କୋଣାର୍କ ଝୋଟକଳ ରୁଗଣ ଏବଂ ଦୁରାବସ୍ଥାରେ ବଡ ଚକ୍ରାନ୍ତ , ଉଠିଲା ସିବିଆଇ ତଦନ୍ତ ଦାବି
|
August 4, 2019 |


ଯାଜପୁର ଜିଲ୍ଲାର ଧାନମଣ୍ଡଳଠାରେ ୧୯୭୭ ମସିହାରେ କୋଣାର୍କ ଝୋଟକଳ କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ଼୍ ଏବଂ ରାଜ୍ୟ ସରକାରଙ୍କ ଓଡିଶା ଶିଳ୍ପ ଉନ୍ନୟନ ନିଗମ ବା ଇଡିକଲର ଯୌଥ ଉଦ୍ୟୋଗରେ ସ୍ଥାପନ କରାଯାଇ ୧୯୭୯ ମସିହାରେ ଏଠାରୁ ଉତ୍ପାଦନ ଆରମ୍ଭ ହୋଇଥିଲା ! କିନ୍ତୁ ନିଗମ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଏବଂ ଅଧିକାରୀମାନଙ୍କ ଆଖିବୁଜା ଦୁର୍ନୀତି କାରଣରୁ ଏହି ବହୁମୂଖୀ ଲାଭଦାୟକ କୃଷିଭିତ୍ତିକ ଶିଳ୍ପଟି ଚାଲୁହେବାର ମାତ୍ର ୧୦ ବର୍ଷ ମଧ୍ୟରେ ହିଁ ଏକ ରୁଗଣ ଶିଳ୍ପର ମାନ୍ୟତା ପାଇ ଧୀରେ ଧୀରେ ତାହା ଅଚଳ ହୋଇପଡ଼ିବା ସହ ୨୦୧୨ ମସିହା ବେଳକୁ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ! ଶେଷରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଏହି ଶିଳ୍ପ ସମେତ ଏହା ଅନ୍ତର୍ଗତ ଶତାଧିକ ଏକର ମୂଲ୍ୟବାନ ଜମିକୁ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼୍ ନାମକ ଏକ ଘରୋଇ ସଂସ୍ଥାକୁ ଶାଗମାଛ ମୂଲ୍ୟରେ ବିକ୍ରୀ କରିବାକୁ ଇଡିକଲ କର୍ତ୍ତୃପକ୍ଷ ଓ ରାଜ୍ଯ ସରକାରଙ୍କ ଶିଳ୍ପ ବିଭାଗ ନିଷ୍ପତ୍ତି ନେଇଥିଲେ ! ସେବେଠାରୁ ପ୍ରାୟ ୬ ବର୍ଷ ହେଲାଣି ସମ୍ପୃକ୍ତ ଘରୋଇ ଶିଳ୍ପ ସଂସ୍ଥା ଏହି କାରଖାନାକୁ ନିଜ କବଜାକୁ ନେଇ ରଖିଛି ! ସ୍ଵଳ୍ପ ମଜୁରୀ ଓ କମ୍ ଦରମାରେ ପୂର୍ବରୁ ପ୍ରାୟ ତିନି ହଜାରରୁ ଊର୍ଦ୍ଧ୍ଵ ଶ୍ରମିକ ଓ କର୍ମଚାରୀ ଏଠାରେ କାର୍ଯ୍ୟରତ ଥିଲେ ! କିନ୍ତୁ କାରଖାନା ବନ୍ଦ ହେବା ପରେ ସେମାନଙ୍କ ପରିବାର ଅତି ଦୟନୀୟ ଅବସ୍ଥାକୁ ଚାଲିଗଲା ! ମାତ୍ର ଆଶା କରାଯାଉ ଥିଲା ଯେ ଏହି ଘରୋଇ ସଂସ୍ଥା ଏହାକୁ ହାତକୁ ନେଲେ ହୁଏତ ସେହି ଶ୍ରମିକ ଓ କର୍ମଚାରୀମାନଙ୍କୁ ଏଠାରେ କିଛି କାମଧନ୍ଦା ମିଳିବ ! କିନ୍ତୁ ସମ୍ପୃକ୍ତ ଘରୋଇ କମ୍ପାନୀର ମାଲିକ କୌଣସି ଏକ ମାମଲାରେ ଅଭିଯୁକ୍ତ ହୋଇ ସେବେଠାରୁ ଜେଲରେ ରହୁଥିବା କାରଣରୁ ସେ ଆଶା ଟିକକ ବି ମଉଳି ଗଲା ! କାରଖାନା ଅଚଳ ରହିଥିବା କାରଣରୁ ତା’ ପରିସର ଏବେ ଜଙ୍ଗଲରେ ପରିଣତ ହୋଇ ପଡ଼ିଥିବା ବେଳେ ଅନ୍ୟପଟେ ସେହି ଘରୋଇ ସଂସ୍ଥାର ମାଲିକ ଜେଲରେ ରହୁଥିବା କାରଣରୁ ସରକାର ମଧ୍ୟ ତାଙ୍କଠାରୁ କାରଖାନା ମୂଲ୍ୟ ବାବଦର ଆବଶ୍ୟକ ପାଉଣା ମଧ୍ୟ ପାଇପାରୁ ନାହାନ୍ତି ! ତେବେ ଏଥିନେଇ ରାଜ୍ୟ ସରକାର ସେମିତି ଯେ ଚିନ୍ତିତ ବା ତତ୍ପର ଅଛନ୍ତି କାହିଁ ଦେଖାଯାଉନି ତ ?