ଭୁବନେଶ୍ଵର : ଆସନ୍ତା ୪ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। କିଛି ଜିଲାରେ କୁଆପଥର ବୃଷ୍ଟି ସହ ପ୍ରବଳ ବର୍ଷା ହେବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମ୍ଭାବ୍ୟ ଜିଲ୍ଲା ଗୁଡିକ ପାଇଁ ଜାରି କରାଯାଇଛି ଅରେଞ୍ଜ ୱାର୍ନିଂ।
ପାଣିପାଗ ବିଭାଗ କହିଛି ମଧ୍ୟପ୍ରଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଓଡ଼ିଶା ଉପରେ ଥିବା ଟ୍ରଫଲାଇନ ପ୍ରଭାବରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଶୁକ୍ରବାର କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ ଗଞ୍ଜାମରେ ୪୦ରୁ ୫୦କିମି ବେଗରେ ପବନ ସହିତ ବଜ୍ରପାତର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅନୁଗୋଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବ। ସେଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।ସେହିପରି ୨୫ ତାରିଖରେ ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଗଜପତି, ଗଞ୍ଜାମ ଓ କଟକରେ ୩୦ରୁ ୪୦କିମି ବେଗରେ ପବନ ସହିତ ବଜ୍ରପାତ ଓ ବର୍ଷା ହେବ।