୧୩/୧୧ (ସନ୍ଧାନ ନିୟୁଜ):ଦେଶରେ ପୁଞ୍ଜିନିବେଶ ନିମନ୍ତେ ଆମ ପାଇଁ ଯେଉଁ କେତୋଟି ରାଜ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସେମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା। ଆମେ ଏଠାରେ ଆଗାମୀ ଦୁଇ ବର୍ଷରେ ୨ ବିଲିଅନ୍ ଡଲାର ନିବେଶ କରିବାକୁ ଯୋଜନା ରଖିଛୁ ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା କହିଛନ୍ତି। ରାଜ୍ୟରେ ପୋଷାକଠାରୁ ଟେଲିକମ୍ ଏବଂ ଆଲୁମିନିୟମ ଠାରୁ ସିମେଣ୍ଟ୍ ପର୍ଯ୍ୟନ୍ତ କାରବାର କରୁଥିବା ଏହି ଗ୍ରୁପ୍ ୪୦ ହଜାର କୋଟି ଟଙ୍କା ନିବେଶ କରିସାରିଛି। ଏହି ନିବେଶ ଯୋଗୁ ରାଜ୍ୟରେ ୧୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆଗାମୀ ଦିନରେ ୨୫ ହଜାର ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବାକୁ କଂପାନି ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ଓଡ଼ିଶା ଡିସ୍କମ୍ ସହଯୋଗରେ କଂପାନି ୧୦୦ ମେଗାୱାଟ୍ର ସୌର ଶକ୍ତି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଚାହୁଛି। ସେ ବାଲିଯାତ୍ରା, କୋଣାର୍କ ଓ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ଆଲୋଚନା କରି କହିଥିଲେ ଯେ ଏଗୁଡ଼ିକ ହେଉଛି ସମ୍ବଳ ଯୋଗାଡ଼ ଓ ପ୍ରକଳ୍ପ କ୍ରିୟାନ୍ବୟନର ଶ୍ରେଷ୍ଠ ଉଦାହରଣ। ନିଯୁକ୍ତି ସୁଯୋଗ ସୃଷ୍ଟି, ଦକ୍ଷତା ବିକାଶ, ଶିକ୍ଷା, ସ୍ମାର୍ଟ ସିଟି ସ୍ଥାପନ କରିବା କ୍ଷେତ୍ରରେ ଓଡ଼ିଶା ବହୁତ ଭଲ ଅଗ୍ରଗତି କରିଛି ବୋଲି ସେ କହିଛନ୍ତି।
୨୫ ହଜାର କର୍ମନିଯୁକ୍ତି ସୃଷ୍ଟି କରିବ ଆଦିତ୍ୟ ବିର୍ଲା
|
November 13, 2018 |