ତାଳଚେର, ୧୨/୦୭ (ସନ୍ଧାନ ନିୟୁଜ): ତାଳଚେରରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରିବାସହ ଗ୍ୟାଙ୍ଗ ଗଠନ କରି ଖଣି ଅଂଚଳରୁ ଡିଜେଲ ଚୋରି ଏବଂ ସୁପାରୀ ନେଇ ହତ୍ୟା କରିବାକୁ ଯୋଜନା କରୁଥିବା ଏକ ୫ ଜଣ ଅପରାଧୀ ଗ୍ୟାଙ୍ଗକୁ ତାଳଚେର ପୋଲିସ ଗିରଫ କରିଛି। ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ତାଳଚେର ପୋଲିସର ଏକ ସ୍ୱତନ୍ତ୍ର ସ୍ୱାର୍ଡ଼ ଏମାନଙ୍କୁ ଅତର୍କିତ ଚଢ଼ାଉ କରି ଆଗାମୀ ଦିନରେ ହେବାକୁ ଥିବା ଏକ ବଡ଼ ଧରଣର ଗ୍ୟାଙ୍ଗ ୱାର ଘଟଣାକୁ ରୋକି ପାରିଛି ବୋଲି ପୋଲିସ କର୍ତ୍ତୃପକ୍ଷ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦିଆଯାଇଛି। ଉକ୍ତ ୫ ଜଣ ତାଳଚେରସ୍ଥିତ ଏମ୍.ସି.ଏଲ.ର ଭୂବନେଶ୍ୱରୀ କୋଇଲାଖଣି ପରିସରରେ ଥିବା ମାଇନିଂ ମେସିନରୁ ଗତ ତା୨୭/୦୬/୨୦୧୮ରିଖରେ ଖଣି କର୍ତ୍ତୃପକ୍ଷ ଏବଂ ସୁରକ୍ଷାକର୍ମୀଙ୍କୁ ପିସ୍ତଲ ଏବଂ ଭୁଜାଲି ଦେଖାଇ ବିପୁଳ ପରିମାଣରେ ଡିଜେଲ ନେଇ ଯାଇଥିଲେ। ପରଦିନ ଏ ସମ୍ପର୍କରେ ଖଣି କର୍ତ୍ତୃପକ୍ଷ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବାପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ଉକ୍ତ ଗ୍ୟାଙ୍ଗ୍ ନିୟମିତ ଭାବେ ବିଭିନ୍ନ କୋଇଲାଖଣିରୁ ଡିଜେଲ ଚୋରିରେ ଲିପ୍ତ ରହିଥିଲେ। ସେହିପରି ତାଳଚେର କୋଇଲାଖଣି ଅଂଚଳରେ ଏକାଧିକ ଚୋର ଗ୍ୟାଙ୍ଗ ରହି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିବାସହ ବିରୋଧୀ ଗ୍ୟାଙ୍ଗର ସଦସ୍ୟଙ୍କୁ ମାରିବା ପାଇଁ ମଧ୍ୟ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ। ଏହି ୫ ଜଣିଆ ଗ୍ୟାଙ୍ଗ ୫ଲକ୍ଷର ସୁପାରି ନେଇ ବିରୋଧୀ ଗ୍ୟାଙ୍ଗକୁ ମାରିବାକୁ ଯୋଜନା କରିଥିବା ସମ୍ପର୍କରେ ପୋଲିସକୁ ସୁରାକ ମିଳିବା ପରେ ବିଭିନ୍ନ ସ୍ଥାନରୁ ଚଢ଼ଉ କରାଯାଇ ସେମାନଙ୍କୁ କାବୁ କରାଯାଇଥିଲା। ପୋଲିସ ସେମାନଙ୍କ ଠାରୁ ୨ଟି ଦେଶୀ ପିସ୍ତଲ, ୨ଟି ମାଗାଜିନ୍, ୮ଟି ଜୀବନ୍ତ ଗୁଳି ଏବଂ ୩ଟି ଭୁଜାଲି, ୨ଟି ମୋଟର ସାଇକେଲ ମଧ୍ୟ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ତାଳଚେର ଥାନା ଅନ୍ତର୍ଗତ ହାଣ୍ଡିଧୂଆ ଅଂଚଳର ଅସରଫ୍ ଖାନ୍ ଙ୍କ ପୁଅ ମୁସାରଫ୍ ଖାନ୍ ଓରଫ୍ ମୋତି(୨୯), ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ାର ପ୍ରମୋଦ ପ୍ରଧାନଙ୍କ ପୁଅ ରୁଦ୍ର ନାରାୟଣ ପ୍ରଧାନ ଓରଫ୍ ଜିତୁ(୨୭), କଟକ ଦରଘା ବଜାରର ଏସ୍.କେ.ଇସାଖଙ୍କ ପୁଅ ଅବଦୁଲ ୱାହିଦ୍ ଓରଫ୍ ମୁନା(୧୯) ଏବଂ ମହମ୍ମଦ ମୁସ୍ତାକଙ୍କ ପୁଅ ମହମ୍ମଦ ଇଞ୍ଜମାମ୍ ଓରଫ ରକି ଓ ଦରଘା ବଜାର ଥାନା ଅନ୍ତର୍ଗତ କଦମ ରସୁଲ ନିବାସୀ ମହମ୍ମଦ ଚାନ୍ଦଙ୍କର ପୁଅ ମହମ୍ମଦ ଫାରୁଖ ଓରଫ ଟିକିଲି। ସେମାନଙ୍କୁ ତାଳଚେର, ଢେଙ୍କାନାଳ ଓ କଟକ ଦରଘା ବଜାରରେ ଚଢ଼ଉ କରାଯାଇ ଗିରଫ କରାଯାଇଛି। ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଅନୁଗୋଳ ସ୍ଥିତ ଏକ ଆରିଓ ବିଅର ବାର ପଛ ପାଖେ ପୋତି ରଖିଥିଲେ। ଏତଦ୍ ବ୍ୟତୀତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆଡ଼ିସନାଲ ଏସପି ସନ୍ତୋଷ କୁମାର ମିଶ୍ର, ତାଳଚେର ଏସଡିପିଓ ହେମନ୍ତ କୁମାର ପଣ୍ଡା, ସଦର ଆଇଆଇସି ସୈାଭାଗ୍ୟ କୁମାର ସ୍ୱାଇଁ, ଏଏସଆଇ ରୁଦ୍ର ଚରଣ ବିଶ୍ୱାଳ, ଏସ୍.ଆଇ ବନାନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।