କଟକ ୧୬/୩ (ସନ୍ଧାନ ନିୟୁଜ) ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ ନେଇ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ଜଣେ ନକଲି ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ଆଜି ତାଙ୍କୁ କଟକସଦର କୋର୍ଟକୁ ଚାଲାଣ କରାଯାଇଛି। ଗିରଫ ଶିକ୍ଷୟିତ୍ରୀ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ଗରଦପୁରର ଅନ୍ନପୂର୍ଣ୍ଣା ଦାଶ(୪୦)।
ସୂଚନା ମୁତାବକ, ୨୦୧୧-୧୨ ମସିହାରେ କଟକ ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ୧୪୮ ଜଣ ପର୍ସନାଲ ଲୋନ୍ ଭାବେ ୨.୯୬ କୋଟି ଟଙ୍କା ଉଠାଇ ଥିଲେ। ଋଣ ଗ୍ରହୀତାମାନେ ଜାଲ କାଗଜପତ୍ର ମାଧ୍ୟମରେ ଦର୍ଶାଇଥିଲେ କି ସେମାନେ ବିଭିନ୍ନ ୟୁପି/ଏମଇ/ ହାଇସ୍କୁଲରେ ଶିକ୍ଷକ/ଶିକ୍ଷୟିତ୍ରୀ ଅଛନ୍ତି। ପରବର୍ତୀ ସମୟରେ ସେମାନେ କେହି ଋଣ ସୁଝି ନ ଥିଲେ। ପରେ ଏ ନେଇ ଭୁବନେଶ୍ୱର ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର୍ କ୍ରାଇମ ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତବେଳେ ଜଣାପଡ଼ିଥିଲା କି ଅନ୍ନପୂର୍ଣ୍ଣା ମଧ୍ୟ ଜାଲ କାଗଜପତ୍ର ମାଧ୍ୟମରେ ନିଜକୁ କେନ୍ଦ୍ରାପଡ଼ା ଜିଲ୍ଲା ବେହୁଲି ୟୁପି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ବୋଲି ବୋଲି ଦର୍ଶାଇଥିଲେ। ତେଣୁ ଆଜି କ୍ରାଇମ୍ ବ୍ରାଞ୍ଚ ତାଙ୍କ ଘରୁ ଗିରଫ କରିଥିଲା। ଏହି ଠକେଇ ଘଟଣାର କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି ।
Report- Prakash Rout, Cuttack




