ମୌସୁମୀର ପହିଲି ସ୍ପର୍ଶରେ ଭଦ୍ରକ ପୌରାଞ୍ଚଳ ବେହାଲ

ଭଦ୍ରକ, ୨୪/ ୬ (ସନ୍ଧାନ ନିୟୁଜ/ରମେଶ ନାୟକ) ମୌସୁମୀ ଛୁଇଁଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ, ଭଦ୍ରକ ଜିଲ୍ଲା ଏଥିରୁ ବାଦ ପଡ଼ିନି । ଗୁରୁବାର ରାତି ୧୦ଟାରୁ ଭଦ୍ରକରେ ବର୍ଷା ଆରମ୍ଭ ହୋଇଛି । ରାତି ତମାମ ସ୍ୱଳ୍ପ ଧରଣର ବର୍ଷା ହୋଇଥିବାବେଳେ, ଶୁକ୍ରବାର ସାକଳୁ ସହରରେ ବର୍ଷାର ପ୍ରକୋପ ବଢ଼ିଥିଲା । ପ୍ରାୟ ୨ରୁ ୩ ଘଣ୍ଟାକାଳ ଏହି ବର୍ଷା ସହରର ସାଧାରଣ ଜନଜୀବନକୁ ପ୍ରଭାବିତ କରିଥିଲା । ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା । ତେବେ କୁହାଯାଉଥିବା ମୌସୁମୀଜନୀତ ଏହି ୨/୩ଘଣ୍ଟାର ବର୍ଷାରେ ଭଦ୍ରକ ପୌରାଞ୍ଚଳରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ପୌରାଞ୍ଚଳର ୫ ଓ ୮ନମ୍ବର ୱାର୍ଡ଼, କୁଆଁସ, ବନ୍ତ ଛକ-ଅପର୍ତ୍ତିବିନ୍ଧା ଛକ ରାସ୍ତା, ବୁଦ୍ଧବିହାର ଅଞ୍ଚଳର ବ୍ୟାପକ ଅଞ୍ଚଳବାସୀ ଏହି ବର୍ଷା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପୌରାଞ୍ଚଳ ଅଧିନସ୍ଥ ଚରମ୍ପା ଅଞ୍ଚଳର ୫ନମ୍ବର ୱାର୍ଡ଼ର ଅଧିକାଂଶ ଅଞ୍ଚଳରେ ଡ଼୍ରେନ ନଥିବା କାରଣରୁ ବର୍ଷା ଜଳ ନିଷ୍କାସିତ ହୋଇନପାରି କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଏହି ୱାର୍ଡ଼ର ବହୁ ସଂଖ୍ୟକ ଲୋକଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି । ଏହି ୱାର୍ଡ଼ର ବିଭିନ୍ନ ସ୍ଥାନରେ ୨ଫୁଟ ଉଚ୍ଚତାର ବର୍ଷାଜଳ ଜମି ରହିଛି । ସେହିପରି ତ୍ରୁଟିପୂର୍ଣ୍ଣ ଡ଼୍ରେନ ନିର୍ମାଣ ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଶ୍ୱର୍ରେ ଅବସ୍ଥିତ ବୁଦ୍ଧ ବିହାର ସମେତ କାର୍ଯ୍ୟାଳୟର ପଛପାଖରେ ଥିବା କଲୋନୀବାସିନ୍ଦା ଜଳବନ୍ଦୀ ହୋଇଛନ୍ତି । ଏହି ଅଞ୍ଚଳବାସୀ ଜିଲ୍ଲାପଳଙ୍କୁ ‘ଏସଓଏସ’ ପଠାଇଥିବା ଜଣାପଡ଼ିଛି । ଅନୁରୂପ ସହରର ମୁଖ୍ୟସ୍ଥଳ କୁହାଯାଉଥିବା ବନ୍ତ ଛକ-ଅପର୍ତ୍ତବିନ୍ଧା ଛକ ରାସ୍ତାରେ ବର୍ଷାଜଳ ନିଷ୍କାସିତ ହୋଇନପାରି ଲହଡ଼ି ଭାଙ୍ଗିଛି । ରାସ୍ତାରେ ପାଣି ଜମି ରହିବା ସହ ରାସ୍ତା ପାଶ୍ୱର୍ରେ ଥିବା ବହୁ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟରେ ବର୍ଷାଜଳ ପ୍ରବେଶ କରିଛି । ଏହା ବ୍ୟତୀତ ୧୫ନମ୍ବର ୱାର୍ଡ଼ କୁଆଁସ, ୮ନମ୍ବର ୱାର୍ଡ଼ ଜାନୁଗଞ୍ଜର କେତେକ ଅଞ୍ଚଳରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ସୂଚନାଯୋଗ୍ୟ ପ୍ରତ୍ୟେକ ବର୍ଷ ପୌର କର୍ତ୍ତୃପକ୍ଷଙ୍କ ଉଦାସୀନତାରୁ ପୌରାଞ୍ଚଳର ଅର୍ଦ୍ଧାଧିକ ୱାର୍ଡ଼ ବର୍ଷା ଋତୁରେ ପ୍ରଭାବିତ ହୋଇଥାଏ । ପୌରାଞ୍ଚଳର ଅଧିକାଂଶ ମାଟି ଓ ପକ୍କା ନାଳ ରକ୍ଷଣାବେ୪ଣ ଅଭାବରୁ ପୋତି ହୋଇ ବର୍ଷାଜଳ ନିଷ୍କାସନରେ ବାଧକ ସାଜିଥାଏ । ଫଳରେ ଶେଷମୁହୂର୍ତ୍ତରେ ଅର୍ଥାତ୍ ବାହାଘର ବେଳେ ବାଇଗଣ ରୁଆ ସଦୃଶ ସମାଲୋଚନାରୁ ବର୍ତ୍ତିବା ପାଇଁ ପୌର କର୍ତ୍ତୃପକ୍ଷ ବିଭିନ୍ନ ୱାର୍ଡ଼ରେ ତାଲିପକା କାର୍ଯ୍ୟ କରିବା ସହ ପମ୍ପ ଲଗାଇ ଜଳ ନିଷ୍କାସନର ବ୍ୟବସ୍ଥା କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଭଦ୍ରକ ଜିଲ୍ଲାପାଳ ହେଉଛନ୍ତି ପୌରପାଳିକାର ମୁଖ୍ୟ । ତେଣୁ ସ୍ୱାଭାବିକ୍ ଭାବରେ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ । ଗତକାଲି ରାତିରେ ବର୍ଷା ଆରମ୍ଭ ହେବା ପରେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜେିସିବି ମେସିନ ଲଗାଇ ବର୍ଷା ଜଳ ନିଷ୍କସନ ପଥକୁ ପରିଷ୍କାର କରାଯାଉଛି । ତଥାପି ପୌରାଞ୍ଚଳର ଅଧିକାଂଶ ୱାର୍ଡ଼ରେ ନାର୍ହିନଥବବା ପରିସ୍ଥିତି ସଅଷ୍ଟି ହୋଇଛି । ଏହି ପରିସ୍ଥିତି ଅଗାମୀ ଦିନରେ ଭୟଙ୍କର ଆକାର ଧାରଣ କରିବା ନିଶ୍ଚିତ । ତେଣୁ ପୌରବାସୀଙ୍କୁ କୁତ୍ରିମ ବନ୍ୟା ପରିସ୍ଥିତିରୁ ରକ୍ଷା କରିବାକୁ ପୌର ପ୍ରଶାସନ ସଜାଗ ହେବାକୁ ପୌରାଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।
Related Posts
About The Author