ବଡ଼ଚଣା, ୧୧/୦୭ (ସନ୍ଧାନ ନିଉଜ) ଯେତେ ଅଧିକ ଖଣିଜ ସମ୍ପଦ ପରିବହନ ହୁଏ ସେହି ଅନୁପାତରେ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠିର ଅଭିବୃଦ୍ଧି ଘଟିଥାଏ ! ଯାଜପୁର ଜିଲ୍ଲାରୁ ଯେତେ ଖଣିଜ ସମ୍ପଦ ପାରାଦ୍ଵୀପ ବନ୍ଦର ବାଟ ଦେଇ ବିଦେଶକୁ ରପ୍ତାନି ହେଉଛି ସେ ସବୁ ବଡ଼ଚଣା ବ୍ଲକର ପ୍ରାୟ ୨୫କିଲୋମିଟର ଛାତି ଉପର ଦେଇ ହିଁ ପରିବହନ ହୋଇ ପାରାଦ୍ଵୀପ ବନ୍ଦରରେ ପହଞ୍ଚିଥାଏ ! ଫଳରେ ଡ଼ୁବୁରୀ-ପାରାଦ୍ଵୀପ ରାଜପଥରେ ବଡ଼ଚଣା ବ୍ଲକର ଖୋସାଲିପୁରଠାରୁ ପଞ୍ଚୁପାଣ୍ଡବ ପର୍ଯ୍ୟନ୍ତ ପ୍ରାୟ ୨୫କିଲୋମିଟର ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଗାଁ ଗଣ୍ଡାର ଲୋକଙ୍କ ସମେତ ବିଶେଷ କରି ଚଣ୍ଡିଖୋଲ ବଜାରର ଲୋକେ ଖଣିଜ ସମ୍ପଦ ପରିବହନ ସମୟରେ ପ୍ରଦୂଷଣ ଓ ଟ୍ରାଫିକ୍ ଜାମ୍ ଦ୍ୱାରା ବେଶ୍ ପ୍ରଭାବିତ ହୋଇ ଆସିଛନ୍ତି ! ପୂର୍ବରୁ ଜିଲ୍ଲା ଖଣିଜ ପାଣ୍ଠିରୁ ଉନ୍ନୟନମୂଳକ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ କେବଳ ଖଣି ଖନନ ଓ ପରିବହନ ଦ୍ୱାରା ପ୍ରଭାବିତ ହେଉଥିବା ସୁକିନ୍ଦା ଓ ଦାନଗଦି ବ୍ଲକକୁ ଚିହ୍ନଟ କରା ଯାଇଥିଲା ! ମାତ୍ର ଏବେ ଏଇ ପାଣ୍ଠିରେ ଯାଜପୁର ଓ ଧର୍ମଶାଳା ବ୍ଳକକୁ ଇତିମଧ୍ୟରେ ଭାଗୀଦାର କରାଯାଇଛି ! ଯାଜପୁର ବ୍ଲକକୁ କେଉଁ ମାପଦଣ୍ଡରେ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ତାହା ତ ଭିନ୍ନ କଥା କିନ୍ତୁ ଧର୍ମଶାଳା ବ୍ଲକର ପ୍ରାୟ ୨୫ କିଲୋମିଟର ଅଞ୍ଚଳ ଦେଇ ଯେହେତୁ ଖଣିଜ ପରିବହନ କାରଣରୁ ପ୍ରଭାବିତ ହୋଇଥାଏ ତେଣୁ ଏହି ବ୍ଲକକୁ ଅନ୍ତର୍ଭୁକ୍ତ କରାଯିବାର ଯଥାର୍ଥତା ରହିଛି ! ମାତ୍ର ବଡ଼ଚଣା ବ୍ଲକ୍ ଅଞ୍ଚଳ ଯଦି ସେହି ଖଣିଜ ପରିବହନ ଦ୍ଵାରା ପ୍ରଭାବିତ ହୋଇ ଆସୁଥିଲେ ମଧ୍ୟ ଏହି ବ୍ଲକ୍ ଅଞ୍ଚଳରେ ଡିଏମଏଫ ଅର୍ଥ ଖର୍ଚ୍ଚ କରା ନ ଯିବା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ! ବଡ଼ଚଣା ବ୍ଲକ ଅଞ୍ଚଳ ଦେଇ ସେହି ପରିବହନ କାର୍ଯ୍ୟ ହେଉଥିବା ଯୋଗୁଁ ହିଁ ଶହ ଶହ କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ନ୍ୟାସ ଖାତାକୁ ଯାଉଛି ସତ ମାତ୍ର ସେହି ପରିବହନ ଦ୍ଵାରା ବଡ଼ଚଣା ବ୍ଲକ୍ ଅଞ୍ଚଳର ପ୍ରଭାବିତ ଲୋକଙ୍କୁ ସେହି ଅର୍ଥର କିୟଦଂଶ ସ୍ୱାଦ ଚଖେଇ ନ ଦେବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇ ଆସିଛି ! ଅନ୍ୟପକ୍ଷରେ ୨୨ମାସ ପରେ ଗତ ଜୁନ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ଖଣିଜ ପାଣ୍ଠି ନ୍ୟାସ ବୈଠକ କରୋନା ସଂକ୍ରମଣ କାରଣରୁ ବି ରଦ୍ଦ ହୋଇଯାଇଛି ! ତେବେ ତୁରନ୍ତ ଏହି ବୈଠକ ଡକାଇ ବଡ଼ଚଣା ବ୍ଲକକୁ ଖଣି ପ୍ରଭାବିତ ଅଞ୍ଚଳ ଭାବେ ବିବେଚନା କରି ଚଣ୍ଡିଖୋଲ ଓ ବାଲିଚନ୍ଦ୍ରପୁର ବଜାର ସମେତ ଏହି ବ୍ଲକ ଅଞ୍ଚଳରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ନିମନ୍ତେ ସେହି ପାଣ୍ଠିରୁ ଅର୍ଥ ବରାଦ କରିବାର ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବଡ଼ଚଣାର ବରିଷ୍ଠ ବିଜେପି ନେତା ଉଦୟନାଥ ସାହୁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଛନ୍ତି ! ଅନ୍ୟଥା ଆଗକୁ ନିଜର ହକ୍ ହାସଲ କରିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ବଡ଼ଚଣାବାସୀ ବଡ଼ଚଣା ଅଞ୍ଚଳ ମଧ୍ୟ ଦେଇ ଖଣିଜ ସମ୍ପଦ ପରିବହନକୁ ଦୃଢ଼ ଭାବେ ବିରୋଧ କରିବେ ବୋଲି ବୋଲି ଶ୍ରୀ ସାହୁ ପ୍ରଶାସନକୁ ସତର୍କ କରାଇ ଦେଇଛନ୍ତି !
ଜିଲ୍ଲା ଖଣିଜ ପାଣ୍ଠିରେ ବଡ଼ଚଣା ବ୍ଲକକୁ ଭାଗୀଦାର କରିବାକୁ ବାଡ଼ ପକାଉଛି କିଏ ?
|
July 11, 2020 |
