ବାରିପଦା, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ୮ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡ଼ବିଲ୍ ରାସ୍ତା । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି । ଏଥି ସହ କେନ୍ଦୁଝର ଜିଲ୍ଲାରେ ଖଣିଜ ପରିବହନକୁ ସହଜ କରିବାକୁ ପ୍ରସ୍ତାବିତ ନ୍ୟାସନାଲ ହାଇଓ୍ବେ ପ୍ରୋଜେକ୍ଟକୁ ଯଥାଶିଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ନବୀନ । ସେହିଭଳି ଦୀଘା-ଗୋପାଳପୁର କୋଷ୍ଟାଲ ହାଇଓ୍ବେର ଅଗ୍ରଗତି ନେଇ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି । ୯ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଏହି କୋଷ୍ଟାଲ ହାଇୱେ ପ୍ରକଳ୍ପ ତୁରନ୍ତ ଆରମ୍ଭ ହେବ। ଏନେଇ ଥିବା ଦ୍ବନ୍ଦ୍ବକୁ ଦୂର କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପର ବିକାଶ ନେଇ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ ସିଂରେ ଉପସ୍ଥିତ ଥିବା ବେଳେ, ନୀତିନ ଗଡକରୀଙ୍କ ସହ ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଗୋପାଳପୁରରୁ ଦୀଘା ଯାଏଁ ହେବାକୁ ଥିବା କୋଷ୍ଟାଲ ହାଇୱେକୁ କିଭଳି ଆରମ୍ଭ କରାଯାଇପାରିବ ,ସେନେଇ ବୈଠକରେ ଆଲୋଚନା ହୋଇଛି। କୋଷ୍ଟାଲ ହାଇୱେ ଅଧୀନରେ ଗୋପାଳପୁରରୁ ସାତପଡ଼ା ପ୍ରକଳ୍ପ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। କୋଷ୍ଟାଲ ହାଇୱେ ସହିତ ରାଜ୍ୟର ଆଉ କିଛି ସଡ଼କ ପ୍ରକଳ୍ପ ସଂପର୍କରେ ମଧ୍ୟ ନିଷ୍ପତ୍ତି ହୋଇଛି। ୩୦୦ କିଲୋମିଟର ଲମ୍ବ ପାରାଦୀପ ବଡ଼ବିଲ୍ ଇକୋନୋମିକ କରିଡର୍ ରାସ୍ତା ୮ ଲେନ୍ ବିଶିଷ୍ଟ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର, ରିମୁଳି ଓ ବଡରସାହି ଦେଇ ବଡବିଲରେ ଶେଷ ହେବ। ଭୁବନେଶ୍ବର ଆଉଟର୍ ରିଂ ରୋଡ୍ କରାଯିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ପାଣିକୋଇଲିରୁ ରିମୁଳି ଯାଏଁ ଜାତୀୟ ରାଜପଥ ଏବଂ ୪୯ନମ୍ବର ଜାତୀୟ ରାଜପଥ ୪ ଲେନ୍ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ବୈଠକ ଶେଷରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନ ସଫଳ କରିବାରେ ଏହି ରାଜପଥ କିଭଳି ଭୂମିକା ରହିବ ସେନେଇ ବୈଠକରେ ଆଲୋଚନା ମଧ୍ୟ ହୋଇଛି।
୮ଲେନ୍ ବିଶିଷ୍ଟ ହେବ ପାରାଦୀପ-ବଡ଼ବିଲ୍ ରାସ୍ତା
|
February 3, 2021 |