ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି କରିଥିବା ଅଭିଯୋଗ ପ୍ରସଙ୍ଗରେ ବିଜେପି ତୀବ୍ର ପ୍ରତିକ୍ରିୟା

Spread the love
ଭୁବନେଶ୍ୱର, ୨୫/୪ (ସନ୍ଧାନ ନିୟୁଜ):  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି କରିଥିବା ଅଭିଯୋଗ ପ୍ରସଙ୍ଗରେ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଜେରା କରିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଲୁଚାଇଥିବାରୁ ବିଜେଡି ଏଭଳି ନାଟକ କରୁଛି।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, କୋଇଲା ଦୁର୍ନୀତିରେ ସିବିଆଇ ଜେରା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନୀ ନାମାଙ୍କନ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି। ସେହିପରି ବାଲେଶ୍ୱରରୁ ବିଜେଡି ପ୍ରାର୍ଥୀ ରଵୀନ୍ଦ୍ର ଜେନା ଚିଟଫଣ୍ଡ ଠକେଇ ମାମଲାରେ ଏବେ ଜାମିନରେ ଅଛନ୍ତି। ସେ ମଧ୍ୟ ଏହି ତଥ୍ୟ ନାମାଙ୍କନ ପତ୍ରରେ ଉଲ୍ଲେଖ କରିନାହାନ୍ତି। ବିଜେଡି ନେତାଙ୍କର ଏହି ଗୁମର ଖୋଲିବାର ଆଶଙ୍କା ଥିବାରୁ ସେମାନେ ସେଥିରୁ ବର୍ତ୍ତିବା ପାଇଁ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣି ନୂଆ ନାଟକ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ବୈଜୟନ୍ତ ବାବୁ ବିଜେଡି ଦଳରେ ଥିଲାବେଳେ ସବୁ କଥା ଠିକ୍ ଥିଲା। ତାଙ୍କ ଦଳ ଯିଏ ଛାଡ଼ିବ, ତାଙ୍କ ନାଁରେ ଅଚାନକ ଅଭିଯୋଗ ଅଣାଯିବ। ମୁଖ୍ୟମନ୍ତ୍ରୀ ତାଙ୍କର ସତ୍ୟପାଠରେ କୋଇଲା ଦୁର୍ନୀତିରେ ସିବିଆଇ ଜେରା କରିଥିବା କଥା କାହିଁକି ଉଲ୍ଲେଖ କରିନାହାଁନ୍ତି ସେ ପ୍ରଶ୍ନର ଉତ୍ତର ବିଜେଡି ଦେଇପାରିବ କି ? ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତାଙ୍କୁ ବଞ୍ଚେଇ ଦେଇଛନ୍ତି, ମାତ୍ର ଆଇନ ହାତରୁ ସେ ଖସି ପାରିବେ କି ବୋଲି ଶ୍ରୀ ମହପାତ୍ର ପ୍ରଶ୍ନ କରିଛନ୍ତି?
ସେହିପରି ବିଜେଡିର ବାଲେଶ୍ୱର ସାଂସଦ ପ୍ରାର୍ଥୀ ରଵୀନ୍ଦ୍ର ଜେନାଙ୍କୁ ଚିଟଫଣ୍ଡ ଠକେଇରେ ସିବିଆଇ ଜେରା କରିଥିଲା। ସେ ଏବେ ଜାମିନରେ ଅଛନ୍ତି। ସତ୍ୟପାଠରେ ସେ ଏକଥା ଉଲ୍ଲେଖ କରିନାହାନ୍ତି । ବିଜେଡି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ବାଲେଶ୍ୱର ସାଂସଦ ରଵୀନ୍ଦ୍ର ଜେନାଙ୍କର ସତ୍ୟପାଠକୁ ଟିକେ ଆଗ ଦେଖନ୍ତୁ । ନିଜ ଘର ଭିତର ଅବସ୍ଥାକୁ ପ୍ରଥମେ ଦେଖିକି ଏହାର ଉତ୍ତର ଦିଅନ୍ତୁ। ଏବେ ହାରିବା ଭୟରେ ବିଜେଡି ଏଭଳି ବିଭିନ୍ନ ପ୍ରକାର ପ୍ରଳାପ ଆରମ୍ଭ କରି ଦେଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related Posts

About The Author

Add Comment