ବାରିପଦା,୦୫.୦୨.୨୦୨୧(ସନ୍ଧାନ ନିଉଜ୍): – ବାରିପଦା ସହରରେ ଦିନକୁ ଦିନ ଅପରାଧ ହାର ବଢୁଥିବା ବେଳେ ଅପରାଧୀଙ୍କ ଚରାଭୂଇ ପାଲଟିଲାଣି । ଶାନ୍ତ ସହର ବାରିପଦାରେ ଲୁଟ୍ ରାହାଜାନୀ, ଛିନ୍ତାଇ ସମେତ ଅନ୍ୟାନ୍ୟ ଅପରାଧ ହୁ ହୁ ହୋଇ ବଢିଚାଲିଥିବା ବେଳେ ଅନେକାଂଶରେ ପୁଲିସ ଫେଲ୍ ମାରୁଥିବା ଅଭିଯୋଗ ହେଉଛି । ତେବେ ଅପରାଧୀଙ୍କୁ ଧରିବାକୁ ପୁଲିସ ଜାଲ ବିଛାଇ ଅପରାଧ ନିୟନ୍ତ୍ରଣ ପାଇଁ ଯଥାସାଧ୍ୟ ଉଦ୍ୟମ କରୁଥିଲେ ମଧ୍ୟ ସେଥିରେ ସଫଳ ହେଉ ନଥିବା ଅଭିଯୋଗ ହୋଇଛି । ଟାଉନ ଥାନାର ରେକର୍ଡ ଅନୁଯାୟୀ ୨୦୨୦ରେ ବର୍ଷକ ଭିତରେ ଅର୍ଥାତ ଡିସେମ୍ବର ୩୧ତାରିଖ ସୁଦ୍ଧା ୯୬୭ଟି କେସ ରୁଜୁ ହୋଇଛି । ଯାହ ପୂର୍ବବର୍ଷ ଅପେକ୍ଷା ୨ଗୁଣରୁ ଅଧିକ ବୋଲି ଜଣାପଡିଛି । ସୂଚନା ମୁତାବକ ୨୦୧୯ରେ ବାରିପଦା ଟାଉନ୍ ଥାନାରେ ୪୨୬ଟି ମାମଲା ରୁଜୁ ହୋଇଥିଲା । ସେହିପରି ବିଗତ ୨୦ବର୍ଷର ରେକର୍ଡକୁ ଯଦି ଅନୁଧ୍ୟାନ କରାଯାଏ ତେବେ ଅପରାଧ ହାର ୨୦୦୦ ମସିହା ତୁଳନାରେ ୨୦୨୦ରେ ୪ଗୁଣରୁ ଅଧିକ ରହିଛି । ସୂଚନା ମୁତାବକ ୨୦୦୦ ମସିହାରେ ଟାଉନ୍ ଥାନାରେ ୨୨୩ଟି ମାମଲା ରୁଜୁ ହୋଇଥିଲା ବେଳେ ୨୦୦୧ରେ ୧୭୧ଟି, ୨୦୦୨ରେ ୨୬୫ଟି, ୨୦୦୩ରେ ୩୩୪ଟି, ୨୦୦୪ରେ ୩୩୧ଟି, ୨୦୦୫ରେ ୨୬୮,୨୦୦୬ରେ ୨୪୪ଟି, ୨୦୦୭ରେ ୨୧୪ଟି, ୨୦୦୮ରେ ୩୧୩ଟି, ୨୦୦୯ରେ ୩୩୮ଟି, ୨୦୧୦ରେ ୩୫୦ଟି, ୨୦୧୧ରେ ୩୬୨ଟି, ୨୦୧୨ରେ ୪୦୩ଟି, ୨୦୧୩ରେ ୪୦୯ଟି, ୨୦୧୪ରେ ୪୧୫ଟି, ୨୦୧୫ରେ ୪୧୨ଟି, ୨୦୧୬ରେ ୪୧୭ଟି, ୨୦୧୮ରେ ୩୧୯ଟି, ୨୦୦୧୯ରେ ୪୨୬ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ସର୍ବାଧିକ ୯୬୭ଟି ମାମଲା ରୁଜୁ ହୋଇଛି । ସେପଟେ ଡିସେମ୍ବର ୩୧ ସୁଦ୍ଧା ୨୦୨୦ ମସିହାରେ ମୋଟ ୧୦୨୪ଟି ମାମଲାକୁ ପୁଲିସ ତଦନ୍ତ କରି କେସ ଶେଷ କରିଥିବା ଜଣା ପଡିଛି । ସେପଟେ ସହରର ଜନସଂଖ୍ୟା ଓ ଭୌଗୋଳିକ ପରିସୀମା ବୃଦ୍ଧି ପାଉଥିବା ବେଳେ ଅପରାଧ ହାର ମଧ୍ୟ ବଢି ବଢି ଚାଲିଥିବା ବେଳେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ନ ଥିବା ଜଣା ପଡିଛି । ସୂଚନା ମୁତାବକ ଟାଉନ୍ ଥାନା ଆଇଆଇସି ବିରେନ୍ଦ୍ର ସେନାପତି ଉଭୟ ଥାନା ଏବଂ ଟ୍ରାଫିକ୍ ଦାୟିତ୍ବରେ ଅଛନ୍ତି । ସେହିପରି ୯ଜଣ ସବ୍ ଇନିସ୍ପେକ୍ଟର ଥିବା ବେଳେ ୩ଜଣ ଆସିଷ୍ଟାଣ୍ଡ ସବଇନିସପେକ୍ଟର, ୨ଜଣ ହାବିଲଦାର, ୧୪ଜଣ କନେଷ୍ଟବଳ ଏବଂ ୬ଜଣ ଓଏପିଏଫ୍ କନେଷ୍ଟବଳ ସମେତ ମୋଟ ୩୫ଜଣ ପୁଲିସ୍ କର୍ମଚାରୀ ଅଛନ୍ତି । ସେପଟେ ସହରରେ ପାଟ୍ରୋଲିଂ କରିବାକୁ ମାତ୍ର ଗୋଟିଏ ପିସିଆର ଭ୍ୟାନ ଟାଉନ୍ ଥାନାରେ ଅଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ବାରିପଦା ସହରର ଲୋକସଂଖ୍ୟା ୧ଲକ୍ଷ ୩୫ ହଜାର ଟପିଛି । ସେପଟେ ବାରିପଦା ସହରର ଆୟତନ ମଧ୍ୟ ବୃଦ୍ଧି ପାଇଛି। ଗତ ୨୦୦୦ ମସିହାରେ ବାରିପଦା ପୌରପରିଷଦରେ ମାତ୍ର ୨୫ଟି ୱାର୍ଡ ଥିବା ବେଳେ ବର୍ତ୍ତମାନ ୨୮ଟି ୱାର୍ଡ ଟି ରହିଛି । ପୁଣି ୪ଟି ୱାର୍ଡ ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି । ସୁତରାଂ ବାରିପଦାର ଭୌଗଳିକ ପରିସ୍ଥିତି ଜନସଂଖ୍ୟା ବୃଦ୍ଧି ଓ ଅପରାଧ ରେକର୍ଡକୁ ଦେଖିଲେ ଏଠାରେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ଯୋଗାଇବା ସହ ବାରିପଦା ସହରରେ କଡାକଡି ପାଟ୍ରୋଲିଂ ପାଇଁ ୪ଟି ପିସିଆର ଭ୍ୟାନର ଆବଶ୍ୟକତା ରହିଛି ବୋଲି ପୂର୍ବତନ ନଗରପାଳ ଶ୍ରୀ ଦୀନକୃଷ୍ଣ କହିଥିବା ବେଳେ ଆଉ ଏକ ଥାନା ପ୍ରତିଷ୍ଠା କରିବାର ଆବଶ୍ୟକତା ନେଇ ସେ ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ଦୀନକୃଷ୍ଣ କହିଛନ୍ତି ଯେ, ଦିନକୁ ଦିନ ସୂହରର ଆୟତନ ସାଙ୍ଗକୁ ଲୋକସଂଖ୍ୟା ଏବଂ ଅପରାଧ ହାର ବଢି ବଢି ଚାଲିଛି । ତେଣୁ ବିନା ଭିଭିଭୂମି ଏବଂ ମୁଷ୍ଟିମେୟ ” ପୁଲିସ କର୍ମଚାରୀଙ୍କ ଦ୍ବାରା ଆଗକୁ ଅପରାଧ ନିୟନ୍ତ୍ରଣ ସମ୍ଭବ ନୁହେଁ । ତେଣୁ ସରକାର ଏ ବାବଦରେ ଚିନ୍ତା କରି ଲକ୍ଷ୍ମୀପୋଷି ଫାଣ୍ଡିକୁ ଏକ ଥାନାରେ ପରିଣତ କରିବାକୁ ଯୋଜନା କରିବା ସହ ରଙ୍ଗାମାଟିଆ ସ୍ଥିତ ପିଆରଏମ୍ ମେଡିକାଲ କଲେଜ କ୍ୟାମ୍ପସ ନିକଟରେ ଏକ ପୁଲିସ ଫାଣ୍ଡି କିମ୍ବା ଆଉଟପୋଷ୍ଟ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ଶ୍ରୀ ଦୀନକୃଷ୍ଣ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲା ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ପଡୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରୁ ଅପରାଧୀ ଆସି ଏଠାରେ ଅପରାଧ ଘଟାଇ ଖସି ଯିବାରେ ସକ୍ଷମ ହେଉଛନ୍ତି । ଏହା ଛଡା ବାହାର ଜିଲ୍ଲାରୁ ବିଭିନ୍ନ ଅପରାଧିକ ଗ୍ୟାଙ୍ଗ ଆସି ଅପରାଧିକ କାଣ୍ଡ କରି ଖସିଯିବାରେ ସକ୍ଷମ ହେଉଛନ୍ତି । ଯାହା ଦ୍ବାରା ବାରିପଦାବାସୀଙ୍କ ଧନଜୀବନ ପ୍ରତି ଅସୁରକ୍ଷାର ବାତାବରଣ ସୃଷ୍ଟି ହୋଇଛି । ସେପଟେ ସହରରେ ସିସିଟିଭି କ୍ୟାମେରା ଲଗାଯିବାକୁ ଥିବା ପ୍ରସ୍ତାବ ସେହି ଭଳି ଶୀତଳ ଭଣ୍ଡାରରେ ରହିଥିବା ବେଳେ ଅପରାଧୀ ଦିନ ଦ୍ବିପ୍ରହରରେ ଅପରାଧ ଘଟାଇ ରଫୁ ଚକ୍କର ହୋଇ ଯାଉଛନ୍ତି । ସେପଟେ ସହରରେ ଦୁର୍ଘଟଣା ହାର ମଧ୍ୟ ବଢୁ ଥିବା ବେଳେ ପାକିଂ ସମସ୍ୟା ଉତ୍କଟ ହେବାରେ ଲାଗିଛି। ତେଣୁ ଏହି ସମସ୍ତ ସମସ୍ୟାକୁ ଆଖିରେ ରଖି ସରକାର ବାରିପଦା ସହରରେ ଆଉ ଏକ ଥାନା ପ୍ରତିଷ୍ଠା ସହ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ଏବଂ ଅନ୍ୟୁନ୍ୟ ୪ଟି ପିସିଆର ଭ୍ୟାନ ଯୋଗାଇଦେବାକୁ ସେ ଦାବି କରିଛନ୍ତି ।
ବଢୁଛି ଅପରାଧ ନିୟନ୍ତ୍ରଣ ପାଇଁ ନାହାନ୍ତି ପୁଲିସ୍ କର୍ମଚାରୀ
|
February 5, 2021 |


