ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ୍ ଏବେ ଭାରତରେ ପ୍ରଭାବ ବିସ୍ତାର କରୁଛି

Spread the love

ଭୁବନେଶ୍ୱର, ୨୮/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନାଭାଇରସ୍ ଏବେ ଭାରତରେ ପ୍ରଭାବ ବିସ୍ତାର କରୁଛି। ସାଧାରଣତଃ ଜ୍ୱର ଓ ଶୁଖିଲା କାଶ କରୋନାର ଲକ୍ଷଣ ହୋଇଥିଲେ ମଧ୍ୟ କେତେକ ଆକ୍ରାନ୍ତଙ୍କ ଠାରେ ଝାଡ଼ାବାନ୍ତି ଓ ଘ୍ରାଣଶକ୍ତି କ୍ଷୟ ହେବା ପରି ଲକ୍ଷଣ ଦେଖାଯାଇଛି। ଉହାନରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।

କରୋନା ଉତ୍ପତ୍ତିସ୍ଥଳ ଚୀନର ଉହାନରେ ୧୯୧ ଜଣ ରୋଗୀଙ୍କ ଉପରେ ଅଧ୍ୟୟନ କରଯାଇଥିଲା। ଏଥିରୁ ଜଣାପଡିଛି କରୋନା ଭାଇରସ୍ ଶ୍ୱାସପ୍ରଶ୍ୱାସ ପଥରେ ଥିବା ରିସେପ୍ଟରରେ ରହି କୋଭିଡ୍-୧୯ (ରୋଗ) ସୃଷ୍ଟି କରେ। ପ୍ରଥମେ ଏହି ଭୂତାଣୁ ତଣ୍ଟିର ପଶ୍ଚାତ୍ ଭାଗକୁ ଆକ୍ରମଣ କରେ। ପରେ ଫୁସଫୁସ ମଧ୍ୟକୁ ଯାଇ ପ୍ରଦାହ ସୃଷ୍ଟିକରେ। ଶରୀରରେ ପ୍ରବେଶ କରିବା ପରେ କରୋନା ଭାଇରସ୍ ହାରାହାରି ୫ଦିନରେ ବିକଶିତ ହୁଏ। ତା’ପରେ ଜ୍ୱର କରାଇଥାଏ। ତିନି ଦିନରେ ଦେଖାଦେଉଥିବା ଲକ୍ଷଣ ସମୟରେ ଭାଇରସ୍ ତଣ୍ଟି ଭିତରର ପଛପଟରେ ଥିବା ଶ୍ୱାସପ୍ରଶ୍ୱାସ କୋଷିକାରେ ଲାଖିରହିଥାଏ। କୋଷିକାରେ ଥିବା ଆଞ୍ଜିଓଟେନସିନ୍-କନଭର୍ଟିଙ୍ଗ୍ ଏନଜାଇମ୍-ଟୁ ନାମକ ରିସେପ୍ଟରରେ ଲାଖି ରହିବା ପାଇଁ ଭାଇରସ୍ ନିଜ ଦେହରେ ଥିବା କଣ୍ଟା ଭଳି ଦିଶୁଥିବା ପ୍ରୋଟିନକୁ ବ୍ୟବହାର କରେ। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଶୁଖିଲା କାଶ ହୁଏ। ଚତୁର୍ଥ ଓ ନବମ ଦିନ ମଧ୍ୟରେ କରୋନା ଭାଇରସ୍ ଫୁସଫୁସକୁ ଆକ୍ରାନ୍ତ କରୁଥିବାରୁ ଶ୍ୱାସକ୍ରିୟାରେ କଷ୍ଟକର ହୋଇଥାଏ। ଏହା ପରେ ନିମୋନିଆ। ଫୁସଫୁସ ଥଳିଗୁଡ଼ିକ ତରଳ ପଦାର୍ଥ ଓ ପୁଜରେ ପୂର୍ଣ୍ଣ ହୋଇଯାଏ।

ତେଣୁ ଜ୍ଵର, ଶୁଖିଲା କାଶ ଓ କଷ୍ଟକର ଶ୍ୱାସକ୍ରିୟା କରୋନାଭାଇରସ୍ ଆକ୍ରମଣର ପ୍ରାଥମିକ ଉପସର୍ଗ ବୋଲି ଡାକ୍ତରମାନେ କହୁଛନ୍ତି। ଏହାଛଡ଼ା ଦେହ ଚୋଇବା, ଝାଡ଼ା ଓ ବାନ୍ତି ହେବା ଲକ୍ଷଣ ମଧ୍ୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ଠାରେ ଦେଖାଯାଉଥିବା ଆମେରିକାର କେତେକ ଡାକ୍ତର ଲକ୍ଷ୍ୟ କରିଛନ୍ତି। କିନ୍ତୁ କେଉଁ କାରଣ ପାଇଁ କୋଭିଡ୍-୧୯ ସଂକ୍ରାନ୍ତଙ୍କ ଠାରେ ଏତେ ପ୍ରକାରର ଉପସର୍ଗ ଦେଖାଦେଉଛି ତାହା ଡାକ୍ତରମାନେ ଏ ପର୍ଯ୍ୟନ୍ତ ଜାଣି ପାରୁନାହାନ୍ତି।

Related Posts

About The Author

Add Comment