ଭୁବନେଶ୍ବର, ୪/୧/୨୦ (ସନ୍ଧାନ ନିଉଜ) : ରାଜ୍ୟରେ ପାଣିପାଗରେ ଅସ୍ବଭାବିକ ପରିବର୍ତ୍ତନ ଦେଖା ଦେଇଛି । ସପ୍ତାହେ ଧରି ଶୀତ ପରେ ଶୁକ୍ରବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି।
ଶନିବାର ରାଜ୍ୟରେ ବର୍ଷା ସହ କୋହଲା ପାଗ ଲାଗି ରହିଛି । ଉପକୂଳ ଓଡିଶା ସମେତ କିଛି ଜିଲ୍ଲାରେ ବର୍ଷା ହେଉଛି । ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବୌଦ୍ଧ, ମୟୁରଭଞ୍ଜ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ଅର୍ଥାତ ରବିବାରଠାରୁ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରାଯାଇଛି । ଏହା ସହ ଆସନ୍ତାକାଲିଠାରୁ କିଛି ସ୍ଥାନରେ ଘନ କୁହୁଡି ଅନୁଭୂତ ହେବ। କନ୍ଦମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତିନିଦିନ ପାଇଁ ଘନ କୁହୁଡି ନେଇ ଏହି ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୫୮ ମିମି. ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ବରରେ ୨୨.୪ ମିମି. ବର୍ଷା ରେକର୍ଡ କରାଯାଇଛି।