ଜେନିଭା,୧୪/୧୧ (ସନ୍ଧାନ ନିୟୁଜ): ପିଙ୍କ ଲିଗାସୀ ନାମକ ଏକ ଗୋଲାପୀ ହୀରା ପ୍ରାୟ ୫୦.୩୭୫ ନିୟୁତ ଡଲାରରେ ବିକ୍ରି ହୋଇ ବିଶ୍ୱ ରେକର୍ଡ କରିଛି । ଏହାକୁ କ୍ରିଷ୍ଟିଜ ଅକ୍ସନ କମ୍ପାନି ପକ୍ଷରୁ ଗତକାଲି ନିଲାମ କରାଯାଇଥିଲା । ବିଶ୍ୱର ପ୍ରସିଦ୍ଧ ଜୁଏଲର୍ସ ହ୍ୟାରୀ ଓ୍ଵିନଷ୍ଟନ ଏହାକୁ କିଣିଥିବା କ୍ରିଷ୍ଟିଜ ପକ୍ଷରୁ କୁହାଯାଇଛି । ଏହି ୧୯ କ୍ୟାରେଟ ହୀରା ନିଲାମରୁ ପ୍ରାୟ ୩୦ରୁ ୫୦ ନିୟୁତ ଡଲାର ପାଇବାକୁ କମ୍ପାନି ଲକ୍ଷ୍ୟ ରଖିଥିଲା । ନିଲାମ ହେବାରେ ଏହାକୁ ବିଶ୍ୱର ସବୁଠୁ ବଡ଼ ଗୋଲାପୀ ହୀରା ବୋଲି କୁହାଯାଉଛି । ଏହି ହୀରାଟି ଓପନହାଇମର ହୀରା ଶ୍ରେଣୀର ଅଟେ ।
ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ବେଲଜିୟମର ଅଣ୍ଟଓ୍ଵର୍ପ ସହରରେ ନିଲାମ ହୋଇଥିଲା ବିଶ୍ୱର ୫ମ ବୃହତ୍ତମ ହୀରା । ୯୧୦ କ୍ୟାରେଟର ଏହି ହୀରା ଲେସୋଥୋ ଲିଜେଣ୍ଡକୁ ୪୦ ନିୟୁତ ଡଲାରରେ ବିକ୍ରି କରାଯାଇଥିଲା । ଏହି ହୀରା ଆଫ୍ରିକୀୟ ଦେଶ ଲେସୋଥୋର ଲେଟସେଙ୍ଗ ହୀରା ଖଣିରୁ ଆବିଷ୍କାର କରାଯାଇଥିଲା । ଏହାର ଆକାର ପ୍ରାୟ ଦୁଇଟି ଗଲ୍ଫ ବଲ୍ ସହ ସମାନ ହେବ । ଜେମ ଡାଇମଣ୍ଡ ଦ୍ୱାରା ଏହି ହୀରାକୁ ବିକ୍ରି କରାଯାଇଥିଲା ।