ଅବହେଳିତ ପୁରାତନ ପ୍ରାଚୀନ ବାଜେଣୀ ଗୁମ୍ପା; କେବେ ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା; ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି
|
June 19, 2020 |


ପୂର୍ବେ ବିଳମ୍ବିତ ରାତିରେ ବାଦ୍ୟଯନ୍ତ୍ରର ରୁଣୁଝୁଣୁ ଶଦ୍ଦ କୁଆଡେ ଏହି ଗୁମ୍ପାରେ ଶୁଣିବାକୁ ମିଳୁଥିବାରୁ ଏହି ସ୍ଥାନଟି ସ୍ଥାନୀୟ ଅଂଚଳର ଲୋକନାମରେ ବାଜେଣୀ ଗୁମ୍ପା ନାମରେ ପରିଚିତ ହୋଇଛି । କିଛି ବର୍ଷ ହେବ ଏଠାରେ ଜଣେ ବାବା ଅବସ୍ଥାନ କରି ତାହାକୁ ବାଲ୍ମିକୀ ଗୁମ୍ପା ବୋଲି ନୂତନ ଭାବେ ନାମିତ କରାଇ ଦେଇଛନ୍ତି । ବହୁ କାଳରୁ କୌଣସି ସମୟରେ ବର୍ଷା ବିଳମ୍ବିତ ହେଲେ ସ୍ଥାନୀୟ ଅଂଚଳର ଲୋକେ ସେଠାରେ ଯାଇ ପୂଜାର୍ଚ୍ଚନା ଓ ଭଜନ କୀର୍ତନ କରିଲେ ବର୍ଷା ହୁଏ ବୋଲି ବିଶ୍ୱାସ ରହିଛି । ଏପରି ବିଶ୍ୱାସ ରହିଥିବାରୁ ଗୁମ୍ପାର ମହାତ୍ମ ବଢ଼ିଯାଇଛି । ମୁଖ୍ୟ ଗୁମ୍ପା ସହିତ ତା’ ତଳକୁ ଓ ଉପରକୁ ମଧ୍ୟ ଆଉ ଦୁଇଟି ଗୁମ୍ପା ସେଠାରେ ରହିଛି । ସେଠାକୁ ଗମନାଗମନ ପାଇଁ ଭଲ ରାସ୍ତା ନାହିଁ । ପୂର୍ବରୁ କଂଟାଝଂଟାଭିତରେ ବହୁ କଷ୍ଟରେ ସେଠାକୁ ଯାଉଥିଲେ । ମାତ୍ର ଚାରି ଚକିଆ ଗାଡିରେ ଯାଇ ସେଠାରେ ପଂହଚିବାରେ ଆଉ ଏବେ କୌଣସି ଅସୁବିଧା ହେଉନାହିଁ । କାରଣ କିଛି ବର୍ଷ ପୂର୍ବେ ଜଣେ ବାବା ଆସି ସେଠାରେ ଅବସ୍ଥାନ କରି ସ୍ଥାନୀୟ ଅଂଚଳର ଲୋକମାନଙ୍କ ସହଯୋଗରେ ସେହି ପରିବେଶକୁ ଅତ୍ୟନ୍ତ ମନୋରମ କରିଦେଇଛନ୍ତି । ଇତି ମଧ୍ୟରେ ବୈଦେହୀପୁର- ବରୁଣିଆ ମୁଖ୍ୟ ରାସ୍ତାରୁ ସେଠାକୁ ଯିବା ପାଇଁ ଜଙ୍ଗଲ କାଟି ମୋରମ ରାସ୍ତାଟିଏ ନିର୍ମାଣ ସାଙ୍ଗକୁ ଗୁମ୍ପାର ପାଦଦେଶରେ ଏକ ପ୍ରଶସ୍ତ ସମତଳ ଅଂଚଳ ସୃଷ୍ଟି କରିବା ସହିତ ସେଠାରେ ଏକ ନଳକୂପ ଖନନ ଓ କିଛି ପକ୍କାଛାତ ଘର ନିର୍ମାଣ ହୋଇସାରିଛି । କେହି ବି ଚାହିଁଲେ ଯେ କୌଣସି ଋତୁରେ ସେଠାକୁ ଯାଇ କିଛି ସମୟ ବିତାଇବାରେ ଏବେ ଆଉ କୌଣସି ସମସ୍ୟା ନାହିଁ । ରାଜ୍ୟର ଅନ୍ୟ କୌଣସି ବଣଭୋଜି ପର୍ଯ୍ୟଟନସ୍ଥଳୀଠାରୁ ବି ଏହି ସ୍ଥାନଟି ଆହୁରୀ ଯେ ଅଧିକ ପ୍ରକୃଷ୍ଟ ବୋଲି ଏଠାକୁ ଆସି ଫେରିବା ପରେ ଯେ କେହି ନିଶ୍ଚୟ ସ୍ୱୀକାର କରିବେ । ଚତୃପାଶ୍ୱର୍ରେ ପ୍ରାକୃତିକ ସବୁଜିମାମୟ ପାହାଡ ଓ ଘଂଚ ଜଙ୍ଗଲ ମଧ୍ୟରେ ପରିବେଶଟି ସତରେ ଏତେ ମନୋରମ ଲାଗେ ଯେ କୌଣସି ପର୍ଯ୍ୟଟକ ଆସି ଭିଡ ଓ ଚାପ ମୁକ୍ତ ଜୀବନରୁ ନିଜକୁ ମୁକ୍ତ କରି କିଛି କ୍ଷଣ ପାଇଁ ନିଶ୍ଚୟ ଆନନ୍ଦରେ ବିଭୋର ହୋଇପଡିବ ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ । ଏମିତି ଏକ ସୁନ୍ଦର ସ୍ଥାନଟିର ବିକାଶ ପାଇଁ ସରକାରୀସ୍ତରୁ ଏଯାଏଁ ଟଙ୍କାଟିଏ ଅନୁଦାନ ହୋଇପାରି ନାହିଁ । ଏହା ଯେହେତୁ କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡା ବନାଚଂଳ ଅଧିନରେ ନଳୀଦା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି । ବନ ବିଭାଗର ବିନା ଅନୁମତିରେ କୌଣସି ବିଭାଗ ଏଠାରେ ଅଥଁ ବ୍ୟୟ ବରାଦ କରିପାରୁ ନାହାନ୍ତି । ମାତ୍ର ସେଇ ଆଇନକୁ ଜଗି ରହି ବା ସେହି ଆଳରେ ଏଭଳି ଏକ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ର ବିକାଶ ପ୍ରତି ଅହେତୁକ ଅବହେଳା କରା ନ ଯାଉ । ବରଂ ଜଙ୍ଗଲ ବିଭାଗ ଏହାକୁ ଏକ ବନ ପର୍ଯ୍ୟଟନ କ୍ଷେତ୍ର ଭାବେ ହାତକୁ ନେଇ ଏହାର ବିକାଶ କରାଇ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ । ଏହାପରେ କେହି ଯଦି ଏଠାକୁ ବଣଭୋଜି କରିବା ପାଇଁ ଆସିବେ ସେମାନଙ୍କୁ ଅନୁମତି ଦେବା ସହିତ ସେଠାକାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଉଠାଇବାକୁ ସେମାନଙ୍କଠାରୁ ସ୍ୱଳ୍ପ ଦେୟ ଅସୁଲ କରାଗଲେ ତାହାକୁ ସମସ୍ତେ ସ୍ୱୀକାର କରିବେ । କିନ୍ତୁ ଯାହାବି ହେଉ ଏହି ସ୍ଥାନଟିକୁ ଯଥୋଚିତ ନ୍ୟାୟ ଦେବାକୁ ସବୁ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି । ଏହି ଅଂଚଳ ପ୍ରତି ତୁରନ୍ତ ପର୍ଯ୍ୟଟନ ବିଭାଗ ଓ ମନ୍ତ୍ରୀ ଏହାାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି । ତେବେ ପ୍ରର୍ଯ୍ୟଟନ ବିଭାଗ ଏହା ଉପରେ ଦୃଷ୍ଟି ଦେଇ ଏହାକୁ ଏକ ସ୍ୱାତନ୍ତ୍ର ପ୍ରର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହିତ ଏହାର ବିକାଶ କରିବା ପାଇଁ ପ୍ରର୍ଯ୍ୟଟନପ୍ରେମୀଙ୍କ ପକ୍ଷରୁ ଦାବି ହୋଇଛି ।