ଭୁବନେଶ୍ୱର, ୩୦ /୦୩ (ସନ୍ଧାନ ନିୟୁଜ) କରୋନା ପାଇଁ ରାଜ୍ୟର ୮୭ଟି ଜେଲରେ ଥିବା ବନ୍ଦୀଙ୍କ ସଂଖ୍ୟା ହ୍ରାସ କରାଯିବ। ପ୍ରାୟ ୧୭ଶହ ବିଚାରାଧୀନ ବନ୍ଦୀଙ୍କ ସମେତ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ଅନ୍ତରୀଣ ଜାମିନ ବା ପାରୋଲରେ ମୁକ୍ତ କରାଯିବ। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଜେଲରେ ବନ୍ଦୀଙ୍କ ପ୍ରସଂଗକୁ ନେଇ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ (ହାଇ ପାୱାର୍ଡ୍) କମିଟି ବୈଠକ ହୋଇଛି। ଏଥିରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଓ ଜାରି କରାଯାଇଥିବା ନିୟମାବଳୀ ଆଧାରରେ ଜେଲରୁ ବନ୍ଦୀଙ୍କୁ ମୁକ୍ତ କରାଯିବ। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ଓ ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ।
ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ବା ତା’ଠାରୁ କମ୍ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ଥିବା ବନ୍ଦୀଙ୍କୁ ପାରୋଲରେ ମୁକ୍ତ କରାଯିବ। ଏପରିକି ବନ୍ଦୀଙ୍କୁ ଜେଲ ଓ ଜରିମାନା ଦଣ୍ଡ ମିଳିଥିଲେ ମଧ୍ୟ ଜେଲରୁ ଛଡ଼ାଯିବ। ୭ ବର୍ଷ ବା ତା’ଠାରୁ କମ୍ ଜେଲ ଦଣ୍ଡରେ ଦଣ୍ଡିତଙ୍କ ବିରୋଧରେ ଯଦି ଗୋଟିଏ ବା ଅଧିକ ବିଚାରାଧୀନ ମାମଲା ରହିଥିଲେ ମଧ୍ୟ ତାଙ୍କୁ ପାରୋଲ ମିଳିବ। ଏ କ୍ଷେତ୍ରରେ ବନ୍ଦୀ ଜଣକ ଶେଷ ପାରୋଲ ଶାନ୍ତିପୂର୍ଣ୍ଣ ଭାବେ ଉପଲବ୍ଧ କରିବା ସହିତ ବିଚାରାଧୀନ ମାମଲାରେ ଜାମିନରେ ଥିବା ଆବଶ୍ୟକ। ଯେଉଁ କଏଦୀମାନେ ପୂର୍ବରୁ ପାରୋଲ ବା ଫର୍ଲଗରେ ଥିବେ ସେମାନଙ୍କ ପାଇଁ ସ୍ଵତନ୍ତ୍ର ପାରୋଲ ଅବଧି ସଂପ୍ରସାରିତ କରାଯିବ। ୬୫ ବର୍ଷ ବୟସରୁ ଅଧିକ ବୟସ୍କ ସମସ୍ତ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ସ୍ଵତନ୍ତ୍ର ପାରୋଲ ପ୍ରଦାନ କରାଯାଇ ପାରିବ। କିନ୍ତୁ ସଂଖ୍ୟାଧିକ ମାମଲାରେ ସଂପୃକ୍ତ, ଏନଡିପିଏସ୍ ଆଇନ, ପୋକ୍ସୋ ଆଇନରେ, ଦୁଷ୍କର୍ମ, ଯୌନ ନିର୍ଯାତନା, ଏସିଡ ଆକ୍ରମଣ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ କିମ୍ବା ବିଦେଶୀ ନାଗରିକଙ୍କ ଭଳି ବୟସ୍କ ବନ୍ଦୀଙ୍କ କ୍ଷେତ୍ରରେ ଏ ସୁବିଧା ଲାଗୁ ହେବ ନାହିଁ। ଉପରୋକ୍ତ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ପୋକ୍ସୋ ଆଇନ ସଂପର୍କିତ ମାମଲା, ଏସିଡ ଆକ୍ରମଣ, ଦୁଷ୍କର୍ମ, ଯୌନ ନିର୍ଯାତନା, ଦଙ୍ଗା ବା ଦେଶବିରୋଧୀ ଅପରାଧରେ ସଂପୃକ୍ତ, ଜାଲ ନୋଟ୍ ସଂପର୍କିତ ଅପରାଧ, ପିଲା ଅପହରଣ, ଅର୍ଥନୈତିକ ଓ ବାଣିଜ୍ୟ ସଂପର୍କିତ ଅପରାଧ, ଏନଡିପିଏସ୍ ଆଇନ ସଂପର୍କିତ ମାମଲାରେ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କ ପ୍ରସଂଗ ବିଚାରକୁ ନିଆଯାଇ ନପାରେ। ଯଦି ଜଣେ ବନ୍ଦୀଙ୍କ ବୟସ ୭୦ ବର୍ଷ ବା ଅଧିକ ଓ କରୋନା ସଂକ୍ରମଣ ଆଶଙ୍କା ରହିଥାଏ ତେବେ ତାଙ୍କୁ ପାରୋଲରେ ଛାଡିବା ପାଇଁ କର୍ତ୍ତୃପକ୍ଷ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ।