ନୂଆଦିଲ୍ଲୀ, ୨୦/୭ (ସନ୍ଧାନ ନିଉଜ) : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶନିବାର ସ୍ପଷ୍ଟ ଭାବରେ କହିଛନ୍ତି, ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଉ ନାହାନ୍ତି। ଧୋନିଙ୍କ ଏହି ଘୋଷଣା ପରେ ଏହି ଓ୍ଵିକେଟ୍କିପର ବ୍ୟାଟସ୍ମ୍ୟାନ୍ଙ୍କ ଭବିଷ୍ୟତ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।
ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟିମ୍ରେ ସାମିଲ ନ ହେବା ନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଧୋନି ନିଜେ ମନା କରିଛନ୍ତି। ଆଗାମୀ ୨ ମାସ ପାଇଁ ସେ ପରାମିଲିଟାରି ରେଜିମେଣ୍ଟ ସହିତ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଏମ୍ଏସ୍କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ରବିବାର ମୁମ୍ବାଇରେ ଚୟନ କମିଟିର ବୈଠକ ବସିବ, ଯେଉଁଥିରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଚୟନ ହେବ। ଧୋନି ଏହି ଟିମ୍ରୁ ନିବୃତ୍ତ ରହିବା ପରେ ୩ ଫର୍ମାଟରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ। ଓ୍ଵିକେଟକିପର ଭାବେ ଋଦ୍ଧିମାନ ଶାହା ମଧ୍ୟ ବିକଳ୍ପ ଭାବେ ଚୟନ ହୋଇପାରନ୍ତି।