ଯାଜପୁର, ୨୪/୧୦ (ସନ୍ଧାନ ନିୟୁଜ/ମାନସ ରାଉତ)-ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକରେ ଅଷ୍ଟ୍ରେଲିଆନ କୋକ ଚୋରା ଚାଲାଣ କରି ନେଇଥିବା ଗାଡି ସହ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗାଡି ନଂ ଓଆ ର ୦୫ଏସି୭୭୬୪ ଜଗତପୁର ପାଖରୁ ଚଢେଇଧାରା ଅଭିମୁଖେ ଯାଉଥିବା ସମୟରେ ଖବରପାଇ ଯାଜପୁର ଏସ.ଡି.ପି.ଓ କେଦାରନାଥ ସାହୁଙ୍କ ତତ୍ୱବଧାନରେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ଓ ଏସ.ଆଇ ଜଗଦୀଶ କର ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥର କୋର୍ଟ ସାମନା ଡୁବୁରିଗଡା ନିକଟରେ ଉକ୍ତ ଗାଡିକୁ ଜବତ କରିଥିଲେ । ବଡଚଣା ପୋଲିସ ପକ୍ଷରୁ ଗାଡି ମାଲିକ ଜଗତପୁର ଥାନା ଅନ୍ତର୍ଗତ ଜଗତପୁର ଥାନା ପୂର୍ବକଛ ଗ୍ରାମର କୋଇଲା ପରିବହନ କରୁଥିବା ଧନେଶ୍ୱର ସାହୁ, ସାଲେପୁର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଚାଳକ କାଉଶର ଅଲ୍ଲୀ (୫୪) ଓ ଦଲାଲ ଜଗତପୁର ଥାନା ପୂର୍ବକଛ ଗ୍ରାମର ରବୀନ୍ଦ୍ର ସାହୁ(୩୦)ଙ୍କୁ ଗିରଫ କରିଛନ୍ତି ।
ଗାଡିରେ ଲୋଡ କରି ନେଉଥିବା ପ୍ରାୟ ୯ ଟନରୁ ଉର୍ଦ୍ଧ ଅଷ୍ଟ୍ରେଲିଆନ କୋକର କୌଣସି ସଠିକ କାଗଜପତ୍ର ଗାଡି ମାଲିକ ଦେଖାଇ ପାରି ନଥିଲା । ତଦନ୍ତ ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ କେଶ ନଂ ୨୩୧/୧୮ ଦଫା ୩୭୯, ୪୧୧ ଓ ୩୪ ଆଇ.ପି.ସି ଦଫା ରୁଜୁ କରି ଅଭିଯୁକ୍ତ ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।