ନୂଆଦିଲ୍ଲୀ, ୨/୫ (ସନ୍ଧାନ ନିୟୁଜ) : ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା ବିଜେପିକୁ ଟାର୍ଗେଟ କରି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଗୋଧରା ଭଳି ପୁଲଓ୍ଵାମାରେ ହୋଇଥିବା ଆକ୍ରମଣ ମଧ୍ୟ ବିଜେପିର ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି ବାଘେଲା । ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏଭଳି ବିବାଦୀୟ ବୟାନ ଦେବା ସହ ବିଜେପି ନିର୍ବାଚନ ଜିତିବା ପାଇଁ ଏପରି କରିଥିବାର ଆରୋପ ଲଗାଇଥିଲେ ବାଘେଲା ।
ତାଙ୍କ କହିବା ଅନୁଯାୟୀ, ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ କେହି ବି ମୃତାହତ ହୋଇ ନାହାନ୍ତି । କୌଣସି ଇଣ୍ଟରନ୍ୟାସ୍ନାଲ ଏଜେନ୍ସି ମଧ୍ୟ ୨୦୦ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ନେଇ ପ୍ରମାଣ କରି ପାରି ନଥିଲେ । ବାଲାକୋଟ୍ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା । ଆତଙ୍କବାଦୀ ହାମ୍ଲା ନେଇ ପୂର୍ବରୁ ଭାରତ ସରକାରଙ୍କୁ ସୂଚାଇ ଦିଆ ଯାଇଥିଲେ ମଧ୍ୟ ସେ କ’ଣ ପାଇଁ ପୁଲଓ୍ଵାମାରେ ଆକ୍ରମଣ ହେବା ପାଇଁ ଅପେକ୍ଷା କରିଥିଲେ ବୋଲି ପ୍ରଶ୍ନ କରିଥିଲେ ବାଘେଲା । ତାଙ୍କର ଏଭଳି ଆରୋପକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି ।



