ନୂଆଦିଲ୍ଲୀ, ୪/୧/୨୦ (ସନ୍ଧାନ ନିଉଜ) : ଆମେରିକା ଓ ଇରାନ୍ ଉତ୍ତେଜନାରୁ ନିବୃତ ରହିବା ପାଇଁ ଭାରତ ଆହ୍ୱାନ କରିଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ସମଗ୍ର ବିଶ୍ୱପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଥିବା ବେଳେ ପରିସ୍ଥିତି ଅଧିକ ଜଟିଳ ନ ହେବା ଉଚିତ୍ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟ ଆହୁରି କହିଛି, ଶାନ୍ତି, ସ୍ଥିରତା ଓ ନିରାପତ୍ତା ସେହି ଅଞ୍ଚଳ ପାଇଁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ।
ଇରାନ୍ର ରିଭଲ୍ୟୁସନାରୀ ଗାର୍ଡସ୍ କୁଦସ୍ ବାହିନୀର କମାଣ୍ଡର କାସେମ ସୋଲେମାନିଙ୍କୁ ଆମେରିକା ଇରାକରେ ହତ୍ୟା କରିବା
ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି । ପରିସ୍ଥିତି ଆହୁରି ଜଟିଳତା ଆଡ଼କୁ ଗତି କରିବା ଉଚିତ୍ ନୁହେଁ ବୋଲି ଭାରତ କହିଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତ ନିରନ୍ତର ଭାବେ ସଂଯମତା ବଜାୟ ରଖିବା ସପକ୍ଷରେ ଯୁକ୍ତିବାଢ଼ି ଆସିଛି ।
ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ରବର୍ଟ ଓବ୍ରେନ୍ କହିଛନ୍ତି, ଇରାନ୍ର ଶକ୍ତିଶାଳୀ ରିଭଲ୍ୟୁସନାରୀ ଗାର୍ଡସ୍ କମାଣ୍ଡର ଜେନେରାଲ୍ କାସେମ ସୋଲେମାନିଙ୍କୁ ମାରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନିଷ୍ପତ୍ତି ଅଧିକ ରକ୍ତପାତକୁ ରୋକିବା ଓ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ୱାଶିଂଟନ୍ଠାରେ ଏକ କଲ୍ କନଫରେନ୍ସ ମାଧ୍ୟମରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି। ଶ୍ରୀ ଓବ୍ରେନ୍ ଅଭିଯୋଗ କରିଛନ୍ତି, ମଧ୍ୟପ୍ରାଚ୍ୟ ଅଞ୍ଚଳ ଗସ୍ତରେ ଥିବା ସୋଲେମାନି ଦାମସ୍କସରୁ ଆସି ଇରାକ୍ରେ ପହଞ୍ଚିଥିବାର ଖବର ମିଳିଥିଲା। ସେ ଆମେରିକା ସୈନ୍ୟ ଓ କୂଟନୀତିଜ୍ଞମାନଙ୍କ ଉପରେ ଆକ୍ରମଣ କରିବାର ଯୋଜନା ପ୍ରସ୍ତୁତ କରୁଥିଲା। ଟ୍ରମ୍ପ୍ ପ୍ରଶାସନର ଏହି ନିଷ୍ପତ୍ତିକୁ ଇରାନ୍ ନିନ୍ଦା କରିବା ସହ ପ୍ରତି ଆକ୍ରମଣ ପାଇଁ ଅଙ୍ଗୀକାରବଦ୍ଧ ହୋଇଛି।
ଶୁକ୍ରବାର ବାଗଦାଦ୍ ଆନ୍ତର୍ଜାତିକ ବିମାନବନ୍ଦରରେ ସୋଲେମାନିଙ୍କୁ ହତ୍ୟା କରାଯାଇଥିଲା। ଏହି ବିମାନ ଆକ୍ରମଣର ଇରାକ୍ର ଶକ୍ତିଶାଳୀ ହସିଦ୍ ଅଲ୍ ସାବି ଅର୍ଦ୍ଧସାମରିକ ବାହିନୀର ଉପମୁଖ୍ୟଙ୍କ ସମେତ କେତେକ ସ୍ଥାନୀୟ ଇରାନ୍ ସମର୍ଥୀତ ସନ୍ତ୍ରାସବାଦୀମାନେ ମଧ୍ୟ ନିହତ ହୋଇଛନ୍ତି।