ଭଦ୍ରକ, ବାଲେଶ୍ବରକୁ ବେହାଲ କଲା ବାତ୍ୟା ‘ବୁଲ୍‌ବୁଲ୍‌’

Spread the love

ବାଲେଶ୍ବର/ଭଦ୍ରକ, ୧୦/୧୧ (ସନ୍ଧାନ ନିଉଜ) : ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଦ୍ରକ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଧାମରା, ବାସୁଦେବପୁର, ଚାନ୍ଦବାଲି, ଚୂଡ଼ାମଣି, ଚନ୍ଦନୀପାଳ, କଶିଆ ଆଦି ଅଞ୍ଚଳରେ ୯୦ କିମି ବେଗରେ ପବନ ବହିବା ସହିତ ଅନେକ ଘରଦ୍ବାର ଭାଙ୍ଗିଯାଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅନେକ ଗାଁ’କୁ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି। ଚାନ୍ଦବାଲି ବ୍ଲକ୍‌ରୁ ୪୦୦, ବାସୁଦେବପୁର ବ୍ଲକ୍‌ରୁ ୨୦ ଜଣଙ୍କ ସମେତ ମୋଟ ୪୨୦ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ବାତ୍ୟାରେ କୌଣସି ଜୀବନହାନି ଘଟି ନଥିଲେ ମଧ୍ୟ ଜିଲ୍ଲାରେ ଧାନଚାଷ ଉଜୁଡ଼ିଯାଇଛି।

ବୁଲ୍‌ବୁଲ୍ ପ୍ରଭାବରେ ଗତକାଲି ରାତି ପ୍ରାୟ ଅଢ଼େଇଟା ବେଳକୁ ଉଗ୍ରରୂପ ଧାରଣ କରିଥିଲା ସମୁଦ୍ର। ଜୁଆର ମାଡ଼ି ଆସିବା ସହ ଜୋର୍‌ରେ ପବନ ବହିଥିଲା। ଧାମରା ମୁହାଣଠୁ ୪ କିମି ଦୂର ଚନ୍ଦନୀପାଳ ନିକଟରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣ ମତ୍ସ୍ୟଜୀବୀ ପହଁରି ପହଁରି ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ଆଜି ଏନ୍‌ଡିଆରଏଫ୍‌ ସେମାନଙ୍କୁ ଉଦ୍ଧାର କରିଛି। ସେହିପରି ଧାମରା ମୁହାଣରେ ଜଣେ ମତ୍ସ୍ୟଜୀବୀ ଆଜି ଭୋର୍‌ ସମୟରେ ଲଙ୍ଗର ପକାଉଥିବା ବେଳେ ସମୁଦ୍ରରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ପବନରେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ସହାୟତାରେ ହଟାଯାଉଛି। ବର୍ଷା ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସୂଚନା ଦେଇଛନ୍ତି।

ବାଲେଶ୍ବରରେ ବି ଭୟଙ୍କର କୋପ ଦେଖାଇଛି ‘ବୁଲ୍‌ବୁଲ୍‌’। ଏହାର ପ୍ରଭାବରେ ୭୪ କିମି ବେଗରେ ପବନ ବହିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୩୫୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସମୁଦ୍ରକୂଳ ଓ ନଦୀକୂଳ ଅଞ୍ଚଳରୁ ୯୭୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାଳେଶ୍ବର ସଦର ବ୍ଲକ ଛାନୁଆ ପଞ୍ଚାୟତ ସୋଲପଟା ନଈରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜିଲ୍ଲାର ଭୋଗରାଇ, ବାଲିଆପାଳ, ଜଳେଶ୍ବର, ରେମୁଣା, ବାହାନଗା, ବସ୍ତା, ନୀଳଗିରି, ଔପଦା ଅଞ୍ଚଳରେ ଘରଦ୍ବାର ଭାଙ୍ଗିଯିବା ସହିତ ଗଛ, ବିଜୁଳି ଖୁଣ୍ଟ ଉପୁଡ଼ି ଯାତାୟାତ ଓ ବିଜୁଳି ସେବା ବାଧାପ୍ରାପ୍ତ ହୋଇଛି। ଜିଲ୍ଲାରେ ଧାନ ଓ ପରିବା ଚାଷ ମଧ୍ୟ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି।

Related Posts

About The Author

Add Comment