ଅପରାଧ ସମୀକ୍ଷା

Spread the love

ବାରିପଦା, ୦୭.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-ଗତ ସପ୍ତାହରେ ମୟୂରଭଞ୍ଜ ଜିଲାର ୫ଟି ବିଭିନ୍ନ ଥାନା ଇଲାକାରେ ଟଙ୍କା ଲୁଟି ଘଟଣା ହୋଇଥିବା ସହିତ ଦୁଇଟି ଥାନା ଇଲାକାରେ ସାଇବର ଅପରାଧ ଭଳି ସଂଗୀନ ଅପରାଧମାନ ଘଟିଲେ ସୁଦ୍ଧା ଦୁର୍ବୃତ୍ତଙ୍କୁ ଧରାଯିବା ସମ୍ଭବ ହୋଇ ପାରି ନାହିଁ । ଏନେଇ ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ବୃଦ୍ଧି ପାଉଥିବା ବେଳେ ଜିଲା ପୁଲିସ ମଧ୍ୟ ଚିନ୍ତାରେ ରହିଛନ୍ତି। ଏହି ଜିଲାର ଯଶିପୁର ଲଳନା ଝରାଫୁଲର ଭୁବନେଶ୍ୱର ଠାରେ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଦଳମତ ଓ ଅଂଚଳ ନିର୍ବିଶେଷରେ ଜିଲାର ସମସ୍ତ ଜନସାଧାରଣ ପ୍ରକୃତ ହତ୍ୟାକାରୀକୁ ଧରିବା ସହିତ ହତ୍ୟାର କାରଣ ଜାଣିବା ପାଇଁ ଉଦ୍‌ବିଗ୍ନ ହୋଇ ରହିଛନ୍ତି । ଜିଲା ବାହାରେ ତଥା  ରାଜ୍ୟ ବାହାରେ ଜିଲ୍ଲାର ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ ଗୁଡିକର କର୍ତ୍ତୁପକ୍ଷ ବିଶେଷ କରି ଛାତ୍ରୀମାନଙ୍କର ନିରାପତ୍ତା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାବାସୀଙ୍କ ତରଫରୁ ଦୃଢ ଦାବି ହେଉଛି । ଘଟିଥିବା ଲୁଟ୍ ଘଟଣା ମଧ୍ୟରୁ ଗୋରୁମହିଷାଣି ଥାନା ଇଲାକାରେ ଗତ ୨ ତାରିଖରେ ଗୋରୁମହିଷାଣି ବଜାରର ବିର୍ସାମୁଣ୍ଡା ଛକ ଗହଣା ବ୍ୟବସାୟୀ ଅମ୍ବିତ ରଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ରାସ୍ତାରେ ଦୁଇ ଜଣ ଦୁବୃତ୍ତ ବାଇକରେ ଆସି ଲକ୍ଷାଧିକ ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେଇ ପଳାଇଥିବା ଏବଂ ୧୬/୨୧ ନମ୍ବରର ଏକ ମାମଲା ରୁଜୁ ହୋଇଛି । ବାରିପଦା ଟାଉନ ଥାନା ଇଲାକାରେ‌ ଗତ ୩ ତାରିଖ ଅପରାହ୍ମ ଅଢେଇଟା ସମୟରେ ୧୪ ନମ୍ବର ୱାର୍ଡ ତୁଳସୀଚଉରାର ପ୍ରତାପ ମୁଖୀ ବ୍ୟାଙ୍କରୁ‌ ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ ଏବଂ ଉକ୍ତ ଟଙ୍କାକୁ ବ୍ୟାଗରେ ଧରି ଚାଲି ଚାଲି ଫେରୁଥିବା ବେଳେ ଘର ନିକଟରେ ଦୁଇ ଜଣ ବାଇକ ଆରୋହୀ ଟଙ୍କା ଥଳିକୁ ଲୁଟି ନେଇ ରେଳଲାଇନ କଡ ଦେଇ ତକତପୁର ଅଭିମୁଖେ ପଳାଇଥିବା ଏବଂ ୯୯/୨୧ ନମ୍ବରର ଏକ ମାମଲା ରୁଜୁ ହୋଇଛି । ଝାରପୋଖରିଆ ଥାନା ଇଲାକାରେ ଗତ ୨ ତାରିଖ ଅପରାହ୍ନ ୫ଟା ସମୟରେ ବାରୁବେଡା ଗ୍ରାମ ନିକଟରୁ ଏକ ଘରୋଇ ଅର୍ଥଲଗଣକାରୀ ସଂସ୍କାର ଏଜେଣ୍ଟ ପ୍ରଦୀପ ତ୍ରିପାଠୀଙ୍କୁ ଚାରି ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୯୦ ହଜାର ୮୭୬ ଟଙ୍କା ଲୁଟି ନେଇଥିବା  ଅଭିଯୋଗରେ ୨୫/୨୧ ନମ୍ବର ମାମଲା ରୁଜୁହୋଇଛି । ସେହିପରି ଗତ ୪ ତାରିଖ ଅପରାହ୍ନରେ ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ଗ୍ରାମର ଆମ୍ବତୋଟା ନିକଟରୁ ଶୁକୃଳି ବ୍ଲକ ଅନ୍ତର୍ଗତ କୁହାଁ ଗ୍ରାମର ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀ ଶୁଭେନ୍ଦୁ ଦାସଙ୍କୁ ବନ୍ଧୁକ ଦେଖାଇ ତାଙ୍କ ବାଇକର ଡିକି ଭାଙ୍ଗି ୧ ଲକ୍ଷ ୭ ହଜାର ଲୁଟି ନେଇ ମାମଲା ରୁଜୁ ହୋଇଛି । ଗତ ୫ ତାରିଖରେ ବାରିପଦା ସହର କେସି ସର୍କଲ ଏକ୍ସିସ୍  ବ୍ୟାଙ୍କ ଭିତରେ ଷ୍ଟେସନବଜାରର ଛଗନଲାଲ କଣ୍ଠାନୀ ନାମକ ବ୍ୟକ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଡରେ ଟଙ୍କା ଜମା କରୁଥିବା ବେଳେ ୨୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ୧୦୧/୨୧ ନମ୍ବର ଏକ ମାମଲା ରୁଜୁ ହୋଇଛି । ଏହି ସମସ୍ତ ଘଟଣାରେ କେହି ଧରାପଡ଼ି ନାହାନ୍ତି । ସପ୍ତାହକ ମଧ୍ୟରେ ଘଟିଥିବା ସାଇବର ଅପରାଧ ମଧ୍ୟରୁ ବାରିପଦା ସହରରେ କୌଣସି ଏକ ବାଇକ କମ୍ପାନୀର ଡିଲରସିପ ସକାଶେ ୱେବସାଇଟ୍‌ରେ ବାହାରିଥିବା ଏକ ବିଜ୍ଞାପନ ଅନୁଯାୟୀ ଆବେଦନକାରୀ ଯୁବକ ୨୦ନମ୍ବର ୱାର୍ଡର ତରୁଣ ମହାନ୍ତି ଦୁଇ କିସ୍ତିରେ ମୋଟ ୮ ଲକ୍ଷ ୫୨ ହଜାର ୨ ଶହ ଟଙ୍କା ଅନ୍‌ଲାଇନ୍‌ରେ ପଠାଇ ଠକାମୀର ଶିକାର ହୋଇଥିବା ନେଇ ଥାନାରେ ୮୪/୨୧ ନମ୍ବରର ଏକ ମାମଲା ଗତ ମଙ୍ଗଳବାର ରୁଜୁ ହୋଇଛି । ରରୁଆଁ ଥାନାର ଜନୈକ ଯୁବ ବୈଜ୍ଞାନିକ ସୁଦୂର ବିଦେଶ ଅମାନରେ କାର୍ଯ୍ୟରତ ଥିବା ସହିତ ବାଲେଶ୍ୱର ଜିଲାର କୌଣସି ଦୁର୍ବତ୍ତ ସେୟାର ବଜାରରେ ଅର୍ଥ ଲଗାଣ ପାଇଁ ପ୍ରବର୍ତ୍ତାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନେଇଥିଲେ ଏବଂ କୌଶଳକ୍ରମେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୬ ହଜାର ଟଙ୍କା ଠକି ନେଇଥିବାର ବୈଜ୍ଞାନିକ ପିତାଙ୍କ ଅଭିଯୋଗକ୍ରମେ ରରୁଆଁ ଥାନାରେ ୨୨/୨୧ ନମ୍ବରର ଏକ ମାମଲା ରୁଜୁ ହୋଇଛି । ଏହି ଦୁଇଟି ଯାକ ଘଟଣାର ଏପର୍ଯ୍ୟନ୍ତ ଠାବ କରିବାରେ ପୁଲିସ କୌଣସି ସୁରାକ ପାଉ ନ ଥିବା ପ୍ରକାଶ ।  ଉଦଳା ଥାନା ଅଧୀନ ଖୁଣ୍ଟା ବ୍ଲକ ଧାନଘେରା ଫଚାୟତ ଭଡରାଡିହା ଗ୍ରାମର ଜୁଲଙ୍ଗସାହି ନିକଟରେ ଏକ ପାଳଗଦାରୁ ଜଣେ ୨୫ରୁ ୩୦ ବର୍ଷର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କପ୍ତିପଦା ଥାନା ମାଛକାନ୍ଦଣା ପର୍ଯ୍ୟଟନସ୍ଥଳୀ ନିକଟରୁ ଗତ ମାସରେ ଏକ ପାଳଗଦାରୁ ମଧ୍ୟ ଏକ ଅଜଣା ଯୁବକର ଦରପୋଡା ମୃତଦେହ ଉଦ୍ଧାର ହୋଇଥିଲା । କିନ୍ତୁ ଉଭୟ ଘଟଣା ରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଅପରାଧୀ ଧରାପଡି ନ ଥିବା ପ୍ରକାଶ । ଏଥିସହିତ ଗତ ସପ୍ତାହକ ମଧ୍ୟରେ ନାବାଳିକା ଅପହରଣ ସହ ଦୁଷ୍କର୍ମ ମାମଲା ବିଭିନ୍ନ ଥାନା ଇଲାକାରେ ଘଟିଥିବା ନେଇ ଚିନ୍ତା ବୃଦ୍ଧି ପାଇଛି । ଚଳିତସପ୍ତାହରେ ଘଟିଥିବା ସମ୍ବେଦନଶୀଳ ଅପରାଧଗୁଡିକର ନିୟନ୍ତ୍ରଣ ଓ ତଦନ୍ତ ପାଇଁ ମୟୂରଭଞ୍ଜ ପୁଲିସ ବିଭାଗର ଭିତ୍ତିଭୂମିରେ ମଧ୍ୟ ଅଭାବ ରହିଛି । ଜିଲ୍ଲାରେ ଥିବା ବିଭିନ୍ନ ଥାନାରେ କର୍ମଚାରୀଙ୍କ ଅଭାବ ସହିତ ଅନୁସନ୍ଧାନକୁ କ୍ଷୀପ୍ର କରିବା ତଥା ପୁଲିସ ପଇଁତରା ପାଇଁ ଗାଡିର ମଧ୍ୟ ଅଭାବ ରହିଛି । ବିଶେଷ କରି ସାଇବର ଅପରାଧ ଗୁଡିକର ତଦନ୍ତରେ ବିଳମ, ଘଟୁଥିବାରୁ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ସାଇବର ଅପରାଧୀମାନେ ନିର୍ବିଘ୍ନରେ ଅପରାଧ ଘଟାଇ ଚାଲିଛନ୍ତି । ସେହିପରି କିଶୋରୀମାନଙ୍କର ଅପହରଣ ଓ ଦୁଷ୍କର୍ମ ମାମଲାକୁ ରୋକିବା ପାଇଁ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ଅଭାବ ଦେଖାଯାଉଛି ଏବଂ ଅଭିଭାବକଗଣ କୋମଳପତି ନାବାଳିକା ନାବାଳକଙ୍କ ଦୈନନ୍ଦିନ ଜୀବନଶୈଳୀ ପ୍ରତି ଅଧିକ ଜାଗତିଆର ରହୁ ନ ଥିବାରୁ ଏଭଳି ଘଟଣାମାନ ଘଟୁଥିବାର କୁହାଯାଉଛି ।

Related Posts

About The Author

Add Comment