ତାଳଚେର, ୧୮/୧୨ (ସନ୍ଧାନ ନିଉଜ) : ତାଳଚେର ଅଂଚଳର ଆଦର୍ଶ ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କୁ ପବିତ୍ର ମୋହନ ନାଗରିକ ମଂଚ ଦ୍ୱାରା କଣିହାଁଠାରେ ଆୟୋଜିତ ପୁସ୍ତକମେଳା ଓ ଲୋକ ମହୋତ୍ସବ କ଼ାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ସର୍ବଧିକ ରକ୍ତଦାନ ନିମନ୍ତେ ମାନପତ୍ର,ଉତୋରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଛନ୍ତି । ସୂଚନାଯୋଗ୍ୟ,ଶ୍ରୀ ସାହୁ ୨୦୦୧ ମସିହାଠାରୁ କ୍ରମାଗତ ଭାବେ ରକ୍ତଦାନ କରି ବର୍ତମାନ ସୁଦ୍ଧା ମୋଟ ୫୬ ଥର ରକ୍ତଦାନ କରି ତାଳଚେର ଉପଖଣ୍ଡର ସର୍ବାଧିକ ରକ୍ତଦାତା ଭାବେ ସରକାରୀ ମାନ୍ୟତା ପାଇଛନ୍ତି । ସେଥିପାଇଁ ପୂର୍ବରୁ ତାଙ୍କୁ ତାଳଚେର ରକ୍ତଭଣ୍ଡାର, ତାଳଚେର ଉପଖଣ୍ଡ ପ୍ରଶାସନ,ଅନୁଗୋଳ ଜିଲ୍ଲା ପ୍ରଶାସନ,ପୋଲିସ୍ ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ତରଫରୁ ସମ୍ମାନୀତ କରାଯାଇଛି । ଏତଦ୍ ବ୍ୟତୀତ ଅନେକ ବେସରକାରୀ ଅନୁଷ୍ଠାନ ଶ୍ରୀ ସାହୁଙ୍କର ଏହି ମହାନ କାର୍ଯ୍ୟ ପାଇଁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଛନ୍ତି । ତାଳଚେର ଉପଖଣ୍ଡରେ ଆୟୋଜିତ ରକ୍ତଦାନ ଶିବିରରେ ଶ୍ରୀ ସାହୁ ଯେ, କେବଳ ରକ୍ତଦାନ କରନ୍ତି ତା ନୁହେଁ । ରକ୍ତଦାନର ମହତ୍ୱ ଓ ଆବଶ୍ୟକତାକୁ ବୁଝାଇ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ପ୍ରବର୍ତାଇଥାନ୍ତି । ଅଦ୍ୟାବଧି ସେ ୨୫୦ରୁ ଉର୍ଦ୍ଧ୍ୱ ରକ୍ତଦାନ ଶିବିରରେ ଉପସ୍ଥିତ ରହି ଲୋକମାନଙ୍କୁ ରକ୍ତଦାନ ନିମନ୍ତେ ଉତ୍ସାହିତ କରିଛନ୍ତି । ଶ୍ରୀ ସାହୁ ତାଳଚେର ରକ୍ତ ଭଣ୍ଡାର ପରିଚାଳନା କମିଟିର ସଦସ୍ୟ ରହିଥିବା ସହ ଜିଲ୍ଲା ରେଡ଼କ୍ରସ୍ ସୋସାଇଟି,ଅନୁଗୋଳର ଆଜୀବନ ସଭ୍ୟ ଅଟନ୍ତି । ଜଣେ କର୍ତବ୍ୟନିଷ୍ଠ ସମୟାନୁବର୍ତି,ଛାତ୍ରବତ୍ସଳ,ଶିକ୍ଷକଭାବରେ ତାଙ୍କର ସୁନାମ ରହିଛି । ଶ୍ରୀ ସାହୁଙ୍କର ଏଭଳି ମହତ ଗୁଣ ପାଇଁ ତାଳଚେର ଗୋଷ୍ଠୀ ଶିକ୍ଷାଧିକାରୀ ସୁନିଲ ମୁଣ୍ଡୁ ଆଦର୍ଶ ଶିକ୍ଷକ ଭାବରେ ତାଙ୍କୁ ସମ୍ମାନୀତ କରିଛନ୍ତି । ରକ୍ତଦାନ ବ୍ୟତୀତ ଶ୍ରୀ ସାହୁ ପରିବେଶ ସୁରକ୍ଷା ନିମିତ ଅଭିଭକ୍ତ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତା ମଧ୍ୟ ସମାଜକୁ ଦେଇ ଆସୁଛନ୍ତି । ସେ ଏକାଧାରାରେ ଜଣେ ଆଦର୍ଶ ଶିକ୍ଷକ,ପରିବେଶପ୍ରେମୀ ଓ ନିୟମିତ ରକ୍ତଦାତା ଅଟନ୍ତି ।
୫୬ଥର ରକ୍ତଦାନ କରିଥିବା ଶାନ୍ତନୁ କୁମାର ସମ୍ମାନୀତ
|
December 18, 2019 |