ରାଉରକେଲା୨୯/୦୮/୨୦ (ସନ୍ଧାନ ନିଉଜ): ସାପ କାମୁଡ଼ାରେ ଅକାଳରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ରାଉରକେଲା ଅନ୍ତର୍ଗତ ନବକୃଷ୍ଣନଗର ଓ ଟାଙ୍ଗରପାଲୀ ମଧ୍ୟସ୍ଥଳରେ ଥିବା ଏକ ଫାର୍ମ ହାଉସରେ କାର୍ଯ୍ୟ କରନ୍ତି ୪୬ ବର୍ଷିୟ ପ୍ରଭାକର ବେଉରା । ସବୁଦିନ ପରି ଫାର୍ମ ହାଉସର ଯାବତୀୟ କାର୍ଯ୍ୟ ଶେଷ କରି ରାତ୍ର ଭୋଜନ ପରେ ପ୍ରଭାକର ଏକ ଖଟରେ ଶୋଇବାକୁ ଯାଇଥିଲେ । ବିଳମ୍ବିତ ରାତ୍ରିରେ ଶୟନ ଅବସ୍ଥାରେ କୌଣସି ବିଷଧର ସର୍ପ ତାଙ୍କୁ ଦଶଂନ କରିବାରୁ ସେ ନିଦରୁ ଉଠିପଡ଼ି ଖୁବ ଚିତ୍କାର କରିବାରେ ଲାଗିଥିଲେ । ତାଙ୍କର ଚିତ୍କାର ଶୁଣି ପାଖରେ ଥିବା କିଛି ଯୁବକ ତାଙ୍କ ପାଖରେ ପହଂଚି ଘଟଣା ବିଷୟରେ ଅନୁସନ୍ଧାନ କରିବାରୁ ତାଙ୍କୁ ସାପ କାମୁଡ଼ିବା ଜାଣିବାକୁ ପାଇଥିଲେ । ପ୍ରଭାକରଙ୍କୁ ତତ୍କ୍ଷାଣତ ଗୁରୁତର ଅବସ୍ଥାରେ ସ୍ଥାନୀୟ ଯୁବକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ୍)ରେ ଭର୍ତି କରିଥିଲେ । ମାତ୍ର ଚିକିତ୍ସା କାଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଏହି ଘଟଣାରେ ସ୍ଥାନୀୟ ଟାଙ୍ଗରପାଲୀ ପୁଲିସ ମୃତ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ପ୍ରଭାକର ଏକାକୀ ଉକ୍ତ ଫାର୍ମ ହାଉସରେ ରହି କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି ।
ସାପ କାମୁଡ଼ାରେ ଗଲା ଫାର୍ମ ଜଗୁଆଳୀଙ୍କ ଜୀବନ
|
August 29, 2020 |