ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଘରମାଲିକ ଓ ଶ୍ରମିକଙ୍କ ଜୀବନ ଗଲା

Spread the love
କନ୍ଧମାଳ, ୩୧/୦୫.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଜଣେ ଶ୍ରମିକ ଅଛନ୍ତି। ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ପିଟବାରି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ- ଅବସରପ୍ରାପ୍ତ ସେନା କର୍ମଚାରୀ ସଞ୍ଜୟ ପ୍ରଧାନ ଏବଂ ଶ୍ରମିକ ସନ୍ତୋଷ କହଁର। ସୂଚନା ଅନୁସାରେ, ଅବସରପ୍ରାପ୍ତ ସେନା କର୍ମଚାରୀ  ସଞ୍ଜୟଙ୍କୁ ପିଟବାରି ଗାଁରେ ସରକାରୀ କୋଟାରେ ଏକ ଜାଗା ମିଳିଥିଲା। ସେହି ଜାଗାରେ ଘର ନିର୍ମାଣ କରୁଥିବା ବେଳେ ଘର ପାଇଁ ଏକ ପାଇଖାନା ଟାଙ୍କି ଖୋଳୁଥିଲେ। ସୋମବାର ଦିନ  ପାଇଖାନା ଟାଙ୍କି ଖୋଳା ଚାଲିଥିବା ବେଳେ ଏଥିରେ ନିୟୋଜିତ ଶ୍ରମିକ ସନ୍ତୋଷଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲା ଓ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସଞ୍ଜୟ ଟାଙ୍କି ଭିତରକୁ ପଶିଥିଲେ ଓ ତାଙ୍କର ମଧ୍ୟ ଶ୍ୱାସରୁଦ୍ଧ ହୋଇଯାଇଥିଲା। ଏହା ଦେଖି ଘରର ସଦସ୍ୟମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଟାଙ୍କି ଭିତରକୁ ଉଦ୍ଧାର କରି ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଶବ ଦ୍ୱୟକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଅବ୍ୟାହତ ରଖିଛି ପୋଲିସ l

Related Posts

About The Author

Add Comment