ଗବେଷଣାଗାରେ ଲାଗୁନି ଶିମିଳିପାଳ

Spread the love

ବାରିପଦା ୧୫/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୋରନା ମହାମାରୀ ରୋକିବାକୁ ନୟାନ୍ତ ହେଲାଣି ବିଶ୍ବା ହଜାର ହଜାର ବୈଜ୍ଞାନିକ,ଶହଶହ ଗବେଷଣା ସଂସ୍ଥା କୋରନା ପ୍ରତିଷେଧକ ପ୍ରସ୍ତୁତ ପାଇଁ ଲାଗିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଭିନ୍ନ ଗବେଷଣା ଅନୁଷ୍ଠାନ ମଧ୍ୟ କୋରନା ପାଇଁ ଖୋଜୁଛନ୍ତି ଔଷଧ ହେଲେ ଏ ଯାଏ ମିଳୁନି ସମାଧାନ । ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରାକୃତିକ ଔଷଧର ଗନ୍ତାଘର କୁହାଯାଉଥିବା ମୟୁରଭଞ୍ଜ ଶିମିଳିପାଳରେ ଗବେଷଣା କଲେ କିଛି ବାଟ ବାହାରି ପାରନ୍ତା ବୋଲି ଅନେକ‌ ଗବେଷକ  ମତ ଦିଅନ୍ତି । ହେଲେ ଏଥିପ୍ରତି ଗୁରୁତ୍ଵ ଦିଆଯାଉ ନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

  ଅନେକ ଦୂରାରୋଗ୍ୟ ବ୍ୟାଧିର ପ୍ରାକୃତିକ ଚିକିତ୍ସା ସମାଧାନ ଶିମିଳିପାଳରୁ ମିଳିଛି । ଅନେକ ଗବେଷକ ଏ କଥା ସ୍ବୀକାର କରିବା ସହିତ ଏନେଇ ତଥ୍ୟ ଭିତ୍ତିକ ରିପୋର୍ଟ ମଧ୍ୟ ପ୍ରକାଶ କରିଛନ୍ତି । ହେଲେ ଶିମିଳିପାଳର ଔଷଧୀୟ ବୃକ୍ଷରାଜି କେବଳ ଆଦିବାସୀମାନଙ୍କ ବ୍ୟବହାର ମଧ୍ୟରେ ସୀମିତ ରହିଯାଉଥିବା ଅଭିଯୋଗ ହେଉଛି । ଅନୁଧ୍ୟାନରୁ ଜଣାପଡ଼ିଛି ଶିମିଳିପାଳରେ ୮ ହଜାରରୁ ଅଧିକ ଔଷଧୀୟ ବୃକ୍ଷ, ଲତା,ଗୁଳ୍ମ, ମିଳେ । ଏଥିରୁ ୫୦ ହଜାରରୁ ଅଧିକ ଔଷଧୀୟ ଉତ୍ପାଦ ପ୍ରସ୍ତୁତି ହୋଇ ଗାଉଁଲି ଚିକିତ୍ସାରେ ବ୍ୟବହୃତ ହୁଏ । ଆୟୁର୍ବେଦରେ ଜଣ୍ଡିସ, ପେଟ ଯନ୍ତ୍ରଣା, ପୋଡ଼ା ଘା , ମୁଣ୍ଡ ବ୍ୟଥା,ଡାଇରିଆ, ଜ୍ବର,କାଶ,କଫ,ଥଣ୍ଡା, ନିମୋନିଆ, ମ୍ୟାଲେରିଆ,ଦାନ୍ତ ବ୍ୟଥା, ଚର୍ମରୋଗ, ଅନ୍ଧାରକଣା ଆଦି ବହୁ ରୋଗ ସହଜରେ ଭଲ ହେଉଥିବାର ପ୍ରମାଣ ରହିଛି । ଆୟୂଷ ବିଭାଗ ମଧ୍ୟ ଏକଥା ଅସ୍ବୀକାର କରିନି । ହେଲେ ଅଧିକ ଗବେଷଣା ପାଇଁ ଶିମିଳିପାଳକୁ ଗୁରୁତ୍ଵ ବି ଦେଉନି ।

  ପେଡିପେଡିକା , ଅପାମାରଙ୍ଗ,ବାସଙ୍ଗ,ବେଲ,ଘିକୁଆଁରୀ ଛଟିଆଣ, ଭୂଇଁ ନିମ୍ବ, ଇଶ୍ବରମୂଳ ଶତାବରୀ,ନିମ୍ବ,ବ୍ରହ୍ମି,ହେମସାଗର,ପଳାସି , ଦଶକେରନ୍ତା, ଅରଖ,ଜୁମ୍ଭି, ଚାକୁଣ୍ଡା, ଅଗ୍ନିଝାଲ,ଚହତହିଆ, ଋକୁଣୀ ହାତପୋଡି,ହଳଦି,ନିର୍ମୁଳି,ଧନନ୍ତରୀ,ମୁଥା,ଧତୁରା,ପିତାଆଳୁ, ଅଁଳା,ମନସା ସିଜୁ,ଦୁଧି,ହରିଡା,ଡାହାଡା,ଧିମିରି, ଆଶ୍ବସ୍ତ, ଜ୍ୟୋଷ୍ଠ ମଧୁ,ଦୁଧିଲତା,କୁତୁଚି,କୋଇଲିରଖା,ମେଞ୍ଜୁଆତି, ତୁଳସୀ,ଗନ୍ଧାଳି,ବାଡିଅଁଳା, ଜତା, ଅଗସ୍ତି,ରାମଦାନ୍ତୁଣି, ବିଶଲ୍ୟକରଣୀ,ଅଶ୍ବଗନ୍ଧାର ଗନ୍ତାଘର ହେଉଛି ଶିମିଳିପାଳ । ଏସବୁକୁ ସଂଗ୍ରହ କରି ଗ୍ରାମାଞ୍ଚଳ ହାଟ ବଜାରରେ ବିକ୍ରି କରି ଶହଶହ ବନବାସୀ ପେଟ ପୋଷନ୍ତି । ହେଲେ ଏହାର ବହୁଳ ବ୍ୟବହାର ଓ ଔଷଧୀୟ ପ୍ରୟୋଗ କ୍ଷେତ୍ରରେ ଗବେଷଣା ପାଇଁ କିନ୍ତୁ କିଛି ବ୍ୟବସ୍ଥା ନାହିଁ । ନିକଟରେ ଜାଇ ପିମ୍ପୁଡ଼ିରେ କୋରନା ମହାମାରୀ ପ୍ରତିଷେଧକ ମିଳିପାରେ ବୋଲି ଦୃଢୋନ୍ତି କରିଥିଲେ ମୟୁରଭଞ୍ଜ ଆଦିବାସୀ ଇଞ୍ଜିନିୟର ନୟାଧର ପଡିଆଲ । ଏହା ପରେ ବିଭିନ୍ନ ଗବେଷଣା ସଂସ୍ଥାନ ଏଥିପ୍ରତି ଗୁରୁତ୍ଵ ଦେଇଥିଲେ ଓ ଶିମିଳିପାଳ ଆସି ଅଧିକ ଗବେଷଣା କରିବେ ବୋଲି କହିଥିଲେ । ଏମିତିକି ଭୁବନେଶ୍ୱରସ୍ଥିତ ଆଇଏଲ୍ଏସର ନିଦ୍ଦେର୍ଶକ ଡ.ଅଜୟ କୁମାର ପରିଡ଼ା ମଧ୍ୟ ଲକ୍ ଡାଉନ୍ କୋହଳ ହେଲେ ମୟୁରଭଞ୍ଜ ଗବେଷଣା ପାଇଁ ଆସିବେ ବୋଲି କହିଥିଲେ । ହେଲେ ଏ ପର୍ଯ୍ୟନ୍ତ କୌଣସି ଟିମ୍ ପହଞ୍ଚିଲା ନାହିଁ । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଓ ଶିମିଳିପାଳର ଔଷଧୀୟ ବୃକ୍ଷରାଜି ବ୍ୟବହାର ଓ ଗବେଷଣା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଜିଲ୍ଲାର ଅନେକ ଆୟୁର୍ବେଦ ଗବେଷକ ମତ ଦେଇଛନ୍ତି ।

 

Related Posts

About The Author

Add Comment