-ଡ. ଚନ୍ଦ୍ରକଳା ନାୟକ-
“ମା ତୁ ରହିଲେ ଆଜି ମୁଁ ଖୁସି ହେବି ।” ମାତ୍ର ଦୁଇ ବରଷର କୁନିପୁଅର ଦୁଇପଦ କଥା ମାମୀ ମନରେ ସୃଷ୍ଟି କରିଥିଲା ଅନେକ ଅସମାହିତ ପ୍ରଶ୍ନ । ନିଜେ ଉତ୍ତର ପାଉନଥିବା ମାମୀ କଣ ବା ଉତ୍ତର ଦେବ । ଅଧ୍ୟାପିକା ଭାବେ କର୍ମଜୀବି ମହିଳା ଜୀବନ ବିତାଉଥିବା ମାମୀ ଏବେ ଜୀବନର ଦୋଛକିରେ ଠିଆ । ଏକବିଂଶ ଶତାବ୍ଦୀର ନିର୍ମଳ ସକାଳ ବି ମାମୀ ପାଇଁ କଳାଅନ୍ଧାର ପରି ପ୍ରତିଭାତ । ହଠାତ ବସ ହର୍ଣ୍ଣର ଶବ୍ଦ… । ସବୁ ଅପୂର୍ଣ୍ଣତାରେ ଭଟ୍ଟା ପକାଇଲା । ଏବେ ପାଇଁ ପାରିବାରିକ ଜଞ୍ଜାଳ ଓ ପ୍ରେମକୁ ପଛକୁ ପକାଇ ଆଗକୁ ଯିବା ପାଇଁ ସତର୍କ କରାଉଥିଲା । କର୍ମସଂସ୍ଥାନରେ କଣ ଗୋଟେ ଛାଡି ଆସିଲା ପରି ମନେ ହେଉଥିଲା । ତା ଥିଲା କୁନିପୁଅର ସେଇ ଦୁଇପଦ କଥା । କଲେଜରେ ସମସ୍ତ ସହଯୋଗୀଙ୍କ ପ୍ରଶ୍ନ- ମାମୀ କଣ ହୋଇଛି? ଆଜି କଣ ଏତେ ଅନ୍ୟମନସ୍କ । ଦରଦୀ ହୃଦୟ କୋଣରୁ ଏକ ଅଦେଖା ଯନ୍ତ୍ରଣା । ଜୀବନଟା କେତେ ଜଟିଳ, ଯନ୍ତ୍ରଣାଶିକ୍ତ ଏବଂ କଠୋର । ସବୁଥାଇ ଯେମିତି କିଛି ବି ନାହିଁ । ଆଉ ଆଗଭଳି ଭିତରୁ ହସି ହେଉନି । ଯେମିତି କୁତ୍ରିମ, ଧୂଆଁଳିଆ ହସ ହସିବାକୁ ପଡୁଛି । ନା ଅଛି ସ୍ନେହ, ନା ସରସତା ।
ମାମୀର ମନେପଡେ, ତାର ପୁରୁଣା ସ୍ମୃତି ଗୁଡାକ । ବାପାର ଚାରିଜଣ ଝିଅଙ୍କ ଭିତରେ ସେ ସବା ସାନ । ଭାରି ଗେହ୍ଲା । ବାପା ତାର ଆଦର କରନ୍ତି, ମା ମିଠା କଥା କହି ସବୁ ଭୁଲାଇ ଦିଏ । ପାଠ ପଢି ଅଧ୍ୟାପନା ପରି ଏକ ସମ୍ମାନ ଜନକ ବୃତ୍ତିକୁ ଆପଣେଇଲା । ଭଲ ଘର, ମନ ବୁଝୁଥିବା ଭଳି ବର, ସ୍ନେହ ଦେବାଭଳି ପରିବାର ସବୁକିଛି ମିଳିଲା । ତିନିବର୍ଷ ବ୍ୟବଧାନରେ କନ୍ୟାଟିଏ ଜନ୍ମନେଲା । ମାତୃତ୍ୱର ପ୍ରଥମ ସ୍ପର୍ଶର ଅନୁଭବରେ ସତେ ଯେମିତି ପୃଥିବୀ ସ୍ୱର୍ଗ ପରି ଲାଗିଲା । ସମୟ ଚାହୁଁଥିଲା, ଝିଅଟି ଇଂରାଜୀ ମାଧ୍ୟମ ସ୍କୁଲରେ ପାଠପଢୁ । ଯେମିତି ସେ ନିଜେ ଓଡିଆ ମାଧ୍ୟମରେ ପଢି ମଣିଷ ହୋଇନି । ତଥାପି ପରିବର୍ତ୍ତିତ ସମୟ ଚକ୍ରରେ ମାମୀକୁ ଏକ ଯୌଥ ପରିବାରରୁ ବାହାରି ଝିଅର ଭବିଷ୍ୟତ ପାଇଁ ଅଲଗା ସ୍ଥାନରେ ଏକାକୀ ନିଜ ପରିବାର ଭିତରେ ରହିବାକୁ ପଡିଲା ।
ଏଥିପାଇଁ ନୀଳ ସବୁଜିମାର ବଳୟ ଭିତରେ ବେଳେବେଳେ ନିସଙ୍ଗ ଜୀବନ ବିତାଇବାକୁ ପଡିଲା । ଭୟ ଓ ସଙ୍କୋଚ ଭିତରେ ନିଜର ଏକ ପରିବେଶ ସୃଷ୍ଟି କଲା । ଝିଅଟି ପାଠପଢି ଯୋଗ୍ୟା ହେବ, ସେଥିପାଇଁ ସବୁ ଭୁଲି ସେ ସ୍ଥାନକୁ ନିଜର କଲା । ହଠାତ ଦିନେ ସେ ପୁଣି ୧୦ ବର୍ଷର ବ୍ୟବଧାନ ପରେ ଆଉ ଏକ ମାତୃତ୍ୱ ନିଜ ଗର୍ଭ ଭିତରେ ଅନୁଭବ କଲା । ନାରୀଟିଏ ସନ୍ତାନ ପ୍ରସବା ହେବାର ଆନନ୍ଦ କେବଳ ନିଜେ ହିଁ ବୁଝିଥାଏ । ମନରେ ଦ୍ୱନ୍ଦ ବି ଜାତ ହେଲା…. ଗର୍ଭରେ କନ୍ୟା ନା ପୁତ୍ର ? ଜଗନ୍ନାଥ ମହାପ୍ରଭୂ, ମା ଚଣ୍ଡୀଙ୍କ ଉପରେ ପୂର୍ଣ୍ଣ ଭରସା, ସ୍ୱାମୀଙ୍କର ବି ପୂର୍ଣ୍ଣ ଭରସା ନିଶ୍ଚୟ ପୁରା ହେବ । ପୁଅଟିଏ ହେବ । ତାହା ହିଁ ହେଲା । ପ୍ରଭୂ ବି ତାଙ୍କ ଉପରେ ପୂର୍ଣ୍ଣ ଭରସାର ମର୍ଯ୍ୟାଦା ରକ୍ଷା କଲେ । ମାମୀ ପୁତ୍ର ସନ୍ତାନର ଜନନୀ ହୋଇ ସତେ ଯେମିତି ବଞ୍ଚôଗଲା, ପୁର୍ନଜୀବନ ପାଇଗଲା । ଏମିତି ବି ପୁଅଟିଏ ପାଇଁ ତା ଉପରେ କୌଣସି ଚାପ ନଥିଲା । କେବଳ ଆଶା ଥିଲା । ପୁଅର ଆଖି ଦୁଇଟି ସତେ ଯେମିତି ଆକାଶର ଇନ୍ଦ୍ରନୀଳ । କୁନି କୁନି ପାଦ ଦୁଇଟି ଯେମିତି, ମାଧବଙ୍କ ପାଦ । ତାର ଚାହାଣୀରେ ମାତୃତ୍ୱ ପରିପୂର୍ଣ୍ଣ ହୋଇ ଯାଉଥିଲା । ତାର ଖିଲି ଖିଲି ହସ, ତାକୁ ଅନୁଭବ କରିବାର ଶିହରଣ ନିକଟରେ, ମା; ର ସବୁ ଶାନ୍ତି, ସାମର୍ଥ୍ୟ ଯେମିତି ନିସ୍ତବ୍ଧ ।
ମାଡାମ୍ କଣ ଘରେ ଝଗଡା ହୋଇଛି କି? ଜଣେ କର୍ମଚାରୀଙ୍କ ଧାଡିକିଆ ପ୍ରଶ୍ନରେ ମାମୀ ଭାବନାରୁ ଦୁରେଇ ଯାଇଥିଲା ପୁଅର ଅନୁଭବ ଓ ଅନୁଭୂତି । ପୁଣି କର୍ମଚାରୀ ଜଣକ କହି ଚାଲିଲେ- ମାଡାମ ସାର ଡାକୁଛନ୍ତି । ଅନ୍ୟମନସ୍କ ମନକୁ ସଜାଡି ମାମୀ ସାର ତଥା କଲେଜ ଅଧ୍ୟକ୍ଷଙ୍କ ପାଖରେ ପହଞ୍ଚôଲା । ସେଠାରେ ଯାହା ଘଟିଲା, ତାହା ଥିଲା ସ୍ୱାଭାବିକ ଠାରୁ ବ୍ୟତିକ୍ରମ । ଅଧ୍ୟକ୍ଷଙ୍କ ତାଗିଦ୍ ; ଆଉ ଆପଣ ଶିଘ୍ର ଯିବା କଥା ଚିନ୍ତା କରନ୍ତୁନି । ଏହା ମୋର ଆଦେଶ ଏବଂ ଅନୁରୋଧ ।
ମାମୀ କଲେଜର ସବୁଠାରୁ ଅଧିକ କର୍ମତତ୍ପର ଓ ନିଷ୍ଠାପର ଅଧ୍ୟାପିକା । ସବୁଠାରୁ ଅଧିକ କ୍ଲାସ ନେଉଥିବା ଖୁବ ଭଲ ପାଠ ପଢାଉଥିବା ଅଧ୍ୟାପିକା ମଧ୍ୟ । ସେଥିପାଇଁ ଛାତ୍ର ଛାତ୍ରୀ ମହଲରେ ଯଥେଷ୍ଟ ଗ୍ରହଣୀୟ ଓ ସମ୍ମାନୀୟ । କଲେଜରେ ରହିବା ସମୟରେ ସବୁତକ ସମୟ କେବଳ ପାଠପଢା ଏବଂ କଲେଜ କାମରେ ଦେଇ ମାମୀ ଟିକେ ଶିଘ୍ର ଘରକୁ ଫେରିଥାଏ । ହେଲେ ସବୁ ନିଷ୍ଠାର ଶେଷରେ ଭାଗଶେଷ ଏମିତି ମିଳିବ ବୋଲି ସେ ଭାବି ନଥିଲା । ଆଜି ଆଉ ରାସ୍ତାରେ ଯାଉଥିବା ବସର ହର୍ଣ୍ଣ ଶବ୍ଦକୁ ନେଇ ତାର ତତ୍ପରତା ନାହିଁ । ସିକ୍ତ ମନର କୋଣରେ ଅତୃପ୍ତ ଭାବନା, ଯାର ନା ଆଦି ନା ଅନ୍ତ । ଘରେ ପହଞ୍ଚô ଦର୍ପଣରେ ମୁହଁ ଦେଖିଲା ପରେ ମାମୀ ନଜ ପାଇଁ ଦଃୁଖରେ ଭାଙ୍ଗି ପଡୁଥିଲା । କୋଉ ବିବାହିିତା ନାରୀ ନଚାହେଁ, ସନ୍ତାନ ଜନ୍ମ କଲାପରେ ବି ଅନ୍ତତ ତାର ସ୍ୱାମୀ ପାଇଁ ନିଜର ସ୍ୱାସ୍ଥ୍ୟକୁ ଧରି ରଖିବାକୁ ପଡେ । ଅନେକ ସମୟରେ ସ୍ୱାଭାବିକ ଜୀବନ ବି ଗୋଟିଏ ନାରୀ ପାଇଁ ଅନେକ ଯନ୍ତ୍ରଣାମୟ । ଦୁଇଟି ସନ୍ତାନର ଜନନୀ ହେଲାପରେ ଦୌଡାଦୌଡିରୁ ନିଜକୁ ଅବ୍ୟାହତି ଦେବି ବୋଲି ମାମୀ ଅନେକ ଥର ଭାବିଛି । ତାହା ସମ୍ବବ ହୋଇନାହିଁ । ମାଆର ସେହି ସ୍ନେହଭରା ଆଖି ଦିଟାରେ ସେ ଆଉ ତାର ସନ୍ତାନକୁ ଅନେଇ ପାରୁନି । ଯନ୍ତ୍ରଣାରେ ଜର୍ଜରିତ ହୋଇ ସାରା ମନ ଓ ହୃଦୟ ଯେମିତି କ୍ଷତାକ୍ତ ହୋଇ ପଡୁଛି । କର୍ମମୟ ଜୀବନରେ ମାତୃତ୍ୱ ବି ବନ୍ଧା ପଡି ଯାଉଛି । ଦୁଇ ବର୍ଷର ଶିଶୁର ନିଷ୍ପାପ ହୃଦୟର ପ୍ରଶ୍ନ ଓ ତାର ଉତ୍ତର ସେ ଖୋଜିପାଉନି । ମାର ମନଟା ଶୁଷ୍କ ହୋଇ ପଡୁଛି । ଧାରା ଶ୍ରାବଣ ପରି ଅବାରିତ ଝରୁଥିବା ସ୍ନେହର ଝରଣା ବାଟ ହୁଡି ଯାଉଛି । ରାତ୍ରିର ଅଧା ପ୍ରହରରେ ଆଖି ଛଳଛଳ ଲୋତକ ଭରା ନୟନରେ ତାର ପିଲାର ମୁହଁକୁ ସେ ଟିକେ ଠିକରେ ଦେଖିବାକୁ ଚେଷ୍ଟାକରେ । ତାର ହୃଦୟକୁ ପରଖିବାକୁ ଚାହେଁ । କି ଚାକିରୀ କଲି ନିଜକୁ ପ୍ରଶ୍ନ କରେ । ମୁଁ କଣ ସନ୍ତୁଷ୍ଟ ଏଇ ଦୋଛକିରେ । ଭଲ ପରିବାର ପାଇ ମୁଁ କଣ ମୋ ପିଲାଙ୍କ ସହିତ ଉଚିତ ନ୍ୟାୟ କରିପାରିଛି । ମାମୀ ଯେମିତି ଆଜି ନିଜ ପାଇଁ ନିଜେ ଗୋଟିଏ ବଡ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ଏକବିଂଶ ଶତାବ୍ଦୀରେ ନାରୀଟିଏ ନିଜ ପାଖରେ କେତେ ଅସହାୟ । ଦୁହିତା ଶବ୍ଦର ମର୍ଯ୍ୟାଦା ରକ୍ଷା କରିପାରୁନି । ଯିଏ ନିଜ ପିଲାଙ୍କୁ ଟିକେ ସ୍ନେହ ଦେଇପାରୁନି, ସେ ସଂସାର ଓ ବନ୍ଧୁତା କଥା କଣ ଚିନ୍ତା କରିବ । ହଠାତ ସ୍ୱାମୀଙ୍କର ପ୍ରଶ୍ନରେ ସେ ଇତସ୍ତତ ହେଲା । ଆରେ ରାତ୍ରୀର ଦିପ୍ର୍ରହରରେ ତମେ କଣ ଦେଖୁଛ? ତା ଭିତରେ ମାତୃତ୍ୱ ବିଳପି ଉଠିଛି ବୋଲି ବୁଝିଥିବା ସ୍ୱାମୀ ଅନେକ ସାନ୍ତ୍ୱନା ପରେ ବି ମା ମନ ବୁଝି ନଥିଲା ।
ସକାଳୁ ରାତ୍ରୀ ପର୍ଯ୍ୟନ୍ତ କର୍ମସ୍ଥାନରେ ରହିବା ପରେ ଠିକରେ ପିଲାଟିଏ ସ୍ନେହଶ୍ରଦ୍ଧାରୁ ବଂଚିତ ହେଲେ, ଭବିଷ୍ୟତରେ କିପରି ମଣିଷ ପରି ମଣିଷଟିଏ ହେବ । ସରକାରଙ୍କ ବିଧି ବ୍ୟବସ୍ଥାରେ ପୁରୀର ଭିକାରୀଙ୍କ ପାଇଁ କିମ୍ବା କାର୍ତ୍ତି ମ ମାସର ହବିଷ୍ୟାଳୀଙ୍କ ପାଇଁ ଯୋଜନା ଥିବା ବେଳେ ମାତୃତ୍ୱ ଏବଂ କୋମଳମତୀ ଶିଶୁ କିପରି ବଂଚିତ ହେଲାପରି ଲାଗୁଥିଲା । ସଂସାରର ଆଗାମୀ ଭବିଷ୍ୟତ କଣ ବା ମାନବୀୟ ଗୁଣ ଲାଭ କରିବ । ମରୁଭୂମିର ମରୀଚିକା ପରି ଆଶା ସବୁ ଦୂରକୁ ଠେଲି ହୋଇ ଯାଉଥିଲା । ତଥାପି ମଣିଷକୁ ବଂଚିବାକୁ ହେବ । ତାର ନିଷ୍ପାପ ହୃଦୟକୁ ଯୋଡିବାକୁ ହେବ । ଭୀଷଣ ବ୍ୟସ୍ତ ବି ଲାଗୁଛି । ପ୍ରତି ମୁହୁତ୍ତରେ ମାମୀ ଯେମିତି ଅସହିଷ୍ଣୁ ହୋଇ ପଡୁଥିଲା । ଦୀପ ଦେହରେ ଜଳୁଥିବା ସଳିତାର ବି ଆଲୋକ ଦେବାର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ରହିଛି ।
ମାମୀ ଅନେକ ବାର ସରକାରଙ୍କ ବିଧି ବ୍ୟବସ୍ଥା ନେଇ ନିଜ ମନରେ ବିଦ୍ରୋହ କରିଛି । ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ଭଲ ଓ ସୁସ୍ଥ ମଣିଷ ସୃଷ୍ଟି ଉପରେ ସର୍ବଦା ଗୁରୁତ୍ୱ ଦିଆଯାଏ । ହେଲେ ଏଠାରେ ମୋର ଶିଶୁ ପ୍ରତି ସରକାର ଏତେ ନିଷ୍ଠୁର କାହିଁକି ହେଲେ? ସରକାର ତ କେବେ ବି ସୁସ୍ଥ ପରମ୍ପରାର ବିରୋଧୀ ନୁହନ୍ତି । ଏଠି ପରମ୍ପରା ହେଉଛି, ନାରୀଟିଏ ଯେତେ ବଡ ଚାକିରୀ କଲେ ବି ଘରକୁ ଗଲେ ରୋଷେଇ କରିବାକୁ ପଡିଥାଏ, ଘରର ଯାବତୀୟ କାମ ବୁଝିବାକୁ ପଡେ । ହେଲେ ପୁରୁଷଟିଏ ଯାହା ବି କରୁ, ଘରକୁ ଫେରିଲା ପରେ ତାକୁ ଖାଇବା ଠାରୁ ଯାବତୀୟ ସେବା ପ୍ରଦାନ କରାଯାଏ । ମାମୀ ସହ ସମାନ ଚାକିରୀ କରିଥିବା ପୁରୁଷ ବନ୍ଧୁମାନେ ଘରକୁ ଫେରିଲା ପରେ କି ପ୍ରକାର ସେବା ପାଇଥାନ୍ତି, ତାହା ଅନେକ ଥର ଶୁଣିବାକୁ ମିଳେ । ହେଲେ ଏଠି ମାମୀ ଘରେ ପାଦ ଦେଉ ଦେଉ, ବାହାରେ ଶୁଖୁଥିବା ଲୁଗାକୁ ଘରକୁ ଆଣିବା ଠାରୁ ଘର ଓଳେଇବା , ଦୁଇବର୍ଷର ପିଲାକୁ ଖାଇବାକୁ ଦେବା ଠାରୁ ପୁଣି ରାତି ରୋଷେଇ ପର୍ଯ୍ୟନ୍ତ କଣ କଣ ନକରିବାକୁ ପଡେ । ଅପର ପକ୍ଷରେ ସାତଘଂଟା ରହିବା ସହ କଲେଜରେ ଛାତ୍ରଛାତ୍ରୀଙ୍କ କଣ ଶିକ୍ଷାଗତ ବିକାଶ ହୁଏ ତାହା ସେ ବୁଝିପାରେନା । ଅଧିକ କ୍ଲାସ ନେବା ତ ସମ୍ବବ ନୁହେଁ ବରଂ ଅଧ୍ୟାପନା ପାଇଁ ଆବଶ୍ୟକ କରୁଥିବା ସୁସ୍ଥ ମସ୍ତିଷ୍କରୁ ଛାତ୍ରଛାତ୍ରୀ ମାନେ ଗୋଟିଏ ଅଧ୍ୟାପକ ଠାରୁ ପାଇ ନଥାନ୍ତି । ଅଧ୍ୟାପନା ବା ଶିକ୍ଷକତା ଯେ କେବଳ ଗୋଟିଏ ଚାକିରୀ ନୁହେଁ ବରଂ ଏହା ଆଗ୍ରହ , ଆନ୍ତରିକତା ଓ ସୃଜନଶୀଳତାର କଥା, ଏହା ସରକାର କେବେ ବୁଝିବେ?
ଖଣି ଠାରୁ ପାଣି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବଡ ବଡ ଦୁର୍ନିତିକୁ କେତେ ରୋକାଯାଇଛି ତାହା ତ ଏଠି ବତର୍କର ପ୍ରସଙ୍ଗ ନୁହେଁ । ହେଲେ ମାମୀର ଦୃଢ ଧାରଣା ହୋଇଛି ଯେ, ୫ ଟି ସୁତ୍ରୀରେ ମୋ ପରି ମାଆ ମାନେ ଯେ ଭାଙ୍ଗି ଟୁକୁରା ଟୁକୁରା ହୋଇଯିବେ ଏହା ନିଶ୍ଚିନ୍ତ । ଆୟା ପାଖରେ ସକାଳୁ ରାତ୍ରୀ ପର୍ଯ୍ୟନ୍ତ ଜୀବନ ବିତାଉଥିବା ଶିଶୁର ଜୀବନଟା କେତେ ଯନ୍ତଣା ସତେ… । ମୋ ପୁଅ କଣ ସତରେ ମଣିଷ ହେବ । ଏକ ଜନମଙ୍ଗଳ ରାଷ୍ଟ୍ରର ମଙ୍ଗଳ କଣ ମୋ ପୁଅ ପାଇଁ ଆଦୌ ନାହିଁ? ଏତିକି ବେଳେ ମନେ ପଡୁ ଯାଉଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କଥା । ଯିଏ ଦିନେ ରାସ୍ତା କଡରେ ଭେଟିଥିବା ଗୋଟିଏ ଆଦିବାସୀ ମହିଳାର କଥାରେ ଦୈନିକ ମଜୁରୀକୁ ସେ ସମୟରେ ୨୫ ଟଙ୍କାକୁ ବଢାଇ ଦେଶରେ ଚହଳ ପକାଇଥିଲେ । ମଦୁଆ ସ୍ୱାମୀ ମାନଙ୍କ ଦାଉରୁ ରକ୍ଷା ପାଇଁ ମହିଳାଙ୍କୁ ପୋଲିସର କ୍ଷମତା ଅପହଂଚ ଇଲାକାରେ ଦେଇଥିଲେ । ନାରୀର ମନକଥା ବୁଝି ମହିଳା ସମ୍ମାନ ଓ ସୁରକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପମାନ ନେଇଥିଲେ । ସରକାର ଜାଣିଛନ୍ତି ବୋଲି ତ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଅଧିକ ସୁବିଧା ସୁଯୋଗ ଦେଇଛନ୍ତି । ଏପରିକି ଅନେକ କ୍ଷେତ୍ରରେ ପୁରୁଷର ସହ ସମାନ ଯୋଗ୍ୟତା ଓ ଦକ୍ଷତା ନଥାଇ ବି ସଂରକ୍ଷଣ ତଥା ସରକାରୀ ବ୍ୟବସ୍ଥା କାରଣରୁ ମହିଳାଟିଏ ପଦବୀ ତଥା ଚାକିରୀ ପାଇପାରୁଛି । ହେଲେ କର୍ମଜୀବି ମହିଳାଙ୍କ କାର୍ଯ୍ୟକ୍ଷେତ୍ରରେ କି ପ୍ରକାର ସୁବିଧା ଦିଆଯାଇଛି? ମାମୀର ବାପାଘର ଓ ଶ୍ୱଶୁରଘର ଉଭୟ ବଂଶାନୁକ୍ରମିକ ଭାବେ ବି ବିଜୁବାବୁ ଓ ନବୀନବାବୁଙ୍କର କେବଳ ଅନୁଗାମୀ ନୁହନ୍ତି ବରଂ ଭକ୍ତ । ତେଣୁ ମାମୀ ପିଲାଟି ଦିନରୁ ବିଜୁ ପରିବାରର ଭକ୍ତ । ଏମିତିକି ଶ୍ୱଶୁର ଘର ବିଜୁବାବୁ ଓ ନବୀନବାବୁଙ୍କ ବଡ ସଂଗଠକ ଏବଂ ବିଜୁ ଆଦର୍ଶର ପ୍ରଚାର ଓ ପ୍ରସାର ପାଇଁ ବହୁ ନିର୍ଯ୍ୟାତନା ସହିଛନ୍ତି । ହେଲେ ଏବେ ଏ ସମୟରେ କିଏ ଶୁଣିବ ନାରୀ ମନର ଏହି କୋହ? ଦିନଯାକର କଲେଜର ଓ ପରିବାର ବୋଝ, ଜଞ୍ଜାଳ ପାଇଁ ଅବଶ ହୋଇପଡୁଥିବା ତାର ଶରୀର ରାତିରେ ନିର୍ବାକ ଓ ନିଶ୍ଚଳ ହୋଇ ଶୋଇ ପଡୁଥିବା ବେଳେ କାନ୍ଥରେ ଲାଗିଥିବା ବିଜୁବାବୁଙ୍କ ଫଟୋକୁ ଚାହିଁ ଭାବୁଥିଲା, ବିଜୁବାବୁ ପରି ଅନୁଭବୀ ନେତା ଥିଲେ କଣ ଏମିତି ଦୁର୍ଦ୍ଦଶା ଭୋଗିବାକୁ ପଡୁଥାନ୍ତା? ଅଜାଣତରେ ଆଖିରୁ ନିଗିଡି ପଡୁଥିବା ଲୁହ କହୁଥିଲା, ବିଜୁବାବୁ ଥିଲେ ଏମିତି ହୁଅନ୍ତା ନାହିଁ ।