ଯାଜପୁର/ଜେନାପୁର ୦୨/୧୦ (ସନ୍ଧାନ ନିଉଜ) ଆଇନ ସମସ୍ତଙ୍କ ପାଇଁ ସମାନ। ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଞ୍ଚଳରେ ଗରୀବ ଙ୍କ ପାଇଁ ଗୋଟିଏ ଆଇନ ଥିବା ବେଳେ ଠିକାଦାରଙ୍କ ପାଇଁ ଆଉ ଗୋଟିଏ ଆଇନ କାର୍ଯ୍ୟକାରୀ ହେଉଛି । ଏଥିନେଇ ଜନସାଧାରଣଙ୍କ ତରଫରୁ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ହୋଇଥିବା ତଦନ୍ତ ନିର୍ଦ୍ଦେଶକୁ ଚାପିଦେବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ଚଂଚଳତା ଚାଲି ଥିବାର ଅଭିଯୋଗ ହୋଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି ।
ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଇପୁରର ମିଶନ ଶକ୍ତି କେନ୍ଦ୍ର ଗୃହ ଏକ ଗୋଚର ଜମିରେ ନିର୍ମାଣ କରାଯାଇଛି । ସାଧାରଣତ ଗୋଚର ଜମିରେ କୈାଣସି ପ୍ରକାର ସରକାରୀ ପ୍ରକଳ୍ପ ହେବା ନିୟମ ବିରୋଧ କାର୍ଯ୍ୟ । ଏହି ଗୋଚର ଜମି ବ୍ୟତୀତ ଗାଁରେ ଆଉ କେଉଁଠାରେ ଗୋଚର ନାହିଁ । ସର୍ବସାଧାରଣ ଚଳପ୍ରଚଳ ସହଗାଈଗୋରୁ ଆଦି ଗୃହପାଳିତ ପଶୁ ଚରିବା ପାଇଁ ଏହା ଏକମାତ୍ର ଚାରଣ ଭୂଇଁ ଅଟେ । ଏଥିପାଇଁ ଏଠାରେ ଏହି ଗୃହ ନିର୍ମାଣ କରା ନଯିବ ପାଇଁ ଗାଁ ମହିଳାମାନେ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଧର୍ମଶାଳା ବି.ଡି.ଓ ଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିବାର ଗୋଟିଏ ସପ୍ତାହ ବିତିଲାଣି । ହେଲେ ଅଭିଯୋଗକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେଇ କୈାଣସି ସୂଚନା ଦିଆ ନଯାଇ ବେଆଇନ କାର୍ଯ୍ୟାକୁ ସୁରକ୍ଷା ଦେବାକୁ ଏବେ ପ୍ରଶାସନିକ ଚଂଚକତା ଆରମ୍ଭ ହୋଇଛି । ଅପର ପକ୍ଷରେ ଏଥିନେଇ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ କୋର୍ଟରେ ଆଶ୍ରୟ ନେବାକୁ ମହିଳାମାନେ ମଧ୍ୟ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।
ଅପର ପକ୍ଷରେ ଏହି ସମାନ ଗୋଚର ଜମି ଉପରେ ଦୀର୍ଘବର୍ଷ ଧରି ବଟକୃଷ୍ଣ ମହାନ୍ତି ନାମକ ଜଣେ ନିହାତି ଗରୀବ ଲୋକ ଗୋଟିଏ କୁଡିଆ ଘର କରି ରହୁଛନ୍ତି । ବଟକୃଷ୍ଣ ମଧ୍ୟ ଜଣେ ଭୂମିଶୂନ୍ୟ ବ୍ୟକ୍ତି । ବଟକୃଷ୍ଣ ଗୋଚରରେ ଘର କରି ରହିଥିବାରୁ ତାଙ୍କ ନାମରେ ଜବର ଦଖଲ କେସ ରୁଜୁ କରାଯିବା ସହ ୧୦ ଘଂଟା ଭିତରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନୋଟିସ କରାଗଲା ।
ହେଲେ ସେହି ସମାନ ଗୋଚର ଜମି ପ୍ଲେଟରେ ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ବି ଏକ ସରକାରୀ କୋଠା ନିର୍ମାଣ ଚାଲିଥିଲେ ବି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ପ୍ରକାଶ ଥାଉ କି, ପୂର୍ବରୁ ଏହିଭଳି ବେଆଇନ ଭାବେ ଜମି ଅଧିଗ୍ରହଣ କରାଯାଇ ଏବଂ ମେଘା ପାନୀୟଜଳ ପ୍ରକଳ୍ପ କରାଯିବା କାରଣରୁ ବ୍ୟାପକ ଜନଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିନେଇ ଓଡ଼ିଶା ହାଇକୋର୍ଟରେ କେସ ଚାଲିଥିବା ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ହରଡ ଘଣାରେ ପଡିଛନ୍ତି । ଏଠାରେ କେବଳ ଉନ୍ନୟନ କାର୍ଯ୍ୟ ପାଇଁ ସରକାରୀ ଅର୍ଥ ବିନିଯୋଗ ନହୋଇ ଠିକାଦାରୀ ପାଇଁ ଏବଂ ଠିକାଦାରଙ୍କ ସ୍ୱର୍ଥରକ୍ଷା ପାଇଁ ସରକାରୀ ପ୍ରକଳ୍ପ କରାଯାଏ ବୋଲି ଅଭିଯୋଗ ହୋଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି ।



