୪ ମହାକାଶ ଯାତ୍ରୀଙ୍କ ପାଇଁ ୨୨ ପ୍ରକାର ଖାଦ୍ୟ

Spread the love

ବେଙ୍ଗାଲୁରୁ, ୫/୧/୨୦୨୦ (ସନ୍ଧାନ ନିଉଜ) : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ୨୦୨୧ରେ ଏହାର ପ୍ରଥମ ଗଗନଯାନ ମହାକାଶକୁ ପଠାଇବ। ଗଗନଯାନରେ ମହାକାଶ ଯାତ୍ରୀଙ୍କୁ ପଠାଯିବା ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ଫେରାଇ ଆଣିବା ଲାଗି ଇସ୍ରୋ ଯୋଜନା କରିଛି। ଏଥିପାଇଁ ଇସ୍ରୋ ଦେଶରୁ ୪ ମହାକାଶ ଯାତ୍ରୀଙ୍କୁ ଚୟନ କରିଛି, ଯେଉଁମାନେ ଏହି ମିଶନରେ ସାମିଲ ହେବେ। ଚଳିତମାସ ୩ୟ ସପ୍ତାହରେ ଏମାନଙ୍କୁ ପ୍ରଶିକ୍ଷଣ ପାଇଁ ରୁଷ ପଠାଯିବ। ତେବେ ଏହି ମିଶନର ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ମହାକାଶ ଯାତ୍ରୀମାନେ ମିଶନରେ ଯିବା ପରେ ମହାକାଶରେ କ’ଣ ଖାଇବେ ତାହା ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ। ସେମାନଙ୍କୁ ଖାଦ୍ୟ କେଉଁଠୁ ମିଳିବ ? ମାସ ମାସ ଧରି ଚାଲିବାକୁ ଥିବା ଏହି ମିଶନରେ ଯାତ୍ରୀମାନେ କ’ଣ ଖାଇ ସେଠାରେ ରହିବେ ? ତେବେ ଇସ୍ରୋ ମହାକାଶ ଯାତ୍ରୀଙ୍କ ଲାଗି ୨୨ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି। ମହୀଶୂରସ୍ଥିତ ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ପ୍ରୟୋଗଶାଳା(ଡିଏଫଆରଏଲ) ଏହି ଖାଦ୍ୟ ପ୍ରସ୍ତୁତ କରି ତାହାର ସାମ୍ପୁଲ ଇସ୍ରୋକୁ ଯାଞ୍ଚ ପାଇଁ ପଠାଇଛି। ଏସବୁ ଖାଦ୍ୟ ମଧ୍ୟରେ ହାଲ୍‌କା ଫୁଲ୍‌କା ଖାଦ୍ୟ, ଅଧିକ ଶକ୍ତି ଉତ୍ପନ୍ନକାରୀ ଖାଦ୍ୟ, ଡ୍ରାଏ ଫ୍ରୁଟ୍‌ସ ଏବଂ ଫଳ ସାମିଲ ରହିଛି।

ଡିଆରଏଫଏଲର ଡା. ଅନୀଲ ଦତ୍ତ ସେମୱାଲ କହିଛନ୍ତି ଯେ, ଖାଦ୍ୟ ଗରମ କରିବା ଲାଗି ଏକ ଉପକରଣ ବି ଦେଉଛୁ। ଏହି ଉପକରଣ ଜରିଆରେ ପ୍ରାୟ ୯୨ ୱାଟ୍‌ ବିଦ୍ୟୁତ୍‌ ଶକ୍ତିରେ ଖାଦ୍ୟ ଗରମ କରାଯାଇ ପାରିବ। ଏହି ଉପକରଣ ଖାଦ୍ୟକୁ ୭୦ରୁ ୭୫ ଡିଗ୍ରୀ ପର୍ଯ୍ୟନ୍ତ ଗରମ କରିବ। ଏହି ଖାଦ୍ୟା ସ୍ବାସ୍ଥ୍ୟକର ଏବଂ ଏହା ଏକ ବର୍ଷ ପର୍ଯ୍ୟନ୍ତ ରହିପାରିବ।

ଡା. ଦତ୍ତଙ୍କ ସୂଚନା ଅନୁସାରେ, ଇସ୍ରୋ ମଟନ କିମ୍ବା ଚିକେନ ପ୍ରସ୍ତୁତ କରିବାକୁ ଚାହୁଁଥିଲା। ଆମେ ଚିକେନ ତରକାରୀ ଏବଂ ବିରିୟାନୀ ତିଆରି କରି ଦେଇଛୁ। ମହାକାଶଯାତ୍ରୀମାନେ କେବଳ ପ୍ୟାକେଟ୍‌ ଖୋଲି ତାହାକୁ ଗରମ କରି ଖାଇବେ। ସପୁରୀ ଏବଂ  ପଣସ ମଧ୍ୟ ଦିଆଯାଇଛି। ଏହା ଜଳଖିଆ ପାଇଁ ଉପଯୁକ୍ତ ବିକଳ୍ପ ହୋଇପାରିବ। ସମସ୍ତ ଖାଦ୍ୟ ରେଡିମେଡ୍‌। ସମ୍ବର ସହିତ ଇଡ୍‌ଲୀ ବି ପ୍ରସ୍ତୁତ କରାଯାଇଛି। ଏଥିରେ କେବଳ ପାଣି ପକାଇ ଖିଆଯିବ। କିନ୍ତୁ ଥରେ ପ୍ୟାକେଟ ଖୋଲାଗଲେ ତାହାକୁ ୨୪ ଘଣ୍ଟା ମଧ୍ୟରେ ଖାଇବାକୁ ପଡ଼ିବ। ଖାଦ୍ୟକୁ ଅଧା ଖାଇ ବଳକା ରଖାଯାଇ ପାରିବ ନାହିଁ। ପ୍ୟାକେଟ୍‌ ଖୋଲି ଦିଆଯିବା ପରେ ତାହା ସାଧାରଣ ଖାଦ୍ୟ ଭଳି ହୋଇଯାଏ।

ନାସା ମାନଦଣ୍ଡ ଅନୁସାରେ ପ୍ରସ୍ତୁତ ହେଉଛି ଖାଦ୍ୟ

ଡିଏଫଆରଏଲରେ ମହାକାଶ ଅଭିଯାନ ଲାଗି ପ୍ରସ୍ତୁତ ହେଉଥିବା ସମସ୍ତ ଖାଦ୍ୟ ନାସା ଦ୍ବାରା ଧାର୍ଯ୍ୟ ହୋଇଥିବା ମାନଦଣ୍ଡ ଅନୁସାରେ ପ୍ରସ୍ତୁତ ହେଉଛି। ଡିଏଫଆରଏଲ ୧୯୮୪ରେ ମହାକାଶ ଅଭିଯାନରେ ଯାଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମାଙ୍କ ପାଇଁ ବି ଖାଦ୍ୟ ପ୍ରସ୍ତୁତ କରିଥିଲା। ମହାକାଶ ଯାଉଥିବା ଖାଦ୍ୟପଦାର୍ଥ ସିଆଚେନରେ ଯବାନଙ୍କୁ ଦିଆଯାଉଥିବା ଖାଦ୍ୟ ପଦାର୍ଥଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ।

Related Posts

About The Author

Add Comment