କରଞ୍ଜିଆ, ୨୫.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ପୁଅପିଲାର ଦାନ୍ତ ଉପରେ ଦାରୁ ବାହାରିଲେ ଆଦିବାସୀ ହୋ’ ସଂପ୍ରଦାୟର ଲୋକମାନେ ତାକୁ ଅଶୁଭ ବୋଲି ବିଚାର କରନ୍ତି । ତା’ ଉପରେ ରିଷ୍ଟ ପଡ଼େ ବୋଲି କୁହାଯାଏ। ଏହି ବିପଦ ଖଣ୍ଡନ ପାଇଁ ଉକ୍ତ ବାଳକକୁ ମାଈ କୁକୁର ସହ ବିବାହ କରାଯିବାର ବିଚିତ୍ର ପରମ୍ପରା ଏବେ ବି ଉକ୍ତ ସଂପ୍ରଦାୟରେ ବଳବତ୍ତର ରହିଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ନାଉପନା ଗାଁରେ । ଏହି ଗ୍ରାମର ଦେବେନ୍ ଚାତରଙ୍କ ୫ ବର୍ଷର ପୁଅ ମିଟୁର ଦାନ୍ତ ଉପରେ ଦାନ୍ତ ଉଠିବା ଦେଖି ପରିବାର ଲୋକ ବିପଦ ଆଶଙ୍କା କରିଥିଲେ। ମିଟୁର ରିଷ୍ଟ ଖଣ୍ଡନ ପାଇଁ ପରମ୍ପରା ଅନୁସାରେ ଗହ୍ମାରିଆପାଳ ଗ୍ରାମର ମଟକ ଚାତାରଙ୍କ ପୋଷା ମାଈ କୁକୁର ସହ ତାର ବାହାଘର ଠିକ୍ ହୋଇଥିଲା। ଏଥିପାଇଁ ଶନିବାର ଗାଁରେ ପୂଜାପାଠ ହୋଇଥିଲା ଏବଂ ବରଘର ଲୋକେ ହାଣ୍ଡିଆ ନେଇ କନ୍ୟା କୁକୁର ଘରେ ପହଞ୍ଚିଥିଲେ । ସେଠାରେ କନିଆଘର ଲୋକ ବରଘର ଲୋକଙ୍କ ଗୋଡ଼ ଧୋଇଦେବା ସହ ଅତିଥି ଚର୍ଚ୍ଚା କରିଥିଲେ। ପରେ ବର ଓ କନ୍ୟା (କୁକୁର)କୁ ପୁଅଘରକୁ ଅଣାଯାଇ ବାହାଘର ସଂପନ୍ନ କରାଯାଇଥିଲା । ଉକ୍ତ ବାହାଘର ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ରୁଣ୍ଡ ହୋଇଥିଲେ।
ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବାହାଘର
|
January 25, 2021 |



