ସୁରକ୍ଷା ପାଇଁ ଚିନ୍ତା ନାହିଁ ; ଶ୍ରୀହୀନ ହେଲାଣି ଲାଙ୍ଗୁଡି ପୁଷ୍ପଗିରି ବିହାର ବୌଦ୍ଧ ଶିକ୍ଷାକେନ୍ଦ୍ର ଓ ପାନ୍ଥଶାଳା

Spread the love

ଧର୍ମଶାଳା, ୦୬/୦୨/୨୧ (ସନ୍ଧାନ ନିଉଜ) : ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ହେଉ ବା ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟବରାଦ କରି ପର୍ଯ୍ୟଟନସ୍ଥଳୀର ପୁନରୁଦ୍ଧାର ଓ ସର୍ଜନା କରୁଛନ୍ତି । କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆବଶ୍ୟକ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଅଭାବରୁ ଧୀରେ ଧୀରେ ଲୋପ ହେବାକୁ ବସିଛି ପ୍ରସ୍ତୁତ ପର୍ଯ୍ୟଟନ ବିକାଶର ଭିତ୍ତିଭୂମି । ସୁରକ୍ଷା ପାଇଁ କାହାର ଚିନ୍ତା ନାହିଁ । ଏବେ ଶ୍ରୀହୀନ ହେବାକୁ ବସିଲାଣି ଲାଙ୍ଗୁଡି ପୁଷ୍ପଗିରି ବିହାର ବୌଦ୍ଧ ଶିକ୍ଷାକେନ୍ଦ୍ର ଓ ପାନ୍ଥଶାଳା ।
ରାଜ୍ୟର ପ୍ରସିଦ୍ଧ ବୌଦ୍ଧ ପୀଠ ମାନଙ୍କ ମଧ୍ୟରୁ ଯାଜପୁର ଜିଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଲାଙ୍ଗୁଡିି ଅନ୍ୟତମ । ୨୦୧୪ ମସିହାରେ ରାଜ୍ୟର ଏକ ପର୍ଯ୍ୟଟନ ସ୍ଥଳି ଭାବେ ମାନ୍ୟତା ଲାଭ କରିଛି ଲାଙ୍ଗୁଡି । ଯାଜପୁର ଜିଲା ଧର୍ମଶାଳା ତହସିଲର ମିର୍ଜାପୁର ଓ ପାଟପୁର ପଞ୍ଚାୟତର ମଧ୍ୟ ଭାଗରେ ଦଣ୍ଡାୟମାନ ବୈାଦ୍ଧ କୀର୍ତ୍ତିରାଜି ବିମଣ୍ଡିତ ଲାଙ୍ଗୁଡି ପାହାଡ । ଯାହାକି ଦିନେ ଦେଶ ବିଦେଶର ପର୍ଯ୍ୟଟକ, ଗବେଷକ ଓ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଅନ୍ୟପକ୍ଷରେ ଲାଙ୍ଗୁଡି ପାହାଡଟି ପୁଷ୍ପଗିରି ବିହାର ଭାବେ ପ୍ରସିଦ୍ଧି ଲାଭ କରିଥିବା ହୁଏନ୍ସାଂଙ୍କ ପରିଭ୍ରମଣ ବିବରଣୀରୁ ଜଣାଯାଏ । ଲାଙ୍ଗୁଡି ପହାଡ ଶିକ୍ଷାଦାନ ଓ ଯୁଦ୍ଧ ସମୟରେ ମୂଖ୍ୟ ଭୂମିକା ନିର୍ବାହ କରୁଥିଲା । ଏହାର ଐତିହ୍ୟକୁ ଭିତ୍ତି କରି ସେଠାରେ ସଂଗ୍ରାହଳୟ, ବୌଦ୍ଧ ଶିକ୍ଷା କେନ୍ଦ୍ର ଓ ପାନ୍ଥଶାଳାଟିଏ ଖୋଲିବା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ । ନିକଟସ୍ଥ ପାହାଡରୁ ବାହାରୁଥିବା ମୂର୍ତ୍ତିକୁ ସଂରକ୍ଷିତ କରି ରଖାଯାଇଥାନ୍ତା । ପର୍ଯ୍ୟଟକମାନଙ୍କ ପାଇଁ ରହିବା ଖାଇବା ପାଇଁ ବ୍ୟବସ୍ଥା ସହ ଗଜପତି ଜିଲା ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ଷ୍ଟଡି ସେଣ୍ଟରର ଏହା ଏକ ଶାଖା ଭାବରେ କାର୍ଯ୍ୟ କରିବାର ଲକ୍ଷ୍ୟ ରଖାଯାଇଥିଲା । ୨୦୦୮ ମସିହାରେ ପାହାଡ ପାଦଦେଶରେ ରାଜ୍ୟ ସରକାରଙ୍କ ଓଟିଡିସି ପକ୍ଷରୁ ସ୍ଥାନୀୟ ପର୍ଯ୍ୟଟନର ବିକାଶ ନିମନ୍ତେ ପାନ୍ଥଶାଳା ଓ ବୌଦ୍ଧ ଧର୍ମାବଲମ୍ବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବୌଦ୍ଧ ଶିକ୍ଷା କେନ୍ଦ୍ରଟିଏ ଖୋଲିବା ପାଇଁ ୧୦ କୋଟିରୁ ଉଦ୍ଦ୍ୱର୍ ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଏହାର ଚର୍ତ୍ତୁପାଶ୍ୱର୍ ପ୍ରାଚେରୀ, ସମ୍ମୁଖରେ ଲୁହା ଗେଟ୍, ନାମଫଳକ, ମାର୍ବଲ ଖଚିତ ରୁମ୍, ମେଡିଟେସନ ହଲ, ୮ଟି ଦୋକାନ ଗୃହ, ୧୦ଟି ରହିବା ଗୃହ, ଡାନିଙ୍ଗ ଓ ରୋଷେଇ ଗୃହ ଆଦି ନିର୍ମାଣ କରାଯାଇଥିଲା । ପାଣି ଓ ବିଦୁ୍ୟତ୍ ସଂଯୋଗ ଆଦି ରହିଥିଲା । ମାର୍ବଲ, ଗ୍ରାନାଇଟ୍ ଓ ମୋଟା କାଚ ଆଦି ବିଭିନ୍ନ ରୁମ୍ ରେ ଖଚିତ କରାଯାଇଥିଲା । ଫୁଲ ବଗିଚା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବେଶ ଚମକୁଥିଲା ପରିବେଶ । ପରବର୍ତ୍ତୀ ସମୟରେ ଏଠାରେ ବୌଦ୍ଧ କିର୍ତ୍ତିରାଜର ପ୍ରଚାର ଓ ପ୍ରସାର ନିମନ୍ତେ ଚନ୍ଦ୍ରଗିରି ସ୍ଥିତ ପଦ୍ମସମ୍ଭବ ମହାବିହାରକୁ ଦାୟିତ୍ୱ ଅର୍ପଣ ପରେ ୨୦୧୫ରେ ଚନ୍ଦ୍ରଗିରିରୁ କିଛି ବୌଦ୍ଧ ଗବେଷଣାରତ ଛାତ୍ର ଏଠାରେ ଆସି ଶିକ୍ଷା ଗ୍ରହଣ କରିଥିଲେ । ମାତ୍ର ସେମାନେ ୨୦୧୭ ପରେ ଏଠାରୁ ଶିକ୍ଷା ସମାପ୍ତ କରି ଚାଲିଯିବା ପରେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି ଏହି ଷ୍ଟଡି ସେଣ୍ଟର ଓ ସଂଲଗ୍ନ ପାନ୍ଥଶାଳା । ଦିନଟିଏ ପାଇଁ ଦୋକାନ ଗୃହରୁ ଲୁହା ସଟର ଉଠି ନାହିଁ । ହେଲେ ଅସାମାଜିକମାନେ ସେହି ସଟରକୁ ମଧ୍ୟ ଉପାଡି ନେଇ ଯାଇଥିବା ଦେଖାଦେଇଛି । ଷ୍ଟଡି ସେଣ୍ଟର ପ୍ରବେଶ ଦ୍ୱାରରେ ଲାଗି ଥିବା ବଡବଡ ଲୁହା ଗେଟ୍ ଆଉ ନାହିିଁ । ବିଶ୍ରାମ ଗୃହ, ରୋଷେଇ ଗୃହ ଓ ଡାଇନିଙ୍ଗ୍ ହଲର କବାଟ, ଝରକା, ବିଦୁ୍ୟତ୍ ସରଞ୍ଜାମ ଓ କାଚକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ ଲୁହା ଝରକାକୁ ଖୋଲି ନେଇଯାଇଛି । କାନ୍ଥରୁ ଗ୍ରାନାଇଟ୍ ଖଣ୍ଡ ଓ ମାର୍ବଲ ଆଦି ତାଡି ନେଲେଣି । ରାସ୍ତାରୁ ଟାଇଲ ଖଣ୍ଡ ଖଣ୍ଡ କରି ବାହାରି ଗଲାଣି । ଖାଲି ସେତିକି ନୁହେଁ ଗୃହ ଗୁଡିକର ବିଦୁ୍ୟତ ସଂଯୋଗ ଓ ଶୌଚାଳୟର ଆନୁସଙ୍ଗିକ ଉପକରଣ ମଧ୍ୟ ଆଉ ସେଠାରେ ନାହିଁ । ସେହିପରି ଧ୍ୟାନ ମଗ୍ନ ଗୃହଟିର ବଡ ବଡ କାଚ ଖଣ୍ଡକୁ କେହି ଚୋରାଇ ନେଇଛି । ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚି ପାନ୍ଥଶାଳା । ଏଠାରେ କୌଣସି ଜଗୁଆଳୀ ବ୍ୟବସ୍ଥା ନଥିବାରୁ ଦିନକୁ ଦିନ ଅସୁରକ୍ଷିତ ହେଉଛି । ଅସାମାଜିକ ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପରିବେଶ । ଅନାବନା ଗଛରେ ଲୁଚିଗଲାଣି ପରିବେଶ । ଏଥି ପ୍ରତି ରାଜ୍ୟ ସରକାରଙ୍କ କୌଣସି ଦୃଷ୍ଟି ନଥିବା ପରି ମନେହୁଏ । ତେବେ ଲାଙ୍ଗୁଡିର ଏହି ବୌଦ୍ଧ ପର୍ଯ୍ୟଟନସ୍ଥଳୀର ପୁନରୁଦ୍ଧାର ପାଇଁ ଦାବି ହେଉଛି । ନଚେତ୍ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିବା ସାର ହେବ ଏହା ନିଃସନେ୍ଦହ ।

Related Posts

About The Author

Add Comment