କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

Spread the love

ବାରିପଦା, ୩୧.୦୧.୨୦୨୧(ସନ୍ଧାନ ନିଉଜ୍):- ଦେଶର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ଭାସ୍କର୍ଯ୍ୟର ସଂରକ୍ଷଣ କରିବା ଦିଗରେ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଶତାବ୍ଦୀ ଶତାବ୍ଦୀର ପ୍ରଚୀନ ମନ୍ଦିରର ସୁରକ୍ଷା ଓ ପୁନଃଉଦ୍ଧାର ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଭାରତୀୟ ପ୍ରତ୍ନତତ୍ୱ ବିଭାଗ (ଏଏସଆଇ)ର ବିଶେଷଜ୍ଞ ଦଳକୁ ଭୁବନେଶ୍ୱର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଏହି କ୍ଷେତ୍ରର ଖନନ କରି ବିସ୍ତୁତ ଭାବରେ ଗବେଷଣା କରିବା ଦିଗରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ପତ୍ର ଜରିଆରେ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଏଏସଆଇର ଭୁବନେଶ୍ୱର ଶାଖା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ସହରର ଏକାମ୍ର କ୍ଷେତ୍ରରେ ଥିବା ଶୁକଶାରୀ ମନ୍ଦିର ନିକଟ ୨ ଏକର ଜମିରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଶାରୀ ମନ୍ଦିରର ଉତର-ପଶ୍ଚିମ କୋଣରେ ଥିବା ସୋମବଂଶୀ ସମୟର ଦଶମ ଶତାବ୍ଦୀ ଏବଂ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ବାହାରିଛି। ଏଏସଆଇ ନିକଟରେ ଦୁଇଟି ଢ଼ାଂଚା ଆବିଷ୍କାର କରିଛି, ଯାହା ଶାରୀ ମନ୍ଦିରର ଭଗ୍ନାବଶେଷ ବୋଲି ଜଣାପଡୁଛି। ଏସଏସଆଇର ବିଶେଷଜ୍ଞମାନେ ମିଳିଥିବା ତଥ୍ୟନୁସାରେ ମତ ଦେଇଛନ୍ତି ଯେ, ଶାରି ମନ୍ଦିର ପଂଚାୟତନ ଢାଂଚାରେ ନିର୍ମାଣ ହୋଇଛି। ଯାହା ଚାରୋଟି ଛୋଟ ଛୋଟ ମନ୍ଦିର ପରିସରଭୃକ୍ତ ରହିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ମନେହେଉଛି ଯେ ଏକାମ୍ର କ୍ଷେତ୍ରରେ ଭୂମି ତଳେ ଅନେକ ଗୁଡ଼ିଏ ଐତିହାସିକ ଢାଞ୍ଚାର ଆଶଙ୍କା କରାଯାଉଛି।  ଭୁବନେଶ୍ୱର ସ୍ଥିତ ଶୁକସାରୀ ମନ୍ଦିର ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିର ପୂରାତନ କୀର୍ତିରାଜି ଏବଂ ପ୍ରତ୍ନତତ୍ୱ ବିଭାଗ ଓ ଭଗ୍ନାବଶେଷ ଆଇନ (ଏମଏଏସଆର) ଅଧୀନରେ ଏଏସଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି। ତେଣୁ ଅମୂଲ୍ୟ ପୂରାତନ ଓଡ଼ିଶାର ପ୍ରଚୀନ କୀର୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଓଡ଼ିଶାର ପ୍ରାଚୀନ ମନ୍ଦିରର ସ୍ଥାପତ୍ୟ, କାରୁକାର୍ଯ୍ୟସମ୍ପନ୍ନ, ସାମାଜିକ ସଂସ୍କୃତି ଓ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ନିକଟକୁ ଏକ ଏଏସଆଇର ବିଶେଷଜ୍ଞ ଦଳକୁ ପଠାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଏଠାରେ ଭୂମି ତଳେ ଥିବା ଐତିହାସିକ ଢ଼ାଂଚାର ପୁନଃଉଦ୍ଧାର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

Related Posts

About The Author

Add Comment