ବାଲିଗୁଡା, ୧୯/୦୧/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଚଳନ୍ତା ଅଟୋରୁ ଦୁଇ ଜଣ ଦୁର୍ବୁତ୍ତ ହୋଣ୍ଡା ୟୁନିକନ ବାଇକରେ ଆସି ଲୁଟିନେଲେ ୫୦ ହଜାର ଟଙ୍କା । ତାହା ପୁଣି ଶିକ୍ଷୟତ୍ରୀଙ୍କ ଠାରୁ । ଘଟଣା ଘଟିଛି, କ. ନୂଆଗାଁ ଥାନା ଅନ୍ତର୍ଗତ ଗୁଞ୍ଜିଗାଁ (ପାରଜୁବାଲି) ଛକ ନିକଟରେ । ସିର୍ତ୍ତିଗୁଡା ସ୍ଥିତ ସ୍ୱର୍ଣ୍ଣପୁର ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ବିଶ୍ୱାଳ ଛାତ୍ରଛାତ୍ରୀଙ୍କ ଏମଡିଏମ ବାବଦକୁ ୫୦ ହଜାର ଟଙ୍କା ନୂଆଗାଁ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଉଠାଇ ଏକ ଅଟୋ ଯୋଗେ ସ୍କୁଲ କୁ ଫେରୁଥିଲେ । ହେଲେ ପୂର୍ବରୁ ପ୍ରସ୍ତୁତ ହୋଇଥିବା କିଛି ଦୁର୍ବୁତ୍ତ ବାଇକରେ ଆସି ଶିକ୍ଷୟତ୍ରୀ ଯାଉଥିବା ଚଳନ୍ତା ଅଟୋରୁ ଦୁର୍ବୁତ୍ତ ମାନେ ଟଙ୍କା ଥିବା ଭ୍ୟାନିଟ ବ୍ୟାଗଟିକୁ ଟାଣିନେଇ ୫୯ ନଂ ଜାତୀୟ ରାଜପଥ ଦେଇ କିରୀକୁଟି ଆଡକୁ ଫେରାର ହୋଇ ଚାଲିଯାଉଥିଲେ । ଦୁର୍ବୁତ୍ତ ମାନେ ଟଙ୍କାଲୁଟିନେବା ପରେ ଶିକ୍ଷୟତ୍ରି ଜଣକ ତାଙ୍କ ସ୍କୁଲର ସହକାରୀ ଶିକ୍ଷକ ମାନଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇବା ପରେ ଶିକ୍ଷକ ମାନେ କିରୀକୁଟିର କିଛି ଲୋକଙ୍କୁ ଫୋନ କରି ଦୁର୍ବୁତ୍ତ ମାନଙ୍କ ଗାଡିକୁ ଅଟକାଇବାକୁ ଅନୁରୋଧ କରିଥିଲେ । ଶିକ୍ଷକଙ୍କ ଅନୁରୋଧ କ୍ରମେ କିରୀକୁଟି ଗ୍ରାମବାସୀ କିରୀକୁଟି ଛକ ନିକଟରେ କାଠ ପକାଇ ରାସ୍ତାରେ ଜଗିରହିଥିଲେ । ହେଲେ ଦୁର୍ବୁତ୍ତ ମାନେ କାଠ ପକାଇବା ଦେଖି କିରୀକୁଟି ସ୍ଥିତ ପାଟଖଣ୍ଡା ଛକ ନିକଟରୁ ବୁଲାଇ ଲଭର୍ସ ପଏଣ୍ଟ(ଡଡୁବାଡ଼ା ନଦୀ) ଆଡକୁ ଚାଲିଯାଇଥିଲେ । ଲୋକମାନେ ଗୋଡ଼ାଇବା ଦେଖି ଦୁର୍ବୁତ୍ତ ଦୁଇଜଣ ଲଭର୍ସ ପଏଣ୍ଟରେ ବାଇକଟିକୁ ଛାଡି ଫେରାର ହୋଇଯାଇଥିଲେ । ଏହାପରେ କିଟିକୁଟି ଗ୍ରାମବାସୀ ବାଇକଟିକୁ ଗାଁ କୁ ଆଣିଥିଲେ । ଏହାପରେ ନୂଆଗାଁ ଥାନାର ଏସଆଇ ପ୍ରକାଶ ପ୍ରଧାନ ଗାଁରେ ପହଂଚି ବାଇକକୁ ଜବତ କରିବା ସହ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଏସଆଇ ପ୍ରକାଶ ପ୍ରଧାନ ସୂଚନା ଦେଇଥିଲେ । ଖବର ଲେଖାହେବା ସୁଦ୍ଧା ପୋଲିସ କାହାରିକୁ ଅଟକ କିମ୍ବା ଗିରଫ କରିନଥିବା ଜଣାପଡ଼ିଛି ।
ମାତିଲେ ଲୁଟେରା, ଅଟୋରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ : ଅଧା ବାଟରୁ ମଟର ସାଇକେଲ ଉଦ୍ଧାର
|
January 20, 2021 |
![](https://sandhannews.com/wp-content/uploads/2021/01/1611076440277.jpeg)