ଭୁବନେଶ୍ୱର, ୦୪/୧୦ (ସନ୍ଧାନ ନିୟୁଜ): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ହୋଇଛି। ତହସିଲ କଚେରି ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଏ ନେଇ ବିଧାୟକ ନାୟକ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି।
ପ୍ରକାଶ ଯେ, କଚେରୀ ପରିସରରେ ମୋହରିଆମାନେ ଦୀର୍ଘଦିନ ହେବ ଚାଳିଆ କରି ବସୁଥିଲେ। ହେଲେ ପୂର୍ବାହ୍ନରେ ତହସିଲଦାର ଟୁଡୁ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ପହଞ୍ଚି ଜେସିବି ମେଶିନ ଲଗାଇ ଉକ୍ତ ଚାଳିଆକୁ ଭାଙ୍ଗି ଦେଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବିଧାୟକ ନାୟକ ଘଟଣା ସ୍ଥଳରେ ପହଞ୍ଚି ପଚାରି ବୁଝିଥିଲେ। ମୋହରିଆଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରି କାହିଁକି ଭାଙ୍ଗୁଛ ବୋଲି ସେ ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ବିଧାୟକ ସମସ୍ୟାର ସମାଧାନ ଦାବିରେ ଓକିଲ, ମୋହରିଙ୍କ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ଘଟଣା ସ୍ଥଳରେ ବାଲେଶର ଉପଜିଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ଆଇଟିଡିଏ ପିଏ ବୀର କିଶୋର ପାଣିଗ୍ରାହି, ନୀଳଗିରି ପୋଲିସ ପହଞ୍ଚିଛନ୍ତି।