୨.୧କୋଟି ଟଙ୍କାର ଗଞ୍ଜେଇ ସହ ଟ୍ରକ, ବଲେରୋ ଗାଡି ଜବତ, ୪ଆନ୍ତରାଜ୍ୟ ଚୋରା ଗଞ୍ଜେଇ ମାଫିଆ ଗିରଫ
୨.୧କୋଟି ଟଙ୍କାର ଗଞ୍ଜେଇ ସହ ଟ୍ରକ, ବଲେରୋ ଗାଡି ଜବତ, ୪ଆନ୍ତରାଜ୍ୟ ଚୋରା ଗଞ୍ଜେଇ ମାଫିଆ ଗିରଫ
Manas Kumar Rout |
May 22, 2019 |

ମାଲକାନଗିରି, ୨୨/୫ (ସନ୍ଧାନ ନିୟୁଜ) ଚିତ୍ରକୋଣ୍ଡା ଓ ଓରେକଲ ପୁଲିସ ଦୁଇଟି ସ୍ଥାନରୁ ଟ୍ରକ, ବଲେରୋ ଗାଡି ସହ ୨କୋଟି ୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତକରି ୪ଜଣ ଆନ୍ତରାଜ୍ୟ ଗଞ୍ଜେଇ ଚୋରା ବେପାରିଙ୍କୁ ଗିରଫ କରିଛନ୍ତି। ମାଲକାନଗିରି ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରାଚାଲାଣର ଭୁସ୍ୱର୍ଗ ପାଲଟିଥିବା ବେଳେ ଚିତ୍ରକୋଣ୍ଡା ଥାନା ପୁଲିସ କୁ ମିଳିଛି ବଡ ଧରଣର ସଫଳତା। ଚିତ୍ରକୋଣ୍ଡା ଥାନା ଇନିସପେକ୍ଟର ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ପୁଲିସ ସଦଳବଳ ମାଓପ୍ରବଣ ଅଞ୍ଚଳ ବଡପଦର ଏସଆର ଛକରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଧ୍ର ସିଲେରୁ ଆଡୁ ଏକ ୧୦ଚକିଆ ଟ୍ରକ ଦୃତଗତିରେ ସେହି ରାସ୍ତାରେ ପଳାଇ ଯାଉଥିବାର ଦେଖି ପୁଲିସ ସେହି ଟ୍ରକକୁ ଗୋଡାଇ ଅଟକାଇ ଥିଲେ। ପୁଲିସଙ୍କୁ ଦେଖି ସେଥିରେ ବସିଥିବା ୨ଜଣ ଟ୍ରକରୁ ଓହ୍ଲାଇ ଜଙ୍ଗଲକୁ ଦୌଡି ପଳାଇବାକୁ ଚେଷ୍ଟାକରିଥିଲେ, ପୁଲିସ ସେମାନଙ୍କୁ ଗୋଡାଇ ଧରିଥିଲେ। ଟ୍ରକ ଖାନତଲାସି କରିବାରୁ ଉକ୍ତ ଗାଡିରେ ୬୨ଟି ବଡ ବଡ ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ପ୍ୟାକେଟ ବୋଝେଇ ହୋଇରହିଥିଲା। ପୁଲିସ ଉକ୍ତ ଗଞ୍ଜେଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିଥିଲେ, ସେଥିରେ ୧୮୬୦ କେଜି ଓଜନର ଉନ୍ନତମାନର ଗଞ୍ଜେଇ ଥିଲା। ଗିରଫ ହୋଇଥିବା ଆନ୍ଧ୍ର ପ୍ରଦେଶର ଗଲାପାଲି କୁମାର(୨୨), ଗୌରିଶ୍ୱର ରାଓ(୫୦) ଏହି ଗଞ୍ଜେଇ ଗୁଡିକୁ ଆନ୍ଧ୍ର ପ୍ରଦେଶ ଦାରାକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ବୋଝେଇ ଗାଡିଟିକୁ ନାଗପୁର ସହର କୁ ନେଇଯାଉଥିଲେ, ଏହି ଗଞ୍ଜେଇର ମାଲିକ କିଏ ପୁଲିସଙ୍କୁ ସଠିକ ସେମାନେ ଜଣାଇ ନାହିଁନ୍ତି, ଚିତ୍ରକୋଣ୍ଡା ଥାନା ପୁଲିସ ଏ ସଂପର୍କରେ ଏକ କେସ ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି। ୨ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଠିକ ସେହିପରି ଓରକେଲ ପୁଲିସ ଏକ ଗଞ୍ଜେଇ ବୋଝେଇ ବଲେରୋ ଗାଡିକୁ ଆଜି ଜବତ କରି ସେହି ଗାଡିରୁ ୩ଶହ କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ ସହ ଦୁଇଜଣଙ୍କୁ ଗିରଫ କରିଛନ୍ତି, ଏହି ଦୁଇଟି ଗାଡି ଆନ୍ଧ୍ର ପ୍ରଦେଶରୁ ଆସୁଥିଲା ଏହା ନାଗପୁର ସହରରେ ବିକ୍ରି ହେବାକୁ ଯାଉଥିଲା। ଚିତ୍ରକୋଣ୍ଡା ପୁଲିସ ଗଞ୍ଜେଇ ଟ୍ରକଟିଏକୁ ଜବତ କରିଥିବାବେଳେ ଓରକେଲ ପୁଲିସ ଗଞ୍ଜେଇ ବଲେରୋ ଗାଡିକୁ ଜବତ କରିଛନ୍ତି, ଏହି ଦୁଇଟି ଗାଡିରୁ ୪ଜଣଙ୍କୁ ଗିରଫ କରାଯାଇ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଦୁଇଟି ସ୍ଥାନରୁ ମିଳିଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ଏକ ଲକ୍ଷଟଙ୍କା ହେବ ବୋଲି ଆଜି ଅପରାହ୍ନରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଏସପି ଉଦ୍ଧବ ଚରଣ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରାଗଞ୍ଜେଇ ବେପାରି ଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓପ୍ରବଣ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚୋରାଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଞ୍ଚଳ ମାଓପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେସ ଲାଭବାନ ହୋଇଥାନ୍ତି।

Related Posts
About The Author