ଭୁବନେଶ୍ୱର, ୨୧/୦୨ (ସନ୍ଧାନ ନିୟୁଜ) ଆଜି ପବିତ୍ର ମହାଶିବରାତ୍ରୀ । ଏହି ଉପଲକ୍ଷେ ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମହାଶିବରାତ୍ରୀ ଅବ୍ୟବହିତ ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ବ୍ରତଧାରୀ ଭକ୍ତ ଏଠାରେ ଭିଡ଼ ଜମାଇଛନ୍ତି। ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଏଠାରେ ଜାଗର ଜାଳୁଥିବାରୁ ଏଥିପାଇଁ ମନ୍ଦିର ପାଖ ପଡ଼ିଆ ସଫାସୁତରା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସହ ଅପରାଧ ରୋକିବା ପାଇଁ ୫୦ରୁ ଅଧିକ ଅଫିସର ଓ ୨୨ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ଗାଡ଼ିମୋଟର ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।ଏହା ସହ ଭକ୍ତଙ୍କ ଦର୍ଶନ ପାଇଁ ‘ଏସ୍’ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ, ଗତ ରାତି ସାଢ଼େ ୧୨ଟାରେ ପହୁଡ଼ ଦ୍ବାର ଖୋଲିବା ପରେ ରାତି ଗୋଟାଏରୁ ୨ଟା ଭିତରେ ମଙ୍ଗଳଆଳତି, ଅବକାଶ, ସୂର୍ଯ୍ୟପୂଜା ଆଦି ନୀତି ଅନୁଷ୍ଠିତ ହୋଇଛି। ଗତ ରାତି ୨ଟାରୁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଜି ଶ୍ରୀମନ୍ଦିରରୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଲୋକନାଥ ମନ୍ଦିରରେ ବିଜେ କରିବା ପରେ ରାତି ୧୨ଟାରୁ ରାତି ୨ଟା ମଧ୍ୟରେ ବିଭିନ୍ନ ନୀତି ଅନୁଷ୍ଠିତ ହେବ।




