ନୁଆଦିଲ୍ଲୀ, ୧୪/୧୦/୨୦୨୧ (ସନ୍ଧାନ ନିଉଜ) : ଆଫଗାନିସ୍ତାନର କୁନାର ପ୍ରଦେଶରେ ଗୁରୁବାର ହୋଇଥିବା ବିସ୍ଫୋରଣରେ ତାଲିବାନର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଗଣମାଧ୍ୟମକୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ପ୍ରାଦେଶିକ ରାଜଧାନୀ ଆସାଦବାଦର କରହାଲି ଅଞ୍ଚଳର ଏକ ବ୍ରିଜ ନିକଟରେ ଘଟିଛି। ତେବେ ଖବର ମୁତାବକ କୁନାରର ଶେଗଲ ଜିଲ୍ଲା ପାଇଁ ତାଲିବାନର ପୋଲିସ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଅବଦୁଲ୍ଲା ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାଦେଶିକ ଡାକ୍ତରଖାନାର ମୁଖ୍ୟ ଅତଲହୁଲ୍ଲା ସାପେ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇ ଶିଶୁ ଏବଂ ଚାରିଜଣ ତାଲିବାନ ସଦସ୍ୟଙ୍କ ସମେତ ୭ ଜଣ ସାଧାରଣ ନାଗରିକ ଅଛନ୍ତି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି। ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ସହିତ ଜଡିତ ଆତଙ୍କିମାନେ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି ବୋଲି ଖବର ମିଳିଛି। ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି ସାଧାରଣତଃ ଶାନ୍ତ ରହିଥିଲା।
ଆଫଗାନିସ୍ତାନର କୁନାର ପ୍ରଦେଶରେ ବିସ୍ଫୋରଣ: ତାଲିବାନର ଜଣେ ଅଧିକାରୀଙ୍କ ମୃତ୍ୟୁ
|
October 15, 2021 |