ଭୁବନେଶ୍ବର, ୨୫/୯ (ସନ୍ଧାନ ନିଉଜ) : ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନସନ ଭୋଗୀମାନଙ୍କୁ ବେତନ ଏବଂ ପେନସନ୍ ପାଇବା ପାଇଁ ଆଉ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କର୍ମଚାରୀ ଏବଂ ପେନସନ ଭୋଗୀମାନେ ମାସ ଶେଷଦିନରେ (କାର୍ଯ୍ୟ ଦିବସ) ହିଁ ଦରମା ପାଇବେ। ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିବା ଜଣାଯାଇଛି।
ନୂଆ ବ୍ୟବସ୍ଥା ଚଳିତ ମାସରୁ (୨୦୧୯ ସେପ୍ଟେମ୍ବର) ଲାଗୁହେବ। ଏଥିପାଇଁ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ଲାଗି ଅର୍ଥ ବିଭାଗ ପକ୍ଷରୁ ଏକ ନିୟମାବଳୀ ଜାରି କରାଯାଇଛି। ମାସର ଶେଷ ଦିନଟି ଛୁଟିଦିନ ହୋଇଥିଲେ ଏହାର ଗୋଟିଏ ଦିନ କିମ୍ବା କିଛିଦିନ ପୂର୍ବରୁ ଦରମା ପ୍ରଦାନ କରାଯିବ। ତେବେ ମାର୍ଚ୍ଚମାସର ବେତନକୁ ଏପ୍ରିଲ ୧ ତାରିଖରେ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ବଜେଟ୍ ଏବଂ ଆଲଟମେଣ୍ଟ ବ୍ୟବସ୍ଥା ନ ଥିଲେ, ଡିଡିଓମାନଙ୍କ ଦ୍ବାରା ମାର୍ଚ୍ଚ ୩୧ ପରେ ମଧ୍ୟ ବେତନ ବିଲ୍ ଦାଖଲ କରାଯାଇ ପାରିବ ବୋଲି ଅର୍ଥ ବିଭାଗ କହିଛି। ଏହି ସମାନ ବ୍ୟବସ୍ଥା ପେନସନ ପ୍ରଦାନ କ୍ଷେତ୍ରରେ ମଧ୍ୟ ଲାଗୁହେବ। ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ବେତନ ପ୍ରଦାନ ବିଳମ୍ବ ହେଲେ ନ୍ୟାସନାଲ ପେନସନ ସିଷ୍ଟମ (ଏନ୍ପିଏସ୍)ରେ ସାମିଲ ଥିବା କର୍ମଚାରୀମାନଙ୍କ ପେନସନ ରିଟର୍ଣ୍ଣ ପ୍ରଭାବିତ ହେଉଛି। ନୂତନ ପଦକ୍ଷେପ ଦ୍ବାରା କେବଳ କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ବେତନ ଓ ପେନସନ ପ୍ରଦାନ ତ୍ବରାନ୍ବିତ ହେବ ନାହିଁ, ବରଂ ବେତନ ବିଲ୍ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ବହୁମାତ୍ରାର କାଗଜ କମିଯିବ। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରସ୍ତୁତ ହେଉଥିବା ବେତନ ବିଲ୍ ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପ୍ରତିମାସରେ ୧୫ ଲକ୍ଷରୁ ଅଧିକ ଏ-୩ ଆକାରର କାଗଜ ବ୍ୟବହାର ହେଉଛି।