୪୯ ବର୍ଷ ହେବ ଲୁଣ ଖାଇ ନାହାନ୍ତି ବିଜେପିର ଏହି ବରିଷ୍ଠ ନେତା

Spread the love

ରାୟପୁର, ୨୦/୮ (ସନ୍ଧାନ ନିଉଜ) : ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ନନ୍ଦକୁମାର ସାଏ ଆଦିବାସୀଙ୍କୁ ମଦ ପିଇବା ଠାରୁ ଦୂରରେ ରଖିବା ଉଦ୍ଦେଶ୍ୟ ନେଇ ନିଜର ଉଦ୍ୟମ ଜାରି ରଖିଛନ୍ତି। ସେ ଏହି ଲକ୍ଷ୍ୟକୁ ପୂରା କରିବା ପାଇଁ ଗତ ୪୯ ବର୍ଷ ହେବ ଲୁଣର ସ୍ୱାଦ ମଧ୍ୟ ଚାଖି ନାହାନ୍ତି।

ଆଦିବାସୀ ନେତା ସାଏ ଅବିଭକ୍ତ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରୁ ତିନି ଥର ଲୋକସଭା ସାଂସଦ, ୨ ଥର ରାଜ୍ୟସଭା ସାଂସଦ, ତିନି ଥର ବିଧାୟକ ହୋଇପାରିଛନ୍ତି। ଏହା ବ୍ୟତୀତ ସାଏ ଅବିଭକ୍ତ ମଧ୍ୟପ୍ରଦେଶର ବିଜେପି ଅଧ୍ୟକ୍ଷ, ଛତିଶଗଡ଼ର ବିଧାନସଭାରେ ପ୍ରଥମ ବିରୋଧୀ ଦଳର ନେତା ତଥା ଛତିଶଗଡ଼ ବିଜେପି ଅଧ୍ୟକ୍ଷ ଭାବେ ତିନି ଥର ନିଜର ଭୂମିକା ତୁଲାଇଛନ୍ତି।

ବରିଷ୍ଠ ବିଜେପି ନେତା ଏକଦା ହୃଦୟଙ୍ଗମ କରିଥିଲେ ଯେ, ମଦ ପିଇବା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ବର୍ବାଦ ହୋଇଯାଉଛି। ଏହି ଖରାପ ଅଭ୍ୟାସ ପାଇଁ ଅନେକ ପରିବାରକୁ କ୍ଷତି ପହଞ୍ଚାଉଛି। ମଦ ଯୋଗୁଁ ସମାଜରେ ହିଂସାତ୍ମକ ଗତିବିଧି ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଏହି ଲୋକଙ୍କୁ ମଦରୁ ନିବୃତ୍ତ ରଖିବା ଉଦ୍ଦେଶ୍ୟରେ ସେ ଉଦ୍ୟମ ଜାରି ରଖିଛନ୍ତି।

ବର୍ଷ ୧୯୭୦ରେ ଯଶପୁର ଜିଲ୍ଲାର ଏକ ଗ୍ରାମରେ ମନ୍ଦ ବନ୍ଦ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ସାଏ କହିଥିଲେ, ବହୁ ଉଦ୍ୟମ ପରେ ବି ଲୋକେ ମଦ ଛାଡୁ ନାହାନ୍ତି। ତା’ ହେଲେ କ’ଣ କରାଯାଇପାରିବ, ଯାହାର ପ୍ରଭାବରେ ଲୋକେ ମଦ ଛାଡ଼ିବେ। ଜବାବରେ ଜଣେ ଲୋକ କହିଥିଲେ, ଯଦି କେହି ଲୁଣ ତ୍ୟାଗ କରିପାରିବ, ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ଆମେ ମଦ ପିଇବା ଛାଡିଦେବୁ। ସେହିଦିନ ଠାରୁ ସାଏ ଆଉ ଲୁଣ ଖାଇ ନାହାନ୍ତି। ଏଥି ସହିତ ସେ ଦୀର୍ଘ ୪୯ ବର୍ଷ ହେବ ମଦ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

Related Posts

About The Author

Add Comment