ଭୁବନେଶ୍ୱର ୨୧/୦୪ (ସନ୍ଧାନ ନିଉଜ) କରୋନା ଭୂତାଣୁ ସଂକ୍ରମଣ ଦିଗରେ ଆଗକୁ ଆହୁରୀ ଖରାପ ସମୟ ଦେଇ ଗତି କରିବାକୁ ପଡିପାରେ । ଏପରି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ଚେତାବନୀ । କରୋନା ଭୂତାଣୁକୁ ନେଇ ବିଶ୍ୱ ଅତ୍ୟନ୍ତ ଖରାପ ସମୟ ଦେଖିବ ବୋଲି ଚେତାଇ ଦେଇଛନ୍ତି ଡବ୍ଲୁଏଚଓ ମୁଖ୍ୟ ଟେଡରସ ।
କେତେକ ଦେଶରେ ଲକଡାଉନ କଟକଣା କୋହଳ କରାଯାଇଥିବା ବେଳେ ଏପରି ସମୟରେ ପୁଣି ସଂକ୍ରମଣକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାହିଁକି ଏପରି ଆକଳନ କରିଛି ଏନେଇ କୌଣସି ଅଧିକ ସୂଚନା ଦିଆଯାଇନାହିଁ । ସାରା ବିଶ୍ୱରେ ୨୫ଲକ୍ଷ ଲୋକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୧ଲକ୍ଷ ୭୦ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।କରୋନା ମହାମାରୀକୁ ନେଇ ୧୯୧୮ରେ ହୋଇଥିବା ସ୍ପାନିସ ଫ୍ଲୁର ଉଦାହରଣ ଦେଇଛନ୍ତି ଡବ୍ଲୁଏଚଓ ମହାନିର୍ଦ୍ଦେଶକ । ସ୍ପାନିସ ଫ୍ଲୁ ପରି ଘାତକ ହେଉଛି କରୋନା । ଏବଂ ସ୍ପାନିସ ଫ୍ଲୁରେ ୧୦କୋଟି ଲୋକଙ୍କ ଜୀବନ ଯାଇଥିବା କହିଛନ୍ତି ଡବ୍ଲୁଏଚଓ ମହାନିର୍ଦ୍ଦେଶକ । କୁହାଯାଉଛି ଆଫ୍ରିକାରେ ଆଗାମୀ ଦିନରେ ଏହି ସଙ୍କଟ ବଢିବ ଯେଉଁଠି ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଦୁର୍ବଳ ରହିଛି ।