ମୁମ୍ବାଇ, 3/12 (ସଂଧାନ ନିୟୁଜ) : ୧୦୦ ବର୍ଷ ଧରି ଦେଶର ଘରେ ଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାନୀୟ ଗୁଣ୍ଡ ହରଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନିକୁ ଦେଶର ସବୁଠୁ ବଡ କଞ୍ଜ୍ୟୁମର ଉତ୍ପାଦ ପ୍ରସ୍ତୁୂତକାରୀ କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) କିଣି ନେଇଛି । ସୋମବାର ଏଚୟୁଏଲ ସହ ହରଲିକ୍ସ ପ୍ରସ୍ତୁତ କରୁଥିବା କମ୍ପାନି ଗ୍ଲାସୋ ସ୍ମିଥ କ୍ଲାଇନ(ଜିଏସକେ)ର ବିଲୟ ହୋଇଛି । ଭାରତରେ ଜିଏସକେକୁ ୩୧, ୭୦୦ କୋଟି ଟଙ୍କା ବିନିମୟରେ କ୍ରୟ କରିଛି ଏଚୟୁଏଲ ।
ହରଲିକ୍ସ ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୯୧୮) ପରେ ବିଟ୍ରିଶ ଆର୍ମି ସହ ଭାରତକୁ ଅାସିଥିଲା । ଖାସକରି ବ୍ରିଟିଶ ଆର୍ମିରେ କାମ କରୁଥିବା ଭାରତୀୟ ସୈନିକଙ୍କୁ ପ୍ରୋଟିନ ଭାବେ ଏହା ଦିଆଯାଉଥିଲା । ସେତେବେଳେ ଧନୀକ ବର୍ଗର ବ୍ୟକ୍ତିମାନେ ହରଲିକ୍ସ ଖାଉଥିଲେ । କିନ୍ତୁ ଭାରତ ସ୍ୱାଧୀନତା ହାସଲ କରିବା ପରେ ହରିଲିକ୍ସ ନିଜର ମାର୍କେଟିଙ୍ଗ ଷ୍ଟ୍ରାଟେଜି ବଦଳାଇଥିଲା ।
କେବଳ ଧନୀକ ନୁହେଁ ବରଂ କିଭଳି ସମାଜର ସବୁ ବର୍ଗର ଲୋକ ହରଲିକ୍ସ ପାଇପାରିବେ ସେଥିପାଇଁ ନୂଆ ରୂପରେ ଉଭା ହୋଇଥିଲା । ଖାସକରି ଶିଶୁମାନଙ୍କର ବିକାଶ ଓ ପୋଷଣ ଡ୍ରିଙ୍କ୍ ଭାବେ ହରଲିକ୍ସ ନୂଆ ରୂପରେ ବଜାରକୁ ପ୍ରବେଶ କରିଥିଲା । ତେବେ ୟୁନିଲିଭର ଓ ଜିଏସକେ ମଧ୍ୟରେ ହୋଇଥିବା ଡିଲ କେବଳ ଭାରତ ମଧ୍ୟରେ ସୀମିତ ରହିବ । ଏହାର ପ୍ରଭାବ ଇଂଲଣ୍ଡରେ ଥିବା ଜିଏସକେର ମୂଳ କମ୍ପାନିର ବ୍ୟବସାୟକୁ ପ୍ରଭାବିତ କରିବ ନାହିଁ । ଇଂଲଣ୍ଡରେ ହରଲିକ୍ସର ମାଲିକାନାସତ୍ତ୍ବ ଜିଏସକେ କମ୍ପାନି ପାଖରେ ହିଁ ରହିବ ।