ ଉଲଘଂନ କରାଯାଉଛି ତାହା ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଏଠାରେ ମଦ ଦୋକାନ ହେଲେ ସ୍ଥାନୀୟ ଅଂଚଳର ପରିବେଶ ଖରାପ ହେବା ସହ ଶିକ୍ଷା,ସ୍ୱାସ୍ଥ୍ୟ ଓ ସାମାଜିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଇଛି । ଏହାକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଆରକ୍ଷୀ ଅଧୀକ୍ଷକ, ପୁଲିସ ମହାନିର୍ଦ୍ଦେଶକ, ଅବକାରୀ ବିଭାଗ ଅଧୀକ୍ଷକଙ୍କୁ ଦାବି ଜଣାଇଛନ୍ତି । ଯଦି ପ୍ରସ୍ତାବିତ ସ୍ଥାନରେ ମଦ ଦୋକାନ ଖୋଲାଯାଏ ତେବେ ଗ୍ରାମବାସୀମାନେ ଆନ୍ଦୋଳନ ସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment