କଳାହାଣ୍ଡି: ବାର୍ସିକୋଣାଗାଁରେ ସରକାରୀ ଯୋଜନା ବାଟବଣା

Spread the love

କଳାହାଣ୍ଡି, ୪/୭ (ସନ୍ଧାନ ନିୟୁଜ): କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକର ବହୁ ଗାଁରେ ସରକାରୀ ଯୋଜନା ବାଟବଣା ହୋଇଛି। ଏବେ ମଧ୍ୟ ଅଞ୍ଚଳର ଆଦିବାସୀମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ସୁବିଧା ଅପହଞ୍ଚ ହୋଇଛି। ଏହିଭଳି ଏକ ଗାଁ ହେଉଛି ବାର୍ସିକୋଣା। ବାର୍ସିକୋଣା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତର ବାର୍ସିକୋଣା ଗ୍ରାମ ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନାହିଁ। ଏହି ଗାଁରେ ୨୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ବାଉଁଶରୁ କୁଲା, ଟୋପା, ପରଲି, ଚାଲ ତିଆରି କରି ଏମାନେ ବିକ୍ରି କରିଥାନ୍ତି। ସେହିଭଳି ମାଣ୍ଡିଆ, ବାଜରା, କାନ୍ଦୁଳ, କନ୍ଦମୂଳ କେନ୍ଦୁ, ଚାହାର, ମହୁଲ, ଟୋଲ ତଥା ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ରାସ୍ତା ନଥିବା ଯୋଗୁଁ କୌଣସି ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ରୋଗ ହେଲେ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରିପାରନ୍ତି ନାହିଁ। ରୋଗୀଙ୍କୁ ଭାରରେ ବୋହି ନେଇଥାନ୍ତି।

ଥୁଆମୂଳ ରାମପୁର ଡାକ୍ତରଖାନାକୁ ଯିବାକୁ ହେଲେ ଜଙ୍ଗଲି ପାହାଡ଼ ରାସ୍ତା ଦେଇ ପ୍ରାୟ ୩୫ କିଲୋମିଟର ଅତିକ୍ରମ କରିବାକୁ ପଡ଼ିଥାଏ। ଫଳରେ ଗାଁର ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି। ଏମାନେ ଚକିତ୍ସା ସେବା ପାଇଁ ଜୁନାଗଡ଼ ବ୍ଲକର ଚିଲଗୁଡ଼ା ଓ ଦାସିଗାଁ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ପରିତାପର ବିଷୟ କିଛି ଗ୍ରାମବାସୀ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମଧ୍ୟ ଦେଖିନଥିବା ପ୍ରକାଶ କରିଛନ୍ତି। ଏହି ଗ୍ରାମବାସୀ ବିଶେଷତଃ କ୍ୱାକ୍‌ ଭରସାରେ ହିଁ ସ୍ୱାସ୍ଥ୍ୟସେବା ପାଇଥାନ୍ତି। ଗାଁରେ ଆଶା କର୍ମୀ ନଥିବାରୁ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ସ୍ୱାସ୍ଥ୍ୟସେବା କଥା ଭଗବାନ ଭରସାରେ ଛାଡ଼ି ଦିଆଯାଇଥାଏ। ଅଙ୍ଗନୱାଡ଼ି କର୍ମୀ ନଥିବାରୁ ଗର୍ଭବତୀ, ପ୍ରସୂତି, କିଶୋରୀ ଓ ଶିଶୁମାନେ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହୋଇଥାନ୍ତି। ଫଳରେ ଏହି ଗାଁର ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ସଚେତନତାର ଅଭାବ ଯୋଗୁଁ ଗ୍ରାମବାସୀ ଗୁଣିଗାରେଡ଼ିରେ ବିଶ୍ୱାସ ରଖୁଥିବା ଜଣାପଡ଼ିଛି। ଗାଁରେ ଗୋଟିଏ କୂଅକୁ ନଳକୂଅ ତିଆରି କରିଥିବା ବେଳେ ତାହା ମଧ୍ୟ ଅଚଳ ହୋଇଯାଇଛି। ଫଳରେ ଝରଣା ପାଣି ହିଁ ଏମାନଙ୍କ ଜୀବନ ବଞ୍ଚାଇଛି। ଗାଁର ବିଦ୍ୟାଳୟ ମଧ୍ୟ ଦୟନୀୟ ଅବସ୍ଥାରେ ପଡ଼ି ରହିଛି। ସ୍କୁଲରେ ଶୌଚାଳୟ ନାହିଁ କି ନଳକୂଅ ନାହିଁ। ବର୍ଷ ବର୍ଷ ଧରି ଝରଣା ପାଣିରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ସହିତ ଏହି ପାଣିକୁ ପିଇବା, ଗାଧୋଇବା ସବୁଥିରେ ବ୍ୟବହାର କରିଥାନ୍ତି। ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବା ପାଇଁ ୩୫ କିମି ଥୁଆମୂଳ ରାମପୁର ବ୍ଲକକୁ ଯାଇଥାନ୍ତି। ଦୁର୍ଗମ ଅଞ୍ଚଳ ହୋଇଥିବା ହେତୁ କୌଣସି ସରକାରୀ କେବେ ମଧ୍ୟ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାଜନେତାମାନେ ନିର୍ବାଚନ ସମୟରେ ଭୋଟ ମାଗିବା ପାଇଁ ଆସି ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ପରେ ଆଉ କେବେ ଦେଖା ଦିଅନ୍ତି ନାହିଁ। ଅନେକ ଥର ବିଧାୟକ, ସାଂସଦ ଠାରୁ ଆରମ୍ଭ କରି ବିଡିଓ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କଲେ ମଧ୍ୟ କେହି ଏମାନଙ୍କ କଥାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜି ବି ବିକାଶ ଦେଖି ପାରୁନାହାନ୍ତି ବାର୍ସିକୋଣା ଗ୍ରାମବାସୀ। ଏହି ଆଖପାଖ ଅଞ୍ଚଳର ଗ୍ରାମବାସୀମାନଙ୍କୁ ନିକଟସ୍ଥ ଜୁନାଗଡ଼ ବ୍ଲକରେ ସାମିଲ କଲେ ସରକାରଙ୍କ ମୌଳିକ ସୁବିଧା ପାଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି।

Report- Asish From Bhawanipatana

Related Posts

About The Author

Add Comment