ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନ ମେ ୨୧ରେ

Spread the love

ନୂଆଦିଲ୍ଲୀ, ୦୧/୦୫ (ସନ୍ଧାନ ନିଉଜ) :  ମେ 26 ତାରିଖ ପୂର୍ବରୁ ମହାରାଷ୍ଟ୍ର ବିଧାନ ପରିଷଦ୍‌ର ଭୋଟ୍ କରିବାକୁ ଆଜି ଭାରତୀୟ ନିର୍ବାଚନ କମିସନ୍ ସ୍ଥିର କରିଛନ୍ତି। ରାଜ୍ୟରେ ରାଜନୈତିକ ଅସ୍ଥିରତାର ଅବସାନ ଘଟାଇବାକୁ ନଅଟି ଆସନର ବିଧାନ ପରିଷଦ୍‌ର ନିର୍ବାଚନ କରାଇବାକୁ ମହାରାଷ୍ଟ୍ରର ରାଜ୍ୟପାଳ ବିଏସ୍ କୋଷିୟାରି ଭାରତର ନିର୍ବାଚନ କମିସନ୍‌ଙ୍କୁ ଅନୁରୋଧ କରିଥିଲେ।

ଏ ନେଇ ନିର୍ବାଚନ ଆୟୋଗ ତାରିଖ ଧର୍ଯ୍ୟ କରିଛନ୍ତି। ମେ 4 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ, 11 ମେ ରେ ନାମାଙ୍କନ ପତ୍ର ଦାଖଲ କରିବେ। 12 ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ। ପାର୍ଥିପତ୍ର ପ୍ରତ୍ୟହାର କରିବାର ଶେଷ ତାରିଖ ମେ 14 ତାରିଖ  ।

ସେହିପରି ନିର୍ବାଚନ 21 ମେ ରେ ଅନୁଷ୍ଠିତ ହେବ। ସକାଳ 9 ଟାରୁ 4 ମଧ୍ୟରେ ମତଦାନ ହେବ। ସେହିଦିନ ସନ୍ଧ୍ୟା 5 ଟାରେ ଭୋଟ ଗଣତି କରାଯିବ। 26 ତାରିଖରେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ।

ଲକ୍‌ଡାଉନ୍‌ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ଅଟକି ରହିଯାଇଥିବା ମୁଖ୍ୟ ନିର୍ବାଚନ କମିସନର୍ ସୁନୀଲ ଅରୋରା ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ଅନୁଷ୍ଠିତ ଏ ସଂକ୍ରାନ୍ତ ବୈଠକରେ ଯୋଗ ଦେଇଥିଲେ।

ନଭେମ୍ବର ୨୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ ଠାକ୍‌ରେ ରାଜ୍ୟ ବିଧାନ ପରିଷଦ୍‌ର ସଦସ୍ୟ ନ ଥିଲେ। ସମ୍ବିଧାନର ବ୍ୟବସ୍ଥା ଅନୁସାରେ, ସେ ଛଅ ମାସ ମଧ୍ୟରେ ରାଜ୍ୟ ବିଧାନ ପରିଷଦ୍‌କୁ ନିର୍ବାଚିତ ହେବା କଥା। ମେ ୨୭ ତାରିଖ ଦିନ ଛଅ ମାସ ପୂରିବାକୁ ଯାଉଛି।

ଏପ୍ରିଲ୍ ୨୪ରେ ନଅ ଜଣ ସଦସ୍ୟଙ୍କର କାର୍ଯ୍ୟକାଳ ସରିଥିବାରୁ ଠାକ୍‌ରେ ନିର୍ବାଚ‌ନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯୋଜନା କରିଛନ୍ତି। ବିଧାନ ପରିଷଦର  ନଅଟି ସିଟ୍‌ରେ 24 ଏପ୍ରିଲ 2020ରୁ ଖାଲି ପଡିଥିଲା। ECI 03 ଏପ୍ରିଲ COVID-19 ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ସ୍ଥଗିତ ରଖିବାକୁ ଧାରା 324 ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି କରିଥିଲେ ।

ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କୁ 30 ଏପ୍ରିଲ, 2020 ତାରିଖ ଦିନ ନିର୍ବାଚନ ଆୟୋଗ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ମହାମାରୀ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ଦୃଷ୍ଟିରେ ରଖି ନିର୍ବାଚନ କରିବାକୁ କୁହାଯାଇଛି ବୋଲି ଆୟୋଗ କହିଛନ୍ତି।

ରାଜ୍ୟ ସରକାର ଆୟୋଗକୁ ଆଶ୍ୱାସନା ଦେଇଛନ୍ତି ଯେ ଉକ୍ତ ନିର୍ବାଚନରେ ସାମାଜିକ ଦୂରତା ରକ୍ଷା ପାଇଁ ଦକ୍ଷ ଅଧିକାରୀଙ୍କୁ ଦାଇତ୍ୱ ଦିଆଯିବ।

ଏହି ନିର୍ବାଚନ ପାଇଁ ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି। ଆସନ୍ତା ସପ୍ତାହରେ ଅନ୍ୟ ସ୍ଥଗିତ ନିର୍ବାଚନର ସମୀକ୍ଷା କରିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି।

Related Posts

About The Author

Add Comment