ଭଦ୍ରକ, ୨୯/୦୪/୨୦ (ସନ୍ଧାନ ନିଉଜ) : ଲକଡାଉନ୍ ଯୋଗୁଁ ତିହିଡିରେ ରିକ୍ସା ଚାଳକମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ଏମାନଙ୍କ ଜୀବିକା ଉଜୁଡି ଯାଇଛି । ଏପରିକି ରିକ୍ସା ଚାଳକଙ୍କ ‘ଆସ ବାବୁ, ବସ’ ଡାକ ଆଉ ଶୁଭୁନି । ଲକଡାଉନ୍ ଯୋଗୁଁ ଘରୁ ରିକ୍ସା ବଜାର ଛକକୁ ଆସୁନି । କରୋନାଟା ଏତେ ଅବିବେକି ଯେ ବଜାରରେ ଅଟୋ ଓ ଆମ୍ବୁଲାନ୍ସକୁ ଲାଗୁନି । ତିନି ଚକିଆ ରିକ୍ସାକୁ ଧରୁଛି କିଏ? ଜଣେ ବୁଢା ରିକ୍ସା ଚାଳକ ଆଜି ଅତି କୋହଭରା କଣ୍ଠରେ କହିଛନ୍ତି । ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ ଭାଗୀରଥି ଜେନା । ଏବେ ଆଉ ରିକ୍ସା ଘରୁ ବାହାରୁନି । ଦେଢମାସ ହେଲା ଘରେ ପଡିରହିଛି । ରିକ୍ସା ଗଡିଲେ ଘରକୁ ଅତି କମ୍ରେ ୫୦ ଟଙ୍କା ଆସେ । ସରକାରୀ ଟଙ୍କାକିଆ ଚାଉଳ ପେଟ ପୁରାଏନା । ୮ ଜଣିଆ ପରିବାରରୁ ୪ ଜଣଙ୍କୁ ରାସନ୍ ମିଳୁଛି । ୮ ଜଣିଆ ପରିବାର ପାଇଁ ଦିନକୁ ୨.୫ କିଗ୍ରା ଚାଉଳ ନିହାତି ଆବଶ୍ୟକ । ଏହି ହିସାବକୁ ନେଲେ ୭୦ କିଗ୍ରା ଚାଉଳ ପରିବାର ପାଇଁ ଦରକାର । ସରକାର ଦେଉଛନ୍ତି ୨୦ କିଗ୍ରା ଚାଉଳ । ତେଣୁ ରିକ୍ସା ଚଳାଇଲେ ପରିବାର ଚଳେ ବୋଲି ଭାଗୀରଥି କହିଥିଲେ । ଏବେ ପରିବାର ଅବସ୍ଥା କହିଲେ ନସରେ । କେବଳ ଭାଗୀରଥି ଜେନା ନୁହଁନ୍ତି, ତିହିଡି ଓ ଚାନ୍ଦବାଲି ବ୍ଲକ୍ରେ ଶତାଧିକ ଗରିବ ରିକ୍ସାବାଲାଙ୍କ ଜୀବନ ଜୀବିକା ଏବେ ଦୁର୍ଦ୍ଦିନରେ ଚାଲିଛି । ଏମାନେ ଲକଡାଉନ୍ ଖୋଲିବା ସମୟକୁ ଚାହିଁ ବସିଛନ୍ତି । କରୋନା ବେଳେ ଏମାନଙ୍କୁ ସହାୟତା ମିଳୁନି । ଏପରିକି କେହି ଜଣେ ତାଙ୍କୁ ମାସ୍କଟିଏ ଦେବାକୁ ଆସୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଲକଡାଉନ୍ ଉଜାଡି ଦେଲା ଜୀବିକା
|
April 29, 2020 |