ମାନବ ସେବାରେ ସମର୍ପିତ ସ୍ମାର୍ଟ ସିଟିର ପ୍ରଶାନ୍ତ

Spread the love

ରାଉରକେଲା, ୦୪/୧୦ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଶାସ୍ତ୍ରରେ ଉଲ୍ଲେଖ ଅଛି ‘ମାନବ ସେବା ହିଁ ମାଧବ ସେବା’ । ଏହି ଉକ୍ତିର ସତ୍ୟତା ପୁରାଣ କାଳରୁ ଆଜିର ହାଇଟେକ ଯୁଗ ପର୍ୟ୍ୟନ୍ତ ରହି ଆସିଛି । ଏବେ ବି କିଛି ଲୋକ ଅଛନ୍ତି ଯେଉଁମାନେ କି ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ତାଙ୍କ ଚଲାପଥରେ ଆଗେଇ ଚାଲିଛନ୍ତି । ନିଜର କର୍ମମୟ ଜୀବନର କାର୍ୟ୍ୟବ୍ୟସ୍ତତା ମଧ୍ୟରେ ଦୁଃଖି, ଦୁଃସ୍ଥ, ଦୀନ, ଦରିଦ୍ରଙ୍କର କରି ଚାଲିଛନ୍ତି ନିରନ୍ତର ସେବା । ଲକ୍ଷ୍ୟ କେବଳ ଗୋଟିଏ ଯେ, ଯେମିତି ଦରିଦ୍ର ଲୋକଟିଏ ନିଜକୁ କେବେ ଅସହାୟ ନମଣୁ । ଏଭଳି ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ୨୦ ବର୍ଷ ହେଲା ଦେଖିବାକୁ ମିଳୁଛି ସ୍ମାର୍ଟ ସିଟି ରାଉରକେଲାରେ । ନାମ ପ୍ରଶାନ୍ତ ସେଠୀ । ବୟସ ପାଖାପାଖି ୪୫ ଛୁଇଁଲାଣି । ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳ ମୂଳ ବାସିନ୍ଦା ପ୍ରଶାନ୍ତ ରୁହନ୍ତି ରାଉରକେଲାର ସେକ୍ଟର-୨୧ ଅଂଚଳରେ ।
ରାଉରକେଲାରେ ଅବସ୍ଥାନ କରିବା ସମୟରେ ସମାଜସେବାକୁ ନିଜ ଜୀବନର ବ୍ରତୀ ଭାବେ ଗ୍ରହଣ କରି ଆଗେଇ ଚାଲିଛନ୍ତି ସେ । ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ କଂଗ୍ରେସ ଦଳରୁ ପ୍ରଶାନ୍ତ ଛିଡ଼ା ହୋଇଥିଲେ, କିନ୍ତୁ ତାଙ୍କୁ ପରାଜୟର ସାମନା କରିବାକୁ ପଡ଼ିଲା । ମାତ୍ର ଏହି ପରାଜୟକୁ ଭ୍ରୁକ୍ଷେପ ନକରି ଜନସେବାକୁ ଗୁରୁମନ୍ତ୍ର ଭାବେ ଗ୍ରହଣ କରି ଆଗେଇ ଚାଲିଛନ୍ତି ପ୍ରଶାନ୍ତ ସେଠୀ । ସହରର ବିଭିନ୍ନ ବସ୍ତି, କଲୋନୀ, ଗାଁ, ଗଣ୍ଡା, ପୁର, ପଲ୍ଲୀରେ ରାତି ପାହିଲେ ପ୍ରଶାନ୍ତଙ୍କୁ ଦେଖିବାକୁ ମିଳେ । ଏସବୁ ଜାଗାରେ ବସବାସ କରୁଥିବା ଅସହାୟ, ନିରାଶୟ ବ୍ୟକ୍ତି ମାନଙ୍କୁ ପ୍ରତ୍ୟକ୍ଷ ଭାବରେ ପ୍ରତିଦିନ ସାକ୍ଷାତ କରି ସେମାନଙ୍କ ଅସୁବିଧା ବିଷୟରେ ଅବଗତ ହୁଅନ୍ତି । ପରେ ଏସବୁ ଅସୁବିଧାକୁ ସରକାରଙ୍କ ପ୍ରଚେଷ୍ଟାରେ କିପରି ଦୁର କରାଯାଇ, ଅସୁବିଧାର ଶୀକାର ହୋଇଥିବା ବ୍ୟକ୍ତି ଜଣଙ୍କୁ କିଭଳି ସମାୟିକ ଆଶ୍ୱସ୍ତି ମିଳିପାରିବ ଏହି ପ୍ରଚେଷ୍ଟା ସେ ଆଜି ପର୍ୟ୍ୟନ୍ତ ଜାରି ରଖିଛନ୍ତି । ତାଙ୍କରି ଆପ୍ରାଣ ଉଦ୍ୟମରେ ଦୁଃଖି, ଦରିଦ୍ରଙ୍କ ସେବା ଲାଗି ଜନ୍ମ ନେଇଛି ଏକ ସାମାଜିକ ଅନୁଷ୍ଠାନ ‘ମାନବିକତା’ । ରାଉରକେଲା ନୟାବଜାର ଅଂଚଳରେ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଜରିଆରେ ବିଭିନ୍ନ ଲୋକାଭିମୂଖୀ ଯୋଜନା ସମ୍ପର୍କରେ ସହରର ବିଭିନ୍ନ ବସ୍ତି ଅଂଚଳର ବାସିନ୍ଦା ମାନଙ୍କୁ ଅବଗତ କରାଇବା ସହିତ, ଏହି ଯୋଜନା ଗୁଡ଼ିକର ସୁଫଳ କିପରି ଗରିବ ଶ୍ରେଣୀର ଜନସାଧାରଣ ପାଇପାରିବେ, ଏହାକୁ ନେଇ ସର୍ବଦା ଯତ୍ନଶୀଳ ରୁହନ୍ତି ପ୍ରଶାନ୍ତ । ମଧୁବାବୁ ପେନସନ ଯୋଜନା, ବାର୍ଦ୍ଧକ୍ୟ ଭତା, ବିଧବା ଭତା, ବିକଳାଙ୍ଗ ଭତା, ହରିଶନ୍ଦ୍ର ଯୋଜନା, ମମତା ଯୋଜନା ଆଦି ସମ୍ପର୍କରେ ବସ୍ତିର ନିରାଶୟ ବାସିନ୍ଦା ମାନଙ୍କୁ ବିନା ପାରିଶ୍ରମିକରେ ଆଜି ସେବା ଯୋଗାଇ ଆସୁଛନ୍ତି ବୋଲି ବିଭିନ୍ନ ବସ୍ତିର ବାସିନ୍ଦାଙ୍କ ମୁହଁରୁ ଶୁଣିବାକୁ ମିଳେ । ମାନବିକତାର ଏହି ପୂଜାରୀ ସେବାକୁ ନିଜ ପରିବାରର ଏକ ଅଙ୍ଗ ଭାବେ ବିବେଚନା କରି ଆଗେଇ ଚାଲିଛନ୍ତି । ବିଭିନ୍ନ ଦୁରାସାଧ୍ୟ ରୋଗ ଯେପରି କ୍ୟାନସର, କିଡନୀ ଅଚଳ, ପକ୍ଷଘାତ ଆଦି ରୋଗୀ ମାନଙ୍କୁ ବିଭିନ୍ନ ବସ୍ତି ଅଂଚଳ ଗସ୍ତ କରି ଚିହ୍ନଟ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ସେମାନଙ୍କ ପାଇଁ ଯୋଗାଡ଼ କରିଥାନ୍ତି । ଆଜି ପର୍ୟ୍ୟନ୍ତ ୫୦ରୁ ଉର୍ଦ୍ଧ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚିକିତ୍ସା ବାବଦ ଖର୍ଚ୍ଚ ପାଇବାରେ ସମର୍ଥ ହୋଇ ପାରିଥିବା ଜଣାପଡ଼ିଛି । ରାଉରକେଲା ସହରରେ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ୟ୍ୟକ୍ରମ ଯେପରି ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ଅନାଥ ଆଶ୍ରମର ଅନ୍ତେବାସୀଙ୍କ ଲାଗି ଆଦି କାର୍ୟ୍ୟକ୍ରମରେ ପ୍ରଶାନ୍ତ ସେଠୀ ସର୍ବଦା ଯୋଗଦାନ କରି ଯଥାସାଧ୍ୟେ ସକ୍ରୀୟ ସହଯୋଗ କରୁଥିବା ଦେଖିବାକୁ ମିଳେ । ଏଥିପାଇଁ ସମୟ ସମୟରେ ବାଧାବିଘ୍ନ ଆସିଲେ ମଧ୍ୟ ତା’କୁ ଏଡାଇ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ଆଗେଇ ଚାଲିଛନ୍ତି ପ୍ରଶାନ୍ତ । ଲକ୍ଷ୍ୟ କେବଳ ଗୋଟିଏ ଯେ, ଜଣେ ଦରିଦ୍ର ବ୍ୟକ୍ତି ନିଜକୁ କେବେ ଅସହାୟ ମନେ ନକରୁ । ଅନ୍ୟ ସାଧାରଣ ଲୋକ ଭଳି ସେ ସୁଖରେ ଜୀବନ ଯାପନ କରୁ । ମାନବସେବାରେ ସମର୍ପିତ ପ୍ରଶାନ୍ତଙ୍କ ଚର୍ଚ୍ଚା ଏବେ ଏଠି, ସେଠି, ସବୁଠି ।

Related Posts

About The Author

Add Comment