ସୌମ୍ୟ କାହାଣୀରେ ଏଣ୍ଟ୍ରି କଲା କ୍ରାଇମବ୍ରାଞ୍ଚ

Spread the love

ବାରିପଦା:୨୧/୦୭ (ସନ୍ଧାନ ନ୍ୟୁଜ୍)-: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଲିସ୍‌କୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। ସେଥିପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌। କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି, ମାମଲାକୁ କ୍ରାଇମବ୍ରାଞ୍ଚ ନେଇନି। କିନ୍ତୁ ତଦନ୍ତରେ ସହଯୋଗ କରିବ। ଜଣେ DSPଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଯାଇଛନ୍ତି। ଟିମ୍‌ରେ ଜଣେ DSP, ଜଣେ ଇନ୍ସପେରଙ୍କ ସହ ୪ ଜଣ ଅଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି ପୁଲିସ ତଦନ୍ତରେ କ୍ରାଇମବ୍ରାଞ୍ଚ କଣ ସହଯୋଗ କରିବ? ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସୌମ୍ୟ ମୃତ୍ୟୁ ମାମଲାରେ ଏପର୍ଯ୍ୟ ପାରଳାଖେମୁଣ୍ଡି ପୁଲିସ କିଛି ଖିଅ ପାଇନାହିଁ। ସେଥିପାଇଁ କ୍ରାଇମ୍‌ବ୍ରାଞ୍ଚର ସହଯୋଗ ଲୋଡୁଛି କି ପୁଲିସ? ନା ଏହି ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ସମ୍ପୃକ୍ତି ଥିବା ନେଇ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ପରେ ସରକାର ଏପରି ପନ୍ଥା ଆପଣାଇଲେ କି? ଏପରି ନାନା କଳ୍ପନା ଜଳ୍ପନା ଭିତରେ ଆଜି ପାରଳାଖେମୁଣ୍ଡିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌।
ସେପଟେ ଆଜି ମଧ୍ୟ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବାପା-ମାଆଙ୍କୁ ଜେରା କରାଯାଇଛି। ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ବିଦ୍ୟାଙ୍କ ବାପା-ମାଆଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ପରେ ପୁଲିସ୍‌ ଟିମ୍‌ ପାରଳାଖେମୁଣ୍ଡି ପଳାଇ ଆସିଛି। ଆଜି ପରି ଗତକାଲି ଅର୍ଥାତ ସୋମବାର ବିଦ୍ୟାଭାରତୀଙ୍କୁ ମାରାଥନ୍‌ ଜେରା କରିଥିଲା ପୁଲିସ। ଏପରିକି ତାଙ୍କ ମୋବାଇଲ୍‌ ଜବତ କରିଥିଲା। ପୁଲିସ ମୋବାଇଲ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଜଣାପଡ଼ିଛି।
ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Related Posts

About The Author

Add Comment